କ୍ରିକେଟ୍‌ ବିଶ୍ବକପ୍‌ : ଆଫଗାନିସ୍ତାନକୁ ହରାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା

କାର୍ଡିଫ୍‌ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌​ରେ ‌ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ। ପଏଣ୍ଟ ଟେବୁଲର ଶେଷ ଭାଗକୁ ରହିଥିବା ଏହି ଦୁଇ ଦଳ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍‌ ଜିତି ପାରି ନାହାନ୍ତି। ଦକ୍ଷିଣ ଆଫ୍ରିକାକୁ ଏକ ଶକ୍ତିଶାଳୀ ଦଳ ଭାବେ ପରିଗଣିତ କରାଯାଉଥିବା ବେଳେ ଏହି ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ ଖେଳି ୩ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି। ଦକ୍ଷିଣ ଆଫ୍ରିକା ଦଳ ଗୋଟିଏ ପଏଣ୍ଟ ହାସଲ କରିଥିବା ବେଳେ ଆଫଗାନିସ୍ତାନ ଦଳକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଦଳ ଇଂଲଣ୍ଡ ଠାରୁ ୧୦୪ ରନ୍‌ରେ ପରାସ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକା ଦଳ ବାଂଲାଦେଶକୁ ପରାସ୍ତ କରିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ସେହିପରି ଭାରତ ବିପକ୍ଷ ମ୍ୟାଚ୍‌ରେ ଦଳ ୬ ୱିକେଟ୍‌ରେ ହାରିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବାରୁ ଦଳକୁ ଗୋଟିଏ ପଏଣ୍ଟ ମିଳିଛି।
ଦକ୍ଷିଣ ଆଫ୍ରିକା ଦଳରେ ଅନେକ ତାରକା ଖେଳାଳି ଥିଲେ ମଧ୍ୟ ଚଳିତ ବିଶ୍ବକପ୍‌ରେ ଦଳ ଏପର୍ଯ୍ୟନ୍ତ ସଫଳତାର ସ୍ବାଦ ଚାଖି ପାରି ନାହିଁ। ଦଳରେ ଓପନର୍‌ ଭାବେ ହାସିମ ଆମଲା ଓ ଡି’କକ୍‌ ଦାୟିତ୍ବ ନିର୍ବାହ କରୁଛନ୍ତି। ତେବେ ଏହି ଦୁଇ ଓପନର୍‌ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ସେହିପରି ଅଧିନାୟକ ଡୁପ୍ଲେସି ମଧ୍ୟ ସେପରି ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି। ଦଳରେ ଥିବା ବ୍ୟାଟସମ୍ୟାନ୍‌ ଡ୍ୟୁସେନ୍‌, ଡେଭିଡ୍‌ ମିଲର ଓ ଡ୍ୟୁମିନି ପ୍ରତିଭା ମୁତାବକ ପ୍ରଦର୍ଶନ କରିନାହାନ୍ତି ଯାହାକି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍‌ମାନେ ଭଲ ସ୍କୋର କରିବେ ବୋଲି ଆଶା ରହିଛି। ତେବେ ଆଫଗାନିସ୍ତାନ ଦଳରେ ନବି ଓ ରସିଦ୍‌ ଖାନ୍‌ଙ୍କ ପରି ବୋଲର ଅଛନ୍ତି ସେମାନଙ୍କ ବିରୋଧରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍‌ ସଫଳତା ପାଇବା ଏତେଟା ସହଜ ନୁହେଁ। ବିଶେଷ କରି ରସିଦ୍‌ ଖାନ୍‌ ନିଜ ସ୍ପିନ ଯାଦୁରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍‌ଙ୍କୁ ଅଡୁଆରେ ପକାଇ ପାରନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ବୋଲିଂକୁ ଦୃଷ୍ଟି ଦେଲେ ପ୍ରମୁଖ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ କାନ୍ଧରେ ଆଘାତଜନିତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଅନ୍ୟତମ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡ଼ି ଆଘାତପ୍ରାପ୍ତ ହୋଇଥିଲେ। ତେବେ ବର୍ତ୍ତମାନ ସେ ଫିଟ୍‌ ଥିବାରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିବାର ସମ୍ଭାବନା ରହିଛି। ଅନ୍ୟତମ ଦ୍ରୁତ ବୋଲର ରାବାଡାଙ୍କ ଉପରେ ଦକ୍ଷିଣ ଆଫ୍ରିକା ଦଳ ବହୁଳ ଭାବେ ନିର୍ଭରଶୀଳ। ଦକ୍ଷିଣ ଆଫ୍ରିକା ଦଳ ଆଫଗାନିସ୍ତାନକୁ ଏହି ମ୍ୟାଚ୍‌ରେ ନିଶ୍ଚିତ ଭାବେ ପରାସ୍ତ କରିବ ବୋଲି ଏହି ଦଳର କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି।
ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ମଧ୍ୟ ପ୍ରଥମ ବିଜୟ ପାଇଁ ବ୍ୟଗ୍ର ଥିବ ନିଶ୍ଚିତ। ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରିନଥିବାରୁ ଏହାର ସୁଯୋଗ ଉଠାଇ ଆଫଗାନିସ୍ତାନ ଦଳ ବିଜୟୀ ହେବାକୁ ପ୍ରୟାସ କରିବ। ତେବେ ଦଳର ବ୍ୟାଟସମ୍ୟାନ୍ ଜାଜାଇ, ରହମତ୍‌, ହସମତୁଲ୍ଲା, ଗୁଲବାଦିନ୍ ପ୍ରମୁଖଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ରସିଦ୍‌ ଖାନ୍‌, ନବି, ମୁଜିବ୍‌ଙ୍କ ବୋଲିଂ ପ୍ରଦର୍ଶନ ଉପରେ ମଧ୍ୟ ଆଫଗାନିସ୍ତାନର ବିଜୟ ବହୁମାତ୍ରାରେ ନିର୍ଭରଶୀଳ ବୋଲି କୁହାଯାଇ ପାରିବ।

Comments are closed.