ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତ ଓ ନ୍ୟୁଜିଲାଣ୍ଡ

ସାଉଥାମ୍ପଟନ: ଆଜିଠାରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ବିଶ୍ବର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ମାନ୍ୟତା ପାଇବାକୁ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରସ୍ତୁତ। ପୁଣି ଦିନିକିଆ ଓ ଟ୍ବେଣ୍ଟି୨୦ରେ ବିଶ୍ବକପ୍‌ ଖେଳା ଯାଉଥିବା ବେଳେ କ୍ରିକେଟ୍‌ର କଷ୍ଟସାଧ୍ୟ ଫର୍ମାଟ ଟେଷ୍ଟମ୍ୟାଚ୍‌ରେ ବିଶ୍ବ ଚମ୍ପିଆନ୍ ମାନ୍ୟତା ପାଇବାକୁ ଭାରତ ଓ ନ୍ୟୁଜିଲାଣ୍ଡ ଆଶାୟୀ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ନ୍ୟୁଜିଲାଣ୍ଡ କଦାପି କୌଣସି ଫର୍ମାଟର ବିଶ୍ବକପ୍ ଜିତିନାହିଁ। ଏହା ଗତ ୨ଟି ବିଶ୍ବକପ୍‌ର ଫାଇନାଲରେ ପହଞ୍ଚି ଉଭୟ ଥର ପରାସ୍ତ ହୋଇଛି। ଏହି ଧାରା ଭାଙ୍ଗିବାକୁ କେନ୍ ୱିଲିୟମ୍‌ସନଙ୍କ ଦଳ ନିଶ୍ଚିତ ଚାହିଁବ। ଅନ୍ୟପକ୍ଷରେ ବିରାଟ କୋହଲି ଭାରତର ସଫଳତମ ଅଧିନାୟକ ଥିଲେ ହେଁ ତାଙ୍କ ନେତୃତ୍ବରେ ଭାରତ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ତେଣୁ କୋହଲି ଭାଗ୍ୟରେ ପରିବର୍ତ୍ତନ ପାଇଁ ଆତୁର ଥିବେ।

ଆଜି (ଶୁକ୍ରବାର)ର ମ୍ୟାଚ୍‌
ଭାରତ ବନାମ ନ୍ୟୁଜିଲାଣ୍ଡ
(ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ)
ଭାରତୀୟ ସମୟ ଅପରାହ୍‌ଣ ୩ଟାରୁ
ସିଧା ପ୍ରସାରଣ: ଷ୍ଟାର୍ ସ୍ପୋର୍ଟସ-୧

ଏହି ମ୍ୟାଚ୍‌ ପାଇଁ ନ୍ୟୁଜିଲାଣ୍ଡର ପ୍ରସ୍ତୁତି ଅଧିକ ସଠିକ ଲାଗୁଛି। ଟମ୍ ଲାଥାମ୍‌ଙ୍କ ନେତୃତ୍ବରେ; ପୁଣି ଦଳରେ ୬ଟି ପରିବର୍ତ୍ତନ କରିବା ସତ୍ତ୍ବେ ଘରୋଇ ଇଂଲଣ୍ଡକୁ ୨ୟ ଟେଷ୍ଟରେ ସହଜରେ ୮ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା। ଇଂଲଣ୍ଡରେ ୨ଟି ଟେଷ୍ଟମ୍ୟାଚ୍ ଖେଳିଥିବା ଯୋଗୁଁ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ପୂରା ପ୍ରସ୍ତୁତ ହୋଇ ରହିଛି। ଗତ ମାର୍ଚ୍ଚରୁ ଭାରତ ଟେଷ୍ଟ କ୍ରିକେଟ୍‌ ଖେଳିନାହିଁ। ଆହତ ହୋଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିନଥିବା କିଛି ଖେଳାଳି ଭାରତୀୟ ଦଳକୁ ଫେରିଛନ୍ତି। ଦଳରେ ପ୍ରତି ସ୍ଥାନ ପାଇଁ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ରହିଛି। ପୂର୍ବରୁ ଭାରତର ପେସ୍‌ ଆକ୍ରମଣ ଏତେ ଶକ୍ତିଶାଳୀ ନଥିଲା। ପୁଣି ଭାରତର ଦୁଇ ସ୍ପିନର ବିଶ୍ବସ୍ତରୀୟ। ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତର ବ୍ୟାଟିଂ ଅଧିକ ଶକ୍ତିଶାଳୀ ରହିଛି। ତେଣୁ କୁହାଯାଉଛି ଯେ ଭାରତୀୟ ବ୍ୟାଟିଂ ଓ ନ୍ୟୁଜିଲାଣ୍ଡ ବୋଲିଂ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌କୁ ଅତ୍ୟନ୍ତ ଗୁରୁତ୍ବର ସହ ଦଳ ନେଉଛି ବୋଲି କୋହଲି କହିଛନ୍ତି। ତେବେ କିଛି ପ୍ରତିଭାବାନ ଖେଳାଳିଙ୍କୁ ନେଇ କେନ୍ ୱିଲିୟମ୍‌ସନ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଗତ ୨ ବର୍ଷରେ ଟେଷ୍ଟ କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡ ଭଲ ପ୍ରଦର୍ଶନ କରିଛି; ସେଥିପାଇଁ ଫାଇନାଲରେ ପହଞ୍ଚିଛି। ଏହି ୨ ବର୍ଷରେ ଭାରତ ୬ଟି ଟେଷ୍ଟ ସିରିଜ୍ ଖେଳିଥିବା ବେଳେ ୫ଟି ଜିତିଛି ଏବଂ ନ୍ୟୁଜିଲାଣ୍ଡଠାରୁ ହିଁ ସିରିଜ୍ ୦-୨ରେ ହାରିଛି। ଏହି ସମୟରେ ନ୍ୟୁଜିଲାଣ୍ଡ ୫ଟି ସିରିଜ୍ ଖେଳି ୪ଟି ଜିତିଛି ଏବଂ ଗୋଟିଏ ଡ୍ର ରଖିଛି। ୨୦୧୬ରୁ ଉଭୟ ଦଳଙ୍କ ମଧ୍ୟରେ ୫ଟି ମ୍ୟାଚ୍‌ ଖେଳା ଯାଇଛି। ଉଭୟ ଦଳ ଘରୋଇ ସିରିଜ୍‌ ଜିତିଛିନ୍ତି।

ନ୍ୟୁଜିଲାଣ୍ଡ ନୂଆ ବଲ୍‌ ବୋଲିଂ ସମ୍ମୁଖରେ ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ଯେତେସମୟ ରହିବେ; ଦଳ ପାଇଁ ତାହା ସେତେ ଭଲ। କାରଣ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍‌ଟ ଓ ନିଲ୍‌ ୱାଗ୍‌ନର ବଲ୍‌କୁ ସ୍ବିଙ୍ଗ୍‌ କରିବାରେ ସିଦ୍ଧହସ୍ତ। ପିଚ୍ ଆରମ୍ଭରୁ ପେସ୍ ବୋଲିଂକୁ ସୁହାଇବ। ମ୍ୟାଚ୍‌ର ସମସ୍ତ ୫ ଦିନ ଆକାଶ ମେଘୁଆ ରହିବ ଏବଂ ମଝିରେ ମଝିରେ ବର୍ଷା ମଧ୍ୟ ହୋଇପାରେ। ତେଣୁ ଆରମ୍ଭରୁ ବଲ୍‌ ସ୍ବିଙ୍ଗ୍ କରିବା ନିଶ୍ଚିତ। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ ନେବାକୁ ଚାହିଁବେ। ଭାରତୀୟ ପେସ୍ ବୋଲିଂ ମଧ୍ୟ ବେଶ୍‌ ଶକ୍ତିଶାଳୀ ଅଛି। ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଖେଳିବେ। ୨ ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଓ ଆର୍. ଅଶ୍ବିନ ଖେଳିବେ। ବ୍ୟାଟିଂରେ ବିରାଟ କୋହଲି, ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଉପରେ ଦଳ ଅଧିକ ଭରସା କରିବ। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ନ୍ୟୁଜିଲାଣ୍ଡ ଓପ୍‌ନର ଡେଭନ୍‌ କନ୍‌ୱେ ତାଙ୍କ ଫର୍ମ ଜାରି ରଖିବାକୁ ଚାହିଁବେ।

ଭାରତର ଚୂଡ଼ାନ୍ତ ଏକାଦଶ ଘୋଷିତ

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ପାଇଁ ଭାରତ ଦିନକ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଆଶା ଅନୁସାରେ ମହମ୍ମଦ ସିରାଜ୍‌ଙ୍କୁ ଏକାଦଶରେ ସ୍ଥାନ ମିଳିନାହିଁ। ଏକାଦଶରେ ୨ ସ୍ପିନର ଆର୍. ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଖେଳିବେ। ହନୁମା ବିହାରୀଙ୍କୁ ସ୍ଥାନ ମିଳିନାହିଁ। ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁବ୍‌ମାନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ଋଷଭ ପନ୍ତ୍ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଆର୍. ଅଶ୍ବିନ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ ଈଶାନ୍ତ ଶର୍ମା।

Comments are closed.