ପାନୀୟ ଜଳ ପ୍ରକଳ୍ପକୁ ମରାମତି କରିବାରେ ଆଗ୍ରହ ପ୍ରକାଶ କରୁନି ଗ୍ରାମ୍ୟଜଳ ଯୋଗାଣ ବିଭାଗ

ଝୁମ୍ପୁରା : ସଂପ୍ରତି ସରକାର ପ୍ରତି ପରିବାର ପାଖରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ସରକାର ପାଣି ପାଇଁ ପ୍ରତି ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି ସତ କିନ୍ତୁ ଦାୟିତ୍ୱରେ ରହିଥିବା ଅଧିକାରୀମାନେ ସରକାରଙ୍କ ଅନୁଦାନ ରାଶିକୁ ଲୋକଙ୍କ ପାଖରେ ଠିକ୍‍ ଭାବରେ ପହଞ୍ଚାଇବା ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଯାହା ଫଳରେ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଅଧା ଦିନରେ ଅଚଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ଝୁମ୍ପୁରା ବ୍ଲକ ମାଲଦା ପଞ୍ଚାୟତ ଅନ୍ତର୍ଗତ କାଶିଆ ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପଟି ଆଜକୁ ୪ ମାସରୁ ଊର୍ଦ୍ଧ୍ବ ହେଲା ଅଚଳ ହୋଇ ପଡିଥିଲେ ମଧ୍ୟ ତାକୁ ମରାମତି କରିବା ଦିଗରେ ବିଭାଗ ଆଗ୍ରହ ପ୍ରକାଶ କରୁ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଗ୍ରାମରେ ଲାଗି ରହିଥିବା ପାନୀୟ ଜଳର ସମସ୍ୟାକୁ ସମାଧାନ କରିବା ନିମନ୍ତେ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରି ଗଭୀର ନଳକୂଅ ଖୋଳିବା ସହିତ ମୁଣ୍ଡ ଉପରେ ପାଣିକୁ ଗଚ୍ଛିତ ରଖି ପ୍ରତି ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଅଚଳ ହୋଇ ପଡିଥିବା ପାନୀୟ ଜଳ ପ୍ରକଳ୍ପକୁ ମରାମତି କରିବା ପାଇଁ ଗ୍ରାମବାସୀ ଶୁକଦେବ ମୁଣ୍ଡା, ଗଣ୍ଡା ମୁଣ୍ଡା, ଦୁର୍ଗା ମୁଣ୍ଡା, ଶିରପାଣି ମୁଣ୍ଡା, ମାଝୀମୁଣ୍ଡା, ବିପନ ମୁଣ୍ଡା, ହେମନ୍ତ ନାଏକ, କୁନୁ ନାଏକ, ମଦନ ନାଏକଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ଆସି ଝୁମ୍ପୁରା ସ୍ଥିତ ଗ୍ରାମ୍ୟଜଳ ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରି ପାନୀୟ ଜଳ ପ୍ରକଳ୍ପକୁ ମରାମତି କରିବା ପାଇଁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। କିନ୍ତୁ ଦୁଃଖର ବିଷୟ ଗ୍ରାମବାସୀଙ୍କ ଅଭିଯୋଗକୁ ପାଇ ମଧ୍ୟ ଗ୍ରାମ୍ୟଜଳ ଯୋଗାଣ ବିଭାଗର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପକୁ ମରାମତି କରିବା ଦିଗରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଦେହରେ ବର୍ଷା ପାଣି ବାଜି ଯିବ ବୋଲି କାର୍ଯ୍ୟାଳୟ ଛାଡି ବାହାରକୁ ବାହାରୁ ନାହାନ୍ତି। ପାନୀୟ ଜଳ ପ୍ରକଳ୍ପର କ’ଣ ଖରାପ ହୋଇଛି ତାହା ମରାମତି ହୋଇପାରିକ କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ଦିନକ ପାଇଁ ମଧ୍ୟ ସେଠାକୁ ଯାଇନଥିବା ଗ୍ରାମବାସୀ ସୂଚନା ପ୍ରଦାନ କରିଛନ୍ତି। ସେହିପରି ପାନୀୟ ଜଳ ପ୍ରକଳ୍ପକୁ କାମ କରୁଥିବା ଠିକାଦାର ଅତ୍ୟନ୍ତ ନିମ୍ନ ମାନର ପାଇପ, ଟ୍ୟାପଗୁଡିକ ଏଠାରେ ଲଗାଇଥିବାରୁ ତାହା ଏବେ ସଂପୂର୍ଣ୍ଣ ଭାବରେ ଭାଙ୍ଗିରୁଜି ଯାଇଛି। ଏହି ଆଦିବାସୀ ଅଧିଷିତ ଗ୍ରାମରେ ବିଭାଗ ପକ୍ଷରୁ ନଳକୂଅ ନିର୍ମାଣ କରାଯାଇଛି ସତ କିନ୍ତୁ ନଳକୂଅରୁ ଆଇନ ମିଶା ପାଣି ବାହାରୁ ଥିବାରୁ ଉକ୍ତ ପାଣିକୁ ଗ୍ରାମବାସୀ ପିଇବା ପାଣି ଭାବେ ବ୍ୟବହାର କରନ୍ତି ନାହିଁ। ବର୍ତ୍ତମାନ ଉକ୍ତ ନଳକୂଅ ଗୁଡିକ ମଧ୍ୟ ଅଚଳ ହୋଇ ପଡିଛି। ପାନୀୟ ଜଳ ପ୍ରକଳ୍ପ ଅଚଳ ତା ସାଙ୍ଗକୁ ନଳକୂଅ ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଚୂଆ ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରୁଛନ୍ତି।

ଅଚଳ ହୋଇପଡିଥିବା ପାନୀୟ ଜଳ ପ୍ରକଳ୍ପକୁ କାହିଁକି ମରାମତି କରାଯାଉ ନାହିଁ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ଖମାରୀଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହନ୍ତି ମରାମତି କରିବାର ବ୍ୟବସ୍ଥା କରାଯାଉଛି ବୋଲି ସଫେଇ ଦେଇଥିଲେ। ପାନୀୟ ଜଳ ପ୍ରକଳ୍ପକୁ ମରାମତି କରିବା ଦିଗରେ ଯନ୍ତ୍ରୀଙ୍କ ଆଗ୍ରହ ନାହିଁ, ମାସ ପୂରିଲେ ସରକାରଠାରୁ ଦରମା ନେଇ କିପରି ଆରାମ କରିବେ ସେଇ କଥା ଯନ୍ତ୍ରୀ ମାନେ ଭାବୁଛନ୍ତି। ପିଇବା ପାଣି ନ ପାଇ ଗ୍ରାମବାସୀ କଷ୍ଟ ପାଇଲେ ବି ତାର ଯାଏ କେତେ ନା ଆସେ କେତେ।

Comments are closed.