ଏକଜିଟ ପୋଲ ରିପୋର୍ଟ :  ପଶ୍ଚିମବଙ୍ଗରେ ପୁଣି କ୍ଷମତାକୁ ଫେରିବେ ଦିଦି !

ଆସାମ ଓ କେରଳରେ କ୍ଷମତା ଅପରିବର୍ତ୍ତିତ ହେବନି, -ତାମିଳନାଡୁ ଓ ପୁଡୁଚେରୀ ସରକାର ବଦଳିବା ଆଶା

କୋଲକାତା : ପଶ୍ଚିମବଙ୍ଗରେ ୮ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ଅନେକ ଏକଜିଟ ପୋଲ ସଂସ୍ଥା ନିଜର ନିଜର ଆକଳନ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗରେ ବଡ ଦଳ ଭାବେ ତୃଣମୂଳ କଂଗ୍ରେସ ପୁଣି ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି ।  ସେହିପରି ବିଜେପି ଚଳିତ ନିର୍ବାଚନରେ ବଡ ସଫଳତା ହାସଲ କରିବାକୁ ଯାଉଥିବା ଏକଜିଟ ପୋଲ ସଂସ୍ଥା ପ୍ରକାଶ କରିଛି ।

ରିପବ୍ଲିକ ଭାରତ ଏକଜିଟ ପୋଲର ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ସମୁଦାୟ ୨୯୪ ଆସନ ମଧ୍ୟରୁ ବିଜେପିକୁ ୧୩୮ରୁ ୧୪୮ ସିଟ ମିଳିବ । ସେହିପରି ଟିଏମସିକୁ ୧୨୮ରୁ ୧୩୮ ଆସନ ମିଳିବା ନେଇ ଆକଳନ କରିଛି । ସେହିପରି ଏବିପି-ସି ଭୋଟର ଆକଳନ ଅନୁସାରେ ବିଜେପିକୁ ୧୦୯-୧୨୧ ଆସନ, ଟିଏମସିକୁ ୧୫୨-୧୬୪ ଆସନ ମିଳିବାର ଆଶା କରାଯାଉଛି।

ଟାଇମସ ନାଓ ସି- ଭୋଟର ଏକଜିଟ ପୋଲ ଅନୁଯାୟୀ, ବିଜେପିକୁ ୧୧୫, ଟିଏମସିକୁ ୧୫୮ ଆସନ ମିଳିପାରେ । ଅନ୍ୟପକ୍ଷରେ ପି-ଏମଏଆରକ୍ୟୁ  ଆକଳନ ଅନୁସାରେ ବିଜେପି ସପକ୍ଷରେ ୧୨୦ ଆସନ ଓ  ଟିଏମସି ୧୫୮ ଆସନରେ ବିଜୟୀ ହେବାକୁ ଯାଉଛି। ତେବେ ଜନତା କୀ ବାତ ଏକଜିଟ ପୋଲ ଅନୁସାରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବ ବୋଲି କହିଛି । ୨୯୪ ଆସନରୁ ୧୭୪ ଆସନ ବିଜେପିକୁ ମିଳୁଥିବା ଏହି ସଂସ୍ଥା ଆକଳନ କରିଛି ।

ଅନ୍ୟ ପକ୍ଷରେ ଆସାମ ଓ କେରଳରେ କ୍ଷମତା ପରିବର୍ତ୍ତନ ହେବନାହିଁ ବୋଲି ଏକଜିଟ ପୋଲ ରିପୋର୍ଟରେ ଦର୍ଶାଯାଇଛି।  ତେବେ ତାମିଳନାଡୁ ଓ ପୁଡୁଚେରୀରେ ସରକାର ବଦଳିବା ଆଶା ଦେଖାଦେଇଛି ବୋଲି ଏକଜିଟ୍ ପୋଲ ସର୍ଭେରେ ଆକଳନ କରାଯାଇଛି।

Comments are closed.