କ୍ରିକେଟ୍‌ ବିଶ୍ବକପ୍‌ ୨୦୧୯ : ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ ମୁକାବିଲା ଆଜି

ମାଞ୍ଚେଷ୍ଟର  : କ୍ରିକେଟ୍‌ ବିଶ୍ବକପ୍‌ରେ ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ମୁକାବିଲା ୱେଷ୍ଟଇଣ୍ଡିଜ ସହ ହେବ। ବର୍ତ୍ତମାନ ସୁଦ୍ଧା ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍‌ ଜିତି ନିଜ ସ୍ଥିତି ଅଧିକ ମଜଭୁତ୍‌ କରିବାକୁ ନିଶ୍ଚିତ ଭାବେ ଚାହିଁବ। ନ୍ୟୁଜିଲାଣ୍ଡ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ ଖେଳି ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା​‌ ଯୋଗୁଁ ବାତିଲ ହୋଇଛି। ନ୍ୟୁଜିଲାଣ୍ଡ ୯ ପଏଣ୍ଟ ହାସଲ କରିବାରେ ସକ୍ଷମ ହୋଇଛି। ଦଳ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା।
ନ୍ୟୁଜିଲାଣ୍ଡ ଦଳର ଓପନର୍‌ ମାର୍ଟିନ୍‌ ଗପଟିଲ୍‌ ଓ ମନ୍‌ରୋ ଠିକ୍‌ଠାକ୍‌ ପ୍ରଦର୍ଶନ କରିଥିବା ବେଳେ ଅଧିନାୟକ ୱିଲିୟମସନ୍‌ ବେଶ୍‌ ଭଲ ଫର୍ମରେ ଅଛନ୍ତି। ବିଶେଷ କରି ୱିଲିୟମସନ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ୱିଲିୟମସନ୍‌ଙ୍କ ବ୍ୟତୀତ ଏହି ଦଳରେ ରସ୍‌ ଟେଲର, ଲାଥାମ୍‌, ନିସାମଙ୍କ ପରି ବ୍ୟାଟସମ୍ୟାନ୍‌ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଏମାନେ ଭଲ ପ୍ରଦର୍ଶନ କଲେ ନ୍ୟୁଜିଲାଣ୍ଡର ବିଜୟ ଆଶା ବଢ଼ିଯିବ। ସେହିପରି ଦଳରେ ବୋଲଟ୍‌, ହେନରି, ଫର୍ଗୁସନ୍‌, ଗ୍ରାଣ୍ଡହୋମ୍‌ଙ୍କ ପରି ବୋଲର ଅଛନ୍ତି। ସ୍ପିନ ବିଭାଗ ସାଣ୍ଟ୍‌ନର ତୁଲାଇବେ। ସାଣ୍ଟ୍‌ନରଙ୍କୁ ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ୍‌ କିପରି ମୁକାବିଲା କରୁଛନ୍ତି ତାହା ଦେଖିବା କଥା।
ୱେଷ୍ଟଇଣ୍ଡିଜର ପ୍ରଦର୍ଶନକୁ ଦୃଷ୍ଟି ଦେଲେ ଦଳ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜିତ ହୋଇଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ​‌େ​‌ହାଇଛି। ଦଳ ନିକଟରେ ମୋଟ୍‌ ୩ ପଏଣ୍ଟ ରହିଥିବାରୁ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ରେ ପରାସ୍ତ କରିବା ନିହାତି ଆବଶ୍ୟକ। ୱେଷ୍ଟଇଣ୍ଡିଜ ଦଳ ପାକିସ୍ତାନକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ଓ ବାଂଲାଦେଶ ଠାରୁ ହାରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଦଳରେ ତାରକା ଓପନର୍‌ ଗେଲ୍ ରହିଥିଲେ ମଧ୍ୟ ସେ ନିଜ ପ୍ରତିଷ୍ଠା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଗେଲ୍ ବଡ଼ ସ୍କୋର କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ଅନ୍ୟତମ ଓପନର୍‌ ଲୁଇସ୍ ମଧ୍ୟ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବେ। ସାଇ ହୋପ୍‌, ପୁରନ୍, ହେତମେୟର ଓ ହୋଲଡର୍‌ ଉଣା ଅଧିକେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଜିତିବାକୁ ହେଲେ ଏମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ରସେଲ୍‌ଙ୍କ ବ୍ୟାଟିଂ ଫର୍ମକୁ ନେଇ ଦଳ ଚିନ୍ତାରେ ରହିଛି।
ବୋଲିଂକୁ ଦୃଷ୍ଟି ଦେଲେ ଓସାନେ ଥୋମାସ, କଟ୍ରେଲ୍‌, ବ୍ରାଥୱେଟ୍‌, ହୋଲଡର ଓ ନର୍ସ ପ୍ରମୁଖ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍‌ଙ୍କ ବିପକ୍ଷରେ କେଉଁ ରଣନୀତି ଅନୁଯାୟୀ ବୋଲିଂ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିବାକୁ ହେଲେ ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ, ବୋଲିଂ ଓ ଫିଲଡିଂ ବିଭାଗରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

Comments are closed.