କିଲାଦୁଆ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା, ଲୋକେ ପିଉଛନ୍ତି ଦୂଷିତ ଚୁଆଁପାଣି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର କିଲାଦୁଆ ଗ୍ରାମ। ଏଠାରେ ୭ଟି ଆଦିବାସୀ ପରିବାରର ପ୍ରାୟ ୩୫ ଜଣ ମହିଳା ଓ ପୁରୁଷ ବାସ କରନ୍ତି। ଏମାନଙ୍କ ପାଇଁ ପାନୀୟ ଜଳ ପାଲଟିଛି ସାତସପନ। ଗ୍ରାମରେ ଆଦୌ ନଳକୂପ ନାହିଁ। ବର୍ଷସାରା ଏମାନେ ନିର୍ଭର କରନ୍ତି ଗ୍ରାମଠାରୁ ଅଧା କିଲୋମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ଚୁଆଁ ଉପରେ। ଦୂଷିତ ଚୁଆଁର ଜଳ ଗ୍ରାମବାସୀଙ୍କର ଏକମାତ୍ର ଭରସା। ଏହି ଜଳକୁ ବ୍ୟବହାର କରିବା ଦ୍ୱାରା ଗ୍ରାମର ଅଧିକାଂଶ ଲୋକେ ବିଭିନ୍ନ ସମୟରେ ପେଟ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି। ଚୁଆଁର ଦୂଷିତ ଜଳକୁ ଲୋକେ ରୋଷେଇ, ପାନୀୟ, ଗାଧୋଇବା, ବାସନ ମାଜିବା, ଲୁଗାପଟା ସଫା କରିବା ଆଦି କାର୍ଯ୍ୟରେ ଦୈନନ୍ଦିନ ବ୍ୟବହାର କରୁଥିବା କହିଛନ୍ତି ଲଳିତା ରଇତ, ମେରୀ ରଇତ, ଜନନୀ ରଇତ, ଶୁସାନ୍ତ ରଇତ, କିରାତ ରଇତ। ଖରାଦିନେ ଏହି ଚୁଆଁର ପାଣି ଶୁଖି ଯାଉଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ଖରାଦିନକୁ ଆଖି ଆଗରେ ରଖି ତୁରନ୍ତ ନଳକୂପ ଖନନ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

Comments are closed.