ନଈ କୂଳରେ ଖରାଦିନ ଆରମ୍ଭରୁ ପାଣି ସମସ୍ୟା- ପାନୀୟଜଳ ଯୋଗାଣ ଆଶାରେ ଦୁଇଟି ଗ୍ରାମର ବାସିନ୍ଦା

ବାଙ୍କୀ- ବାଙ୍କୀର ୧୩ଟି ପଞ୍ଚାୟତ ଓ ଡମପଡା ବ୍ଲକର ୧୭ଟି ଏବଂ ବାରଙ୍ଗର ୨ଟି ଗ୍ରାମପଞ୍ଚାୟତ ପାଇଁ ଆଗାମୀ ଦିନରେ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ସ୍ଥାନୀୟ କାଳିକା ପ୍ରସାଦ ଠାରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏପର୍ଯ୍ୟନ୍ତ ବାଙ୍କୀର ସମସ୍ତ ଗ୍ରାମକୁ ପାନୀୟଜଳ ସଞ୍ଜୋଗ ତ୍ୱରାନ୍ୱିତ ହୋଇପାରିନାହିଁ । ନଈକୂଳିଆ ଗ୍ରାମବାସୀ ପାନୀୟଜଳ ଶଙ୍କଟରେ ଦହଗଞ୍ଜ ହେଉଛନ୍ତି । ଆଗକୁ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ପ୍ରାୟ ୨୩୬କୋଟି ଟଙ୍କା ବ୍ୟୟ ବରାଦରେ କରାଯାଇଥିବା ସୂଚନା ମିଳିଛି ।

ବୃହତ୍‌ ପାନୀୟଜଳ ଯୋଗାଣ ପ୍ରକଳ୍ପ ଆଶାରେ ଏବେ ଜଳକଷ୍ଟ ସହୁଛନ୍ତି ପାଥପୁର ପଞ୍ଚାୟତର ୨ଗ୍ରାମବାସୀ । ମହାନଦୀ କୂଳରେ ଅବସ୍ଥିତି କଇଁମୁଣ୍ଡି ଗାଁ ପ୍ରାୟ ୨୫୦ପରିବାର ବିଶିଷ୍ଟ ୧୩୦୦ଜନସଂଖ୍ୟା ପାଇଁ ଗାଁରେ ରହିଛି ମାତ୍ର ୬ଟି ନଳକୂଅ । ଗୋଟିଏ କାର୍ଯ୍ୟକ୍ଷମ ହେଉନଥିଲା ବେଳେ ୫ଟି ନଳକୂଅରେ ମେଣ୍ଟୁନାହିଁ ଗ୍ରାମବାସୀଙ୍କ ଶୋଷ । ଏବେ ପ୍ରଚଣ୍ଡ ଖରାରେ ନଳକୂଅ ଗୁଡିକର ଜଳସ୍ତର ତଳକୁ ଚାଲିଯାଇଥିବାରୁ ଜଳଶଙ୍କଟ ବଢିଛି । ସ୍ୱାଧୀନତାର ୭୫ବର୍ଷ ପରେବି ଏ ଗାଁକୁ ହୋଇପାରିନାହିଁ ପାନୀୟ ପାଇପ ଜଳ ଯୋଗାଣ ବ୍ୟବସ୍ଥା । ଲୋକମାନଙ୍କ ଅଭିଯୋଗ କ୍ରମରେ ପ୍ରକଳ୍ପଟି କାର୍ଯ୍ୟକାରୀ କରିବା ପାଇଁ ବୋରେଓଲ ଖନନ କରାଯାଇଛି । କଇଁମୁଣ୍ଡି ଓ ଚାରିଘେରିଆ ୨ଗ୍ରାମକୁ ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ୧କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବିତ ପ୍ରକଳ୍ପଟି କାର୍ଯ୍ୟକାରୀ ନହୋଇପାରି ବିଭାଗୀୟ ନାଲିଫିତା ତଳେ ବନ୍ଧା ପଡିଛି ।

ଆଗାମୀ ଦିନରେ ବାଙ୍କୀ ପାଇଁ କାଳିକା ପ୍ରସାଦ ଠାରେ ନିର୍ମାଣ ହେବାକୁ ଥିବା ବୃହତ୍‌ ପାନୀୟଜଳ ଯୋଗାଣ ପ୍ରକଳ୍ପ ଆଶାରେ ବିଭାଗୀୟ କାର୍ଯ୍ୟ ମାନ୍ଦା ପଡିଥିବା ହେଉଥିବା ଶୁଣିବାକୁ ମିଳୁଛି । ସେହିପରି ଏହି ପଞ୍ଚାୟତ ଅଧିନ ଡମପଡା-ଚନ୍ଦକା ଅଭୟାରଣ୍ୟର ପାହାଡତଳି ଗାଁ ଚାରିଘରିଆ । ଏଠି ପ୍ରାୟ ୬୦ପରିବାର ଅନୁସୂଚୀତ ଜନଜାତି ସମ୍ପ୍ରଦାୟର ଗରୀବ ଦିନମଜୁରୀଆ ବାସ କରୁଥିଲାବେଳେ ଅନ୍ୟଏକ ସାହିରେ ୯୦ପରିବାରର ସାଧାରଣ ଓ ସବର୍ଣ୍ଣ ବର୍ଗର ଅଧିବାସୀ ବସବାସ କରନ୍ତି । କୃଷି ଉପରେ ଏମାନଙ୍କର ଜୀବନ ଜିବିକା । ଗାଁକୁ ନାହିଁ ପାଇପ ଜଳ ଯୋଗାଣ । କଇଁମୁଣ୍ଡି ପରି ସମାନ ସ୍ଥିତି ଏଗାଁର । ସବର ସାହି ପାଇଁ ରହିଛି ୨ଟି ନଳକୂଅ ଏବଂ ସାଧାରଣ ସବର୍ଣ୍ଣ ସାହି ପାଇଁ ୩ଟି କରି ମୋଟ ୫ଗୋଟି ନଳକୂଅ ଏଗାଁରେ । ୧୬୦ରୁ ୨୦୦ପରିବାର ବିଶିଷ୍ଟ ଗାଁଟିକୁ ୫ଟି ନଳକୂଅ ଶୋଷ ମେଣ୍ଟାଉନାହିଁ । ପ୍ରଚଣ୍ଡ ଖରାରେ ନଳକୂଅ ପର୍ଯ୍ୟାପ୍ତ ପାଣି ଦେଉନାହିଁ । ଏପରିକି ୨୦ରୁ ୩୦ଥର ହାଣ୍ଡେଲ ମାରିଲେ ପାଣି ଆସିବା ପରିସ୍ଥିତି ଆସୁଛି । ସବୁଠାରୁ ଦୁଃଖର କଥା ଅନୁସୂଚୀତ ଜନଜାତି ସାହିର ଲୋକମାନେ ନିକଟସ୍ଥ ପାଟ ଏବଂ ପାଟ ନିକଟ ବହୁ ପ୍ରାଚୀନ ଅପରିଷ୍କାର ଖୋଲା କୂଅରୁ ନିଜର ପାନୀୟ,ସ୍ନାନ ଆଦି କାର୍ଯ୍ୟପାଇଁ ଜଳ ବ୍ୟବହାର କରନ୍ତି । ପରିସ୍ଥିତିରେ ଅପରିଷ୍କାର ଜଳ ବ୍ୟବହାର ହେତୁ ଅନୁସୂଚୀତ ଜନଜାତି ସାହିର ଲୋକମାନେ ଚର୍ମ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ବଢିଛି । ବୃହତ ପାନୀୟଜଳ ଯୋଗାଣ ଆଶାରେ ୨ଗ୍ରାମବାସୀ ଦହଗଞ୍ଜ ହେଉଥିବା ଅଭିଯୋଗ ହେଉଛି ।

Comments are closed.