ସାଧାରଣତନ୍ତ୍ର ଦିବସରେ ସାମିଲ ହେବନି ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼, କେନ୍ଦ୍ର-ମମତା ମୁହାଁମୁହିଁ ହେବା ଆଶଙ୍କା

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁସାରେ, ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ସାମିଲ ହେବା ସଂକ୍ରାନ୍ତ ପ୍ରସ୍ତାବ ବିଶେଷଜ୍ଞ କମିଟି ନିକଟକୁ ୨ଥର ପଠାଯାଇଛି। ୨ୟ ବୈଠକରେ ବିସ୍ତୃତ ଆଲୋଚନା ହେବା ପରେ ପ୍ରସ୍ତାବକୁ ଖାରଜ କରିଦିଆଯାଇଛି। ଏହା ପୂର୍ବରୁ ୨୦୧୮ରେ ବି ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ସାମିଲ କରାଯାଇ ନ ଥିଲା। ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି। ପୂର୍ବରୁ ମମତାଙ୍କ ସହିତ ରାଜ୍ୟପାଳଙ୍କର ମଧ୍ୟ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି।

ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ହେବାକୁ ଥିବା ପରେଡ୍‌ରେ ୫୬ଟି ପ୍ରଜ୍ଞାପନ ମେଢ଼ ସାମିଲ ହେବା ଲାଗି ପ୍ରସ୍ତାବ ଆସିଥିଲା। ସେଗୁଡ଼ିକ ମଧ୍ୟରୁ ୨୨ଟି ଚୟନ କରାଯାଇଛି। ପ୍ରସ୍ତାବିତ ୫୬ଟି ପ୍ରଜ୍ଞାପନ ମେଢ଼ ମଧ୍ୟରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୨ ଏବଂ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭିନ୍ନ ବିଭାଗରୁ ୨୪ଟି ପ୍ରସ୍ତାବ ଆସିଥିଲା। ତନ୍ମଧ୍ୟରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ଏବଂ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକର ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସୂଚନାଯୋଗ୍ୟ, ଚଳିତବର୍ଷ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାରୋ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

Comments are closed.