ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗାଁ ଲୋକ

୭ ଦିନ ମଧ୍ୟରେ ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ

ଗୁଡଭେଲା : ନଦୀ ଖଣ୍ଡୀରେ ବାସ କରିଥିଲେ ମଧ୍ୟ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକ। ପିଇବା ପାଣିର ସ୍ଥାୟୀ ସମାଧାନ ନ କଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରି ବସିବୁ ବୋଲି ଗୁଡଭେଲା ବ୍ଳକ ବିରାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସନ୍ଧିସରା ଗାଁ ଲୋକ ଚେତାବନୀ ଦେଇଛନ୍ତି। ଏହି ଗାଁରେ ୧୫୦ ଟି ପରିବାର ଥିବାବେଳେ ୫୮୫ ହେଉଛି ଗାଁର ଜନସଂଖ୍ୟା । ଗାଁର ମାଟିରୁ ୧/୨ ଫୁଟ ଭିତରେ ପଥର ଚଟାଣ ପଟୁ ଥିବାରୁ ୬ଟି ନଳକୂପ ସହ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଫେଲ ମାରିଛି । ଯାହା ଦ୍ୱାରା ତେଲ ନଦୀରୁ ୧ କିଲୋମିଟର ଦୂରତାରୁ ପାଣି ଆଣି ଲୋକେ ହଇରାଣ ହେଇଥାନ୍ତି । ଏହି ସମସ୍ୟା ପାଇଁ ଗ୍ରାମ ପଞ୍ଚାୟତଠାରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ପର୍ୟ୍ୟନ୍ତ ଗ୍ରାମ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ତଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୄଶ । ଯାହା ଗ୍ରାମବାସୀଙ୍କ ଅସନ୍ତୋଷର କାରଣ ସାଜିଛି । ଖରା ମାସରେ ଗ୍ରାମ ପଞ୍ଚାୟତ ତରଫରୁ ଟ୍ୟାଙ୍କର ଯୋଗେ ୨ରୁ ୩ ମାସ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପିଇବା ପାଣି ଗାଁ ପାଇଁ ବର୍ଷ ସାରା ସମସ୍ୟା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବଲାଙ୍ଗୀର ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗମୀ ଦିନରେ ଭୋଟ ବର୍ଜନ କରି ଏକ ବଡ଼ ଆନ୍ଦୋଳନ କରିବାକୁ ସଜ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

Comments are closed.