ଜଳବନ୍ଦୀ ଆଶଙ୍କା: ବର୍ଷାଜଳ ନିଷ୍କାସନ ପାଇଁ ପ୍ରତିକାର କରାଯାଉ

ଭୁବନେଶ୍ୱର: ରାଜ୍ୟରେ ପ୍ରବେଶ କରିସାରିଛି ମୌସୁମୀ। ଆଗକୁ ତୁହାକୁ ତୁହା ବର୍ଷାରେ ଜଳାର୍ଣ୍ଣବ ହେବ ରାଜଧାନୀର ବିଭିନ୍ନ ଅଞ୍ଚଳ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ୪ନମ୍ବର ୱାର୍ଡର ବିଭିନ୍ନ ଗ୍ରାମ ଜଳବନ୍ଦୀ ହେଉଛି। ଏବେ ଲଘୁଚାପ ଜନିତ ବର୍ଷା ଯୋଗୁ ନଖରା, ନୂଆପାଟଣା, ବଙ୍ଗୁଆରୀ, ସାହାବାଦ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ହଂସପାଳ, ରୁଦ୍ରପୁର, ଜୟପୁର, ପାହାଳ, ଜୋହଳ, ଓ କୁଣ୍ଡିତରାପାଟଣା ଗ୍ରାମଗୁଡ଼ିକ କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ୍, ଜାତୀୟ ରାଜପଥ-୧୬, ପୁରୁଣା ଜଗନ୍ନାଥ ସଡ଼କ, ନିଆଳୀ-ମାଧବ ରାସ୍ତା ଓ ପ୍ରାଚୀ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇନାହିଁ। ଫଳରେ ଜୁନ୍ ମାସରେ ରୁଦ୍ରପୁର, ହରିଦାସପୁର, ବଙ୍ଗୁଆରୀ, ପାହାଳ ଓ ନୂଆପାଟଣା ଗହୀର ଅଞ୍ଚଳ ଦୂଷିତ ଜଳବନ୍ଦୀ ହୋଇଛି। ଏହି ଦୂଷିତଜଳ ଯୋଗୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏହି ଅଞ୍ଚଳରୁ ଜଳନିଷ୍କାସନ ପାଇଁ ବିଧାୟକଙ୍କ ଗହଣରେ ପୌର କମିଶନର ବିଗତ ଦିନରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଥିଲେ।
‘ଅମ୍ଫନ’ ବାତ୍ୟା ସମୟରେ ବିଧାୟକ ସୁଶାନ୍ତ କୁମାର ରାଉତ ରୁଦ୍ରପୁର ସହ ଜଳବନ୍ଦୀ ହୋଇଥିବା ସମସ୍ତ ଗ୍ରାମକୁ ପରିଦର୍ଶନରେ ଯାଇ ଲୋକଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ। ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବିଏମ୍‌ସି ତରଫରୁ ଜାତୀୟ ରାଜପଥ ପ୍ରାଧିକରଣକୁ ପତ୍ର ସଂଖ୍ୟା-୩୦୫୯୩, ତା ୦୨.୧୧.୨୦୧୯ ଓ ପତ୍ର ସଂଖ୍ୟା ୨୨୦୨୨, ତାରିଖ ୦୯.୦୬.୨୦୨୦ରେ ଜାତୀୟ ରାଜପଥ ପାର୍ଶ୍ବରେ ଡ୍ରେନ୍ ନିର୍ମାଣ ଅନୁମତି ପାଇଁ ପତ୍ର ଲେଖାଯାଇଥିଲା। ତେବେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଏହି ୱାର୍ଡ଼ର ଜାତୀୟ ରାଜପଥ ପାର୍ଶ୍ବରେ ଲକ୍ଷେଶ୍ୱର ଗହୀର, ସାହାବାଦ, ରୁଦ୍ରପୁର, କୁଣ୍ଡିତରାପାଟଣା, ହଂସପାଳ ଭୋଇସାହି, ପାହାଳ, ନହରକଣ୍ଟା ଅଞ୍ଚଳ ଜଳମଗ୍ନ ହେଉଛି। ଏହି ୱାର୍ଡ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମର ରାସ୍ତା ପାର୍ଶ୍ବରେ ଡ୍ରେନ୍ ନିର୍ମାଣ କରାଯିବା ଜରୁରୀ ହୋଇପଡ଼ିଛି। ପ୍ରାଚୀ ନଦୀ ଓ ପାରମ୍ପରିକ ବର୍ଷା ଜଳ ନିଷ୍କାସନ ପଥ ଅବରୋଧ ମୁକ୍ତ କରିବା ଦରକାର। ପୁର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ ମନ୍ତ୍ରୀ, ସାଂସଦ, ବିଧାୟକ ସମେତ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ବର୍ଷାଜଳ ନିଷ୍କାସନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୃଷ୍ଟି ଆକର୍ଷଣ କରିଛନ୍ତି। ବର୍ଷା ଜନିତ ଆପାତକାଳୀନ ସ୍ଥିତିରେ ପାଣି ପମ୍ପ ପକାଇ ଜଳ ନିଷ୍କାସନ ବ୍ୟବସ୍ଥାର ପ୍ରହସନ ସୃଷ୍ଟି କରାଯାଉଛି, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ସମ୍ପ୍ରତି ବିିଶ୍ୱରେ କରୋନା ସଂକ୍ରମଣ ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ନିର୍ଦେଶ ଦେଇଛନ୍ତି। ୪ ନମ୍ବର ୱାର୍ଡର ପରିମଳ ବ୍ୟବସ୍ଥା ଉନ୍ନତିକରଣ ସହ ଅଞ୍ଚଳରୁ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପାଦନ କରାଯିବା ଆବଶ୍ୟକ। ଏହି ୱାର୍ଡ ଅନ୍ତର୍ଗତ ସମସ୍ତ ଗ୍ରାମରେ ବର୍ଷାଜଳ ନିଷ୍କାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ସରକାରଙ୍କୁ ନିବେଦନ କରିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଜଳସମ୍ପଦ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ଅଧିକାରୀ, ଭୁବନେଶ୍ୱର ସାଂସଦ, ଭୁବନେଶ୍ୱର ଉତ୍ତର ବିଧାୟକ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ୍‌ଦାରର ଏବଂ ଜଳବନ୍ଦୀ ହେଉଥିବା ପ୍ରତି ଗ୍ରାମରୁ ଦୁଇଜଣ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ତୁରନ୍ତ ଆୟୋଜନ କରି ସେହି ବୈଠକର ନିର୍ଯ୍ୟାସ ଆଧାରରେ ଅଞ୍ଚଳକୁ ଜଳବନ୍ଦୀରୁ ମୁକ୍ତ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Comments are closed.