ବାସୁପାଲି ଗ୍ରାମରେ ଜଳ ସଙ୍କଟ; ୬ମାସ ହେଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ

ରେଙ୍ଗାଲି: ସାଧାରଣତଃ ଗ୍ରୀଷ୍ମ ଋତୁ ରେ ପାନିୟ ଜଳ ସଙ୍କଟ ଦେଖା ଦେଇଥାଏ। କିନ୍ତୁ ପରିତାପର ବିଷୟ ଯେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ବର ବାସୁପାଲି ଗ୍ରାମବାସୀ ଗତ ୬ ମାସ ହେଲା ପାନିୟ ଜଳ ସଙ୍କଟ ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରତିଷ୍ଠିତ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଗତ ୬ମାସ ହେଲା ଅଚଳ ହୋଇ ପଡିଥିଲେ ହେଁ ଏହାର ମରାମତି କରି କାର୍ଯ୍ୟକ୍ଷମ କରିବା ଦିଗରେ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ପ୍ରାୟ ୩ହଜାର ଜନ ସଂଖ୍ୟା ବିଶିଷ୍ଟ ବାସୁପାଲି ଗ୍ରାମର ଜନ ସାଧାରଣ ସେବାଶ୍ରମ ସ୍କୁଲ ପାଖରେ ଥିବା ଏକମାତ୍ର ନଳକୂପରୁ ପାନୀୟ ଜଳ ସଂଗ୍ରହ କରିବା ପାଇଁ ଲମ୍ବା ଧାଡିରେ ଠିଆ ହୋଇ ରହୁଛନ୍ତି। ଗାଁର ଅନ୍ୟ ପଡାଗୁଡ଼ିକରେ ଥିବା ନଳକୂପରୁ ପାଣି ବାହାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଅଚଳ ହୋଇ ପଡିଥିବା ଗ୍ରାମ୍ୟ ଜଳ ଯୋଗଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏବେଠୁ ପାନିୟ ଜଳ ଯୋଗାଣ ଏଭଲି ସଙ୍କଟ ଜନକ ଅବସ୍ଥା ରେ ଥିବା ବେଳେ ଗ୍ରୀଷ୍ମ ଋତୁ ରେ ପରିସ୍ଥିତି ଆହୁରି ଅସମ୍ଭାଳ ହେବା ନିଶ୍ଚିତ ଅଟେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗ ରେ ଦୃଷ୍ଟି ଦେଇ ତୁରନ୍ତ ଏହି ସମସ୍ୟା ର ପ୍ରତିକାର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

 

ଏସଂକ୍ରାନ୍ତରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମକରଧ୍ୱଜ ନାଏକଙ୍କୁ ପଚରା ଯିବାରୁ ବାସୁପାଲି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ଥିବା ସଂକ୍ରାନ୍ତରେ ମୋ ପାଖକୁ କୌଣସି ସୂଚନା ଆସିନାହିଁ। ରକ୍ଷଣା ବେକ୍ଷଣ ପାଇଁ ପଞ୍ଚାୟତକୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ହସ୍ତାନ୍ତର କରାଯାଇଛି। କେଉଁ କାରଣରୁ ବାସୁପାଲି ଗ୍ରାମ୍ୟ ଜଳ ଯୋଗଣ ପ୍ରକଳ୍ପ ଅଚଳ ହୋଇ ପଡିଛି ସରପଞ୍ଚ ଙ୍କ ସହିତ ଆଲୋଚନା କରି ସମସ୍ୟା ର ପ୍ରତିକାର କରାଯିବ ବୋଲି ଶ୍ରୀ ନାଏକ କହିଛନ୍ତି।

Comments are closed.