ମାୟା ସଭ୍ୟତାର ଜଳ ବିଶୋଧନ ପ୍ରଣାଳୀ

ମେସୋଆମେରିକାରେ ବାସ କରୁଥିବା ପ୍ରାଚୀନ ମାୟା ସଭ୍ୟତାର ବାସିନ୍ଦା ମଧ୍ୟ ଜଳ ବିଶୋଧନ ବ୍ୟବସ୍ଥା ବିକଶିତ କରିଥିଲେ। ଏପରି ଏକ ବିଶୋଧନ ପ୍ରଣାଳୀ ଠାବ କରାଯାଇଛି, ଯାହା ଏବେ ବି କାର୍ଯ୍ୟ କରିପାରିବ ବୋଲି ଅନୁଧ୍ୟାନରୁ ଜଣାଯାଏ। ଉତ୍ତର ଗୁଏଟମାଲାର ଟିକାଲସ୍ଥିତ କୋରିଏଣ୍ଟାଲ ଜଳଭଣ୍ଡାରରେ ଆମେରିକୀୟ ବିଶେଷଜ୍ଞମାନେ ଏହାକୁ ଆବିଷ୍କାର କରିଛନ୍ତି। ଏହା ପ୍ରାୟ ୨ହଜାର ବର୍ଷ ପୁରୁଣା ହେବ ବୋଲି ଜଣାଯାଇଛି। ସ୍ବଚ୍ଛ ଜଳ ପାଇବା ଲାଗି ଭାରତ, ଗ୍ରୀସ, ମିଶର ଏବଂ ରୋମାନ ସଭ୍ୟତାରେ ବିଭିନ୍ନ ଉପାୟ ଆପଣାଯାଉଥିଲା। ତେବେ ଗୁଏଟମାଲାରେ ମିଳିଥିବା ଏହି ଜଳ ବିଶୋଧନ ପ୍ରଣାଳୀରେ ଜିଓଲାଇଟ୍‌ ଏବଂ କ୍ବାର୍ଜ ପରି ଖଣିଜ ପଦାର୍ଥ ମିଳିଛି ଯାହା ସ୍ଥାନୀୟ ଅଞ୍ଚଳରେ ମିଳେନାହିଁ। ଏହି ଖଣିଜ ପଦାର୍ଥ ଜଳରେ ସଂକ୍ରମଣ କରାଉଥିବା ସୂକ୍ଷ୍ମଜୀବ, ଭାରୀ ଧାତୁ ଏବଂ ନାଇଟ୍ରୋଜେନ ଯୌଗିକ ପରି କ୍ଷତିକାରକ ପଦାର୍ଥଗୁଡିକୁ ଦୂର କରିଥାଏ। ଏହି ଦୁଇ ପଦାର୍ଥ ଏବେ ବି ଜଳ ବିଶୋଧନ ଲାଗି ବ୍ୟବସ୍ଥାରେ ଉପଯୋଗ କରାଯାଉଛି। ୟୁନିଭର୍ସିଟି ଅଫ୍‌ ସିନ୍‌ସିନାଟିର ଆ​‌େ​‌ନ୍ଥ୍ରାପୋଲୋଜିଷ୍ଟ କେନେଥ୍‌ ବାର୍ନେଟ ଟାଙ୍କର୍ସଲେଙ୍କ କହିବା ଅନୁସାରେ, ୨୦୦୦ରୁ ଅଧିକ ବର୍ଷ ତଳେ ମାୟା ସଭ୍ୟତା ଆରମ୍ଭ କରିଥିବା ଏହି ବ୍ୟବସ୍ଥା ଏବେ ମଧ୍ୟ ବ୍ୟବହାର କରାଯାଉଥିବା ସବୁଠାରୁ ଆଶ୍ଚର୍ଯ୍ୟକର।

ଏଥିରେ ଥିବା ଜିଓଲାଇଟ୍‌ର ଉପଯୋଗ ଇତିହାସରେ ଅନ୍ୟତ୍ର ଦେଖାଯାଇନଥିବା ପ୍ରତ୍ନତତ୍ତ୍ବବିତ୍‌ମାନେ କହିଛନ୍ତି। ଏହା ଆଲୁମିନିୟମ ଏବଂ ସିଲିକନ୍‌ର ପ୍ରାକୃତିକ କ୍ରିଷ୍ଟାଲ ପଦାର୍ଥ। ପ୍ରାଚୀନ ଗ୍ରୀକ୍‌ ଏବଂ ରୋମାନ୍‌ ସଭ୍ୟତାର ଲୋକେ ପୋଜୋଲାନ୍‌ ବ୍ୟବହାର କରୁଥିଲେ, ଯାହା ଏବେ ସିମେଣ୍ଟ ତିଆରିରେ ବ୍ୟବହାର କରାଯାଉଛି। ସାଇଣ୍ଟିଫିକ୍‌ ରିପୋର୍ଟ ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ରିପୋର୍ଟରେ ଜଣାଯାଇଛି ଯେ ଟିକାଲସ୍ଥିତ ଜଳଭଣ୍ଡାରରେ ଜିଓଲାଇଟ୍‌ ଫିଲ୍‌ଟରେସନ୍‌ ସୁବିଧା ପଶ୍ଚିମ ଗୋଲାର୍ଦ୍ଧ ଏବଂ ସମଗ୍ର ବିଶ୍ବରେ ମଧ୍ୟ ଜଳବିଶୋଧନ କରିବାର ସବୁଠାରୁ ପୁରୁଣା ଉଦାହରଣ। କ୍ବାର୍ଜ ଏବଂ ଜିଓଲାଇଟ ଏଠାକୁ ଉତ୍ତର-ପୂର୍ବରେ ୧୮ ମାଇଲ ଦୂରରେ ଥିବା ସହରରୁ ଅଣାଯାଇଥିଲା। ଟିକାଲଠାରେ ୧୦ଟି ଜଳାଶୟ ରହିଥିଲା। ଅଧିକ ଜନସଂଖ୍ୟା ଥିବା ସହ ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ଯୋଗୁ ଜଳ ଦୂଷିତ ହେବାର ଆଶଙ୍କା ରହୁଥିଲା। ତେଣୁ ସେମାନେ ଜଳ ବିଶୋଧନ ପ୍ରଣାଳୀକୁ ବିଶେଷ ଗୁରୁତ୍ବ ଦେଉଥିଲେ। ମାୟା ସଭ୍ୟତାର ଲୋକେ ଲିଖିତ ଭାଷା, କଳା, ସ୍ଥାପତ୍ୟ, ଗଣିତ, ଜ୍ୟୋତିର୍ବିଦ୍ୟା ଆଦି କ୍ଷେତ୍ରରେ ଖୁବ୍‌ ଆଗୁଆ ଥିଲେ। ଏବେ ମଧ୍ୟ ସେମାନଙ୍କ ବଂଶଜ ଏହି ସଭ୍ୟତା ପରିବ୍ୟାପ୍ତ ଥିବା ଅଞ୍ଚଳରେ ବାସ କରୁଥିବା କୁହାଯାଏ।

Comments are closed.