ନବରଙ୍ଗପୁର ସହରବାସୀଙ୍କ ଶୋଷ ମେଣ୍ଟାଉଛି ପାଣିବୁହା ଟ୍ୟାଙ୍କର ଗାଡି

ସହରରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା

ନବରଙ୍ଗପୁର: ନବରଙ୍ଗପୁର ସହରରେ ଏବେ ଦେଖାଦେଇଛି ପାଣିର ଉତ୍କଟ ସମସ୍ୟା। ପାଣି ପାଇଁ ସହରବାସୀଙ୍କୁ ଅପେକ୍ଷା କରିବାକୁ ପଡୁଅଛି ପାଣିବୁହା ଟ୍ୟାଙ୍କରକୁ । ସବୁଠୁ ଆଶ୍ଚର୍ୟ୍ୟର ବିଷୟ ହେଲା ଗ୍ରାମଞ୍ଚଳର ଲୋକେ କେଉଁଠି ଝରଣା ପାଣି ତ କେଉଁଠି ଚୁଆ ପାଣିରେ ଶୋଷ ମେଣ୍ଟାଉଥିବା ଦୃଶ୍ୟ ପ୍ରାୟତଃ ଦେଖିବାକୁ ଓ ଶୁଣିବାକୁ ମିଳୁଥିଲା । କିନ୍ତୁ ଏଠି ଲୋକେ ଗରା ହାଣ୍ଡି ଧରି ଏକ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଏ କୌଣସି ଗ୍ରାମଞ୍ଚଳର ନୁହେଁ । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ସଦର ମହକୁମାର । ନବରଙ୍ଗପୁର ପୌରପାଳିକା ଅନ୍ତର୍ଗତ ପ୍ରାୟ ସମସ୍ତ ୱାର୍ଡରେ ଆଜି ଏହି ଅବସ୍ଥା । ପାନୀୟ ଜଳ ଏକ ବଡ଼ ସମସ୍ୟା ହେଇ ଉଭା ହେଲାଣି। ୧୭ ଗୋଟି ୱାର୍ଡକୁ ନେଇ ଗଠିତ ନବରଙ୍ଗପୁର ମୁନିସିପାଲଟିରେ ପିଇବା ପାଣି ପାଇଁ ଏବେ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଛି। ପ୍ରଥମେ କିଏ ପାଣି ନେବ ସେ ନେଇ ମଧ୍ୟ ପ୍ରତିଯୋଗିତା ଲାଗି ରହୁଛି। ଜଳ ଯୋଗାଣ ବିଭାଗ ତରଫରୁ କରାଯାଇଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ ଲୋକଙ୍କ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପାଣି ଆସି ପାରୁନାହିଁ। ତେଣୁ ସହର ସାରା ବିଭିନ୍ନ ଅଞ୍ଚଳରେ ୧ ହଜାର ଲିଟର ପାଣି କ୍ଷମତା ରଖୁଥିବା ପ୍ରାୟ ୫୮ ଟି ପାଣି ଟାଙ୍କି ମଧ୍ୟ ରଖାଯାଇଛି। କିନ୍ତୁ ଦୁର୍ଭାଗ୍ୟ ଏହା ଦ୍ୱାରା ମଧ୍ୟ ପାନୀୟ ଜଳର ସମସ୍ୟା ଦୂର ହେଇ ପାରୁନାହିଁ। ଏବେ ସହରବାସୀଙ୍କ ଶୋଷ ମେଣ୍ଟାଉଛି ପାଣିବୁହା ଗାଡି, ପାଣି ଟେଙ୍କର।

୧୭ଟି ୱାର୍ଡ ପାଇଁ ରହିଛି ମାତ୍ର ୫ ଟି ପାଣି ବୁହା ଗାଡି, ସେଥି ମଧ୍ୟରୁ କେବଳ ଗୋଟିଏ ସରକାରଙ୍କ ନିଜସ୍ୱ ଥିବା ବେଳେ ଆଉ ୪ ଗୋଟି ଭଡା ସୂତ୍ରରେ ଜଳ ଯୋଗାଣ ବିଭାଗ ତରଫରୁ ଅଣାଯାଇଛି। ୨୦୧୧ ଜନଗଣନା ଅନୁସାରେ ନବରଙ୍ଗପୁର ମୁନିସିପାଲଟିରେ ଜନ ସଂଖ୍ୟା ଥିଲା ୩୦ ହଜାର ୪୧, ଯାହା ଆଜି ୨୦୨୧ ବେଳକୁ ପ୍ରାୟ ୪୦ ହଜାର ରୁ ଉର୍ଦ୍ଧ୍ବ ହେଇଥିବା ଅନୁମାନ କରାଯାଇପାରେ। ଅତି ଦୁଃଖର ବିଷୟ ୪୦ ହଜାର ଲୋକଙ୍କ ପାଇଁ ମାତ୍ର ୫ ଟି ପାଣିବୁହା ଗାଡି ରେ ପିଇବା ପାଣି ଯୋଗାଇ ଦିଆଯାଉଛି। କରନା କାଳରେ ସରକାର ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରୁଥିବା ବେଳେ, କିନ୍ତୁ ପିଇବା ପାଣି ଟୋପାଏ ପାଇଁ ସହର ବାସୀ ଏବେ ସମସ୍ତ ନିୟମକୁ ଉଲଂଘନ କରି ନାହିଁ ନଥିବା ଭିଡ଼ ଜମାଉଥିବାର ଦେଖିବାକୁ ମିଳୁଛି, ସମଗ୍ର ପୋୖରାଞ୍ଚଳର ପିଇବା ପାଣି ପାଇଁ ଆବଶ୍ୟକତା ରହିଛି ପ୍ରାୟ ୨୪ ଲକ୍ଷ ଲିଟର କିନ୍ତୁ ବିଭାଗ ତରଫରୁ ମାତ୍ର ୧୫ ଲକ୍ଷ ଲିଟର ପାଣି ହିଁ ଲୋକଙ୍କୁ ଯୋଗାଇ ଦିଆଯାଇ ପାରୁଛି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ପିଇବା ପାଣିର ଏଇ ସମସ୍ୟା ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ପୋୖରାଞ୍ଚଳର ଲୋକେ ।

ସେହିପରି ସହରର ଇଚ୍ଛାବତୀଗୁଡା, ଦଶହରା ପଦା, ଦାରୁବଂଧ ସାହି ଭଳି ଅନେକ ଜାଗାରେ ଏବେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଲାଣି । ଏଇ ପାଣିବୁହା ଗାଡି ଲୋକଙ୍କର ସାହା ଭରସା ପାଲଟିଛି । ଲୋକେ ମଧ୍ୟ ଅଧିକ ସଂଖ୍ୟକ ପାଣି ବୁହା ଗାଡି ଦାବି କରୁଛନ୍ତି । ଏହି ସମସ୍ୟାକୁ ନେଇ ଆମେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଲାଗି ରହିଥିବା ପାନୀୟ ଜଳର ସମସ୍ୟା କଥାକୁ ସ୍ୱୀକାର କରିଛନ୍ତି । ବିଭାଗକୁ ଅଧିକ ସଂଖ୍ୟକ ଗାଡି ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।ଇନ୍ଦ୍ରାବତୀ ନଦୀ କୂଳରେ ଏକ ବିରାଟ ଜଳ ବିଶୋଧନାଗାର ପ୍ରକଳ୍ପଟିର କାର୍ୟ୍ୟ ଚାଲୁରହିଛି କିନ୍ତୁ ଏଇ ଲକଡାଉନ ପାଇଁ କିଛି ମାତ୍ରାରେ କାମ ବାକି ରହିଯାଇଛି। ଏଇ ପ୍ରକଳ୍ପଟି କାର୍ୟ୍ୟକ୍ଷମ ହେଇଗଲେ ଇନ୍ଦ୍ରାବତୀ ନଦୀର ପାଣିକୁ ବିଶୋଧନ କରାଯାଇ ଲୋକଙ୍କୁ ଯୋଗେଇ ଦିଆଜିବ ଏହା ଦ୍ୱାରା ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଯୋଗେଇ ଦିଆଯାଇ ପାରିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏଇ ପ୍ରକଳ୍ପଟି କାର୍ୟ୍ୟକ୍ଷମ କରିବା ନେଇ ଜୋରସୋରରେ କାର୍ୟ୍ୟ ଜାରି ରହିଥିବା କହିଛନ୍ତି ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜିତ ରାୟ ।

Comments are closed.