କୋହଲି, ଧୋନିଙ୍କ ଉପସ୍ଥିତି ଯୋଗୁଁ ଭାରତ ଚମ୍ପିଆନ ହେବାକୁ ପ୍ରମୁଖ ଦାବିଦାର : ଚହଲ

ନୂଆଦିଲ୍ଲୀ  : ଇଂଲଣ୍ଡରେ ଆସନ୍ତା ୩୦ରୁ ଖେଳାଯିବ କ୍ରିକେଟ୍‌ ବିଶ୍ବକପ୍‌। କ୍ରିକେଟ୍‌ ବିଶ୍ବକପ୍‌ରେ କେଉଁ ଦଳ ଚମ୍ପିଆନ୍‌ ହେବ ତାହାକୁ ନେଇ କ୍ରିକେଟ୍‌ ପଣ୍ଡିତମାନେ ଭିନ୍ନ ଭିନ୍ନ ମତପୋଷଣ କରୁଥିବା ବେଳେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବା ନିମନ୍ତେ ପ୍ରମୁଖ ଦାବିଦାର ବୋଲି ମତ ଦେଇଛନ୍ତି ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍‌।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଚହଲ୍‌ କହିଥିଲେ ଭାରତୀୟ ଦଳର ଅଧିନାୟକ ଭାବେ ବିରାଟ କୋହଲି ରହିଥିବା ବେଳେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନି ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ବିଶ୍ବକପ୍‌ ଚମ୍ପିଆନ୍‌ ହେବାକୁ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି। ୧୯୮୩ ଓ ୨୦୧୧ରେ ଭାରତୀୟ ଦଳ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଚଳିତଥର ପୁନର୍ବାର ଚମ୍ପିଆନ୍ ହେବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। ସେମାନଙ୍କ ଆଶାକୁ ସାକାର କରିବାକୁ ଦଳର ସମସ୍ତ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଅନାଇ ବସିଥିବା ଚହଲ୍‌ କହିଛନ୍ତି। କ୍ରିକେଟ୍‌ ବିଶ୍ବକପ୍‌ରେ ଭାଗ ନେବାକୁ ଯାଉଥିବା ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ବୋଲି ଚହଲ୍‌ ମତ ଦେଇଛନ୍ତି। ଦଳର ଭାରସାମ୍ୟ ବେଶ୍‌ ଭଲ ଅଛି ଏବଂ ଖେଳାଳିମାନଙ୍କ ମନୋବଳ ବେଶ୍‌ ଉଚ୍ଚରେ ଥିବାରୁ ଭାରତୀୟ ଦଳ ଚମ୍ପିଆନ୍‌ ହୋଇପାରିବ ବୋଲି ଚହଲ୍‌ ଆଶାବ୍ୟକ୍ତ କରିଛନ୍ତି। ଭାରତ ବ୍ୟତୀତ ଇଂଲଣ୍ଡ ଦଳ ମଧ୍ୟ ବେଶ୍‌ ଶକ୍ତିଶାଳୀ ବୋଲି ଚହଲ୍‌ କହିଛନ୍ତି। ବିଶେଷ କରି ଏହି ଦଳ ଘରୋଇ ମାଟିରେ ବିଶ୍ବକପ୍‌ ଖେଳୁଥିବା ବେଳେ ଗତ କିଛିମାସ ହେବ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବା ଚହଲ୍‌ ମତ ଦେଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବାର ଆଶା ଥିବା ଚହଲ୍‌ କହିଛନ୍ତି।
ବିଶ୍ବକପ୍‌ରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ଚମ୍ପିଆନ୍ ହେବ ବୋଲି କ୍ରିକେଟ୍‌ପ୍ରେମୀମାନେ ଆଶା ରଖିଛନ୍ତି। ଏହାକୁ ନେଇ ତାଙ୍କ ଉପରେ ମଧ୍ୟ କିଛିଟା ଚାପ ଥିବା ଚହଲ୍‌ କହିଛନ୍ତି। ତେବେ ଚାପକୁ କିପରି ମୁକାବିଲା କରିବାକୁ ହୁଏ ତାହା ତାଙ୍କୁ ଭଲ ଭାବେ ଜଣା ବୋଲି ଚହଲ୍‌ ମତ ଦେଇଛନ୍ତି। ବେଶ୍‌ କିଛିବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବା ପରେ ଚାପକୁ ସଫଳତାର ସହ ମୁକାବିଲା କରାଯାଇ କିପରି ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହୁଏ ତାହା ଶିଖିଥିବାରୁ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଚହଲ୍‌ ଆଶା ରଖିଛନ୍ତି। ବର୍ତ୍ତମାନ ବିଶ୍ବକପ୍‌ ଛଡ଼ା ଅନ୍ୟ କୌଣସି ବିଷୟରେ ସେ ଚିନ୍ତା କରୁନାହାନ୍ତି ଏବଂ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଚହଲ୍‌ କହିଛନ୍ତି। କିଛିମାସ ତଳେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜ୍‌ରେ ସେ ଯେଉଁ ଭୁଲ୍ କରିଥିଲେ ତାହା ଯେପରି ବିଶ୍ବକପ୍‌ରେ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଚହଲ୍‌ ମତବ୍ୟକ୍ତ କରିଛନ୍ତି। କପିଳ ଦେବଙ୍କ ନେତୃତ୍ବରେ ୧୯୮୩ ଓ ଧୋନିଙ୍କ ନେତୃତ୍ବରେ ୨୦୧୧ରେ ଭାରତ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଚଳିତଥର କୋହଲିଙ୍କ ନେତୃତ୍ବରେ ଚମ୍ପିଆନ୍‌ ହେବ ବୋଲି ଚହଲ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୧୫ ବିଶ୍ବକପ୍‌ରେ ଭାରତୀୟ ସ୍ପିନ ବିଭାଗର ନେତୃତ୍ବ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ନେଇଥିଲେ। ଚଳିତଥର ଏହି ଭାର ଦୁଇ ଯୁବ ସ୍ପିନର ଚହଲ୍‌ ଓ କୁଲଦୀପ ଯାଦବଙ୍କ ଉପରେ ନ୍ୟସ୍ତ ଅଛି। କୁଲଦୀପ ଓ ତାଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିଥିବାରୁ ସେମାନେ ବିଶ୍ବକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିବେ ବୋଲି ଚହଲ୍‌ ଆଶାବ୍ୟକ୍ତ କରିଛନ୍ତି। ମ୍ୟାଚ୍‌ରେ କିପରି ବୋଲିଂ କରିବାକୁ ହେବ ସେ ସଂପର୍କରେ ଅଧିନାୟକ କୋହଲି ଓ ବରିଷ୍ଠ ଖେଳାଳି ଧୋନିଙ୍କ ଠାରୁ ସେ ଓ କୁଲଦୀପ୍‌ ସର୍ବଦା ପରାମର୍ଶ ନେଇଥାନ୍ତି। କ୍ରିକେଟ୍ ବିଶ୍ବକପ୍‌ରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଚହଲ୍‌ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଚହଲ୍‌ ୪୧ଟି ଦିନିକିଆ ମ୍ୟାଚ୍ ଖେଳି ୭୨ଟି ୱିକେଟ୍‌ ହାସଲ କରିଛନ୍ତି। ଇଂଲଣ୍ଡରେ ସେ ପୂର୍ବରୁ ଖେଳିଥିବାରୁ ଏଠାକାର ପିଚ୍‌ ଏବଂ ପରିବେଶ ସଂପର୍କରେ ତାଙ୍କର ଅଭିଜ୍ଞତା ଥିବା ଚହଲ୍‌ ମତ ଦେଇଛନ୍ତି। ଇଂଲଣ୍ଡ ପିଚ୍‌ରେ ବୋଲିଂ କରିବା ଏତେଟା ସହଜ ହୋଇନଥିଲେ ମଧ୍ୟ ପିଚ୍‌ରେ ସ୍ପିନରଙ୍କୁ ସହାୟତା ମିଳିବ ବୋଲି ଚହଲ୍‌ ଆଶାବ୍ୟକ୍ତ କରିଛନ୍ତି। ବିଶ୍ବକପ୍‌ ଖେଳିବା ସବୁ କ୍ରିକେଟର୍‌ଙ୍କ ସ୍ବପ୍ନ ହୋଇଥିବା ବେଳେ ତାଙ୍କର ଏହି ସ୍ବପ୍ନ ସାକାର ହେବାକୁ ଯାଉଥିବାରୁ ବେଶ୍‌ ଖୁସି ଥିବା ଚହଲ୍‌ ମତ ଦେଇଛନ୍ତି। ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ ପାଇଁ ସେ ବ୍ୟାପକ ପ୍ରସ୍ତୁତି କରିଛନ୍ତି ଏବଂ ନିଶ୍ଚିତ ଭାବେ ସଫଳତା ପାଇବେ ବୋଲି ଚହଲ୍‌ କହିଛନ୍ତି। ସଫଳତା ପାଇବାକୁ ହେଲେ ବୋଲରଙ୍କୁ ଧୈର୍ଯ୍ୟ ରକ୍ଷା କରିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

Comments are closed.