ନାସା ବୈଜ୍ଞାନିକଙ୍କ ଦାବି; ମଙ୍ଗଳ ଗ୍ରହ ଭୂପୃଷ୍ଠ ତଳେ ଲୁଚି ରହିଛି ପାଣି

ୱାଶିଂଟନ: ଆମେରିକା ମହାକାଶ ସଂସ୍ଥା ନାସାର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପାଣି ରହିଥିବା ଦାବି କରିଛନ୍ତି। ମଙ୍ଗଳର ଭୂପୃଷ୍ଠ ତଳେ ପ୍ରାଚୀନ ପାଣି ଲୁଚି ରହିଛି। ନାସା ପକ୍ଷରୁ ଏକ ଅଧ୍ୟୟନରେ ଏପରି ଘୋଷଣା କରାଯିବା ସହିତ ପୂର୍ବରୁ ଏକ ଥିଓରିରେ କରାଯାଇଥିବା ଦାବିକୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି। ମଙ୍ଗଳ ଗ୍ରହର ସମସ୍ତ ପାଣି ମହାକାଶରେ ଉଡ଼ିଯାଇଥିବା ପୂର୍ବରୁ ଏକ ଥିଓରିରେ ଦର୍ଶାଯାଇଥିଲା।

କାଲିଫର୍ନିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏବଂ ନାସାର ଜେଟ୍‌ ପ୍ରୋପଲଶନ ଲାବରେଟୋରି (ଜେପିଏଲ)ର ବୈଜ୍ଞାନିକମାନଙ୍କ ଦ୍ବାରା ହୋଇଥିବା ଏହି ଅଧ୍ୟୟନ ସାଇନ୍ସ ଜର୍ନାଲରେ ପ୍ରକାଶ ପାଇଛି। ଏଥିରେ ଦାବି କରାଯାଇଛି ଯେ, ମଙ୍ଗଳ ଗ୍ରହରେ ଗଚ୍ଛିତ ରହିଥିବା ପାଣି ଗ୍ରହରେ ଥିବା ଖଣିଜ ଏବଂ ଭୂପୃଷ୍ଠ ଭିତରେ ରହିଛି।

ଅନ୍ୟ କିଛି ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ୪୦୦ କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଏତେ ପରିମାଣରେ ପାଣି ରହିଥିଲା ଯେ, ଏଠାରେ ସମଗ୍ର ଗ୍ରହରେ ୧୦୦ରୁ ୧୫୦୦ ମିଟର ଗଭୀର ସମୁଦ୍ର ସୃଷ୍ଟି ହୋଇପାରିଥାନ୍ତା। ଗ୍ରହରେ ଚୁମ୍ବକୀୟ ଶକ୍ତି ନଷ୍ଟ ହୋଇଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏହା ପରେ ଗ୍ରହର ବାତାବରଣ ନଷ୍ଟ ହେବାକୁ ଲାଗିଥିଲା, ଏହି କାରଣରୁ ଗ୍ରହର ପାଣି ବି ଶେଷ ହୋଇଯାଇଛି ଏବଂ କୋଟି କୋଟି ବର୍ଷ ପରେ ବି ଆଜି ଗ୍ରହ ଶୁଖିଲା ପଡ଼ିଛି।

ଅଧ୍ୟୟନର ମୁଖ୍ୟ ଗବେଷକ ଇଭା ସ୍କେଲର କୁହନ୍ତି ଯେ, ମଙ୍ଗଳ ଗ୍ରହର ଉପରି ଭାଗରେ କିଚି ଖଣିଜ ରହିଛି, ଯାହାର କ୍ରିଷ୍ଟାଲ ଷ୍ଟ୍ରକ୍‌ଚର ଭିତରେ ପାଣି ଗଚ୍ଛିତ ରହିଛି। ସ୍କେଲର ଯେଉଁ ମଡେଲ ପ୍ରସ୍ତୁତ କରିଛନ୍ତି, ତାହା ଅନୁସାରେ ୩୦ରୁ ୯୯ ପ୍ରତିଶତ ପାଣି ଏହି ଖଣିଜ ଭିତରେ ରହିଛି।

ମଙ୍ଗଳ ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବଂ ଅନ୍ୟ ଉପଗ୍ରହଗୁଡ଼ିକରୁ ମିଳିଥିବା ତଥ୍ୟକୁ ଅଧ୍ୟୟନ କରିବା ପରେ ଏହି ଦାବି କରିଛନ୍ତି। ସ୍କେଲର କହିଛନ୍ତି, ମଙ୍ଗଳ ଗ୍ରହରେ କିଛି ପାଣି ନଷ୍ଟ ହୋଇଯାଇଥିବ ଅଥବା ଗାୟବ ହୋଇଯାଇଥିବ, କିନ୍ତୁ ଅଧିକାଂଶ ପାଣି ଏବେ ବି ଗ୍ରହରେ ରହିଛି।

Comments are closed.