ପ୍ରଚଣ୍ଡ ତାତି, ୯୧ ଜଳଭଣ୍ଡାର ପାଣି ୨୦% ହ୍ରାସ

ନୂଆଦିଲ୍ଲୀ : ପଶ୍ଚିମ ଏବଂ ଉତ୍ତର ଭାରତର କେତେକ ରାଜ୍ୟର ଜଳ ଭଣ୍ଡାରର ପାଣି ଗତ ୧୦ ବର୍ଷର ହାରଠାରୁ ବି ତଳକୁ ଖସି ଆସିଛି। କେନ୍ଦ୍ର ଜୟ ଆୟୋଗ (ସିଡବ୍ଲ୍ୟୁସି) ମଙ୍ଗଳବାର ଏହି ସୂଚନା ଦେଇଛି। ସିଡବ୍ଲ୍ୟୁସି ଅନୁସାରେ ମେ’ ୩୦ ସପ୍ତାହର ଶେଷ ସୁଦ୍ଧା ଦେଶର ୯୧ଟି ପ୍ରମୁଖ ଜଳଭଣ୍ଡାରର ଜଳସ୍ତର ୩୧.୬୫ ଶହ କ୍ୟୁବିକ ମିଟର ଥିଲା ଓ ଏହା ମୋଟ ଜଳ ସଂରକ୍ଷଣ କ୍ଷମତାର ମାତ୍ର ୨୦% ଅଟେ। ମେ’ ୨୩ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୨୧% ଥିଲା। ହିମାଚଳପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ତାମିଲନାଡୁର ପ୍ରମୁଖ ଜଳଭଣ୍ଡାରରେ ଗତବର୍ଷ ଏହି ସମୟରେ ଜଳସ୍ତର ୩୦%ରୁ ଅଧିକ ଥିଲା। ଏବେ ସମସ୍ତ ଜଳଭଣ୍ଡାରରେ ଜଳସ୍ତର ବହୁ ତଳକୁ ଖସି ଆସିଛି। ରାଜସ୍ଥାନ, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ କେରଳରେ ପ୍ରମୁଖ ଜଳଭଣ୍ଡାରର ଜଳସ୍ତର ଗତ ବର୍ଷ ତୁଳନାରେ ବହୁ ତଳକୁ ଖସିଯାଇଛି। କେବଳ କର୍ଣ୍ଣାଟକର ଜଳଭଣ୍ଡାରରେ ଜଳସ୍ତର ଅପରିବର୍ତ୍ତିତ ରହିଛି।
ଗୁଜୁରାଟ ଏବଂ ମହାରାଷ୍ଟ୍ର ସମେତ ପଶ୍ଚିମାଞ୍ଚଳରେ ୨୭ଟି ପ୍ରମୁଖ ଜଳଭଣ୍ଡାର ଅଛି। ଏଗୁଡ଼ିକର ମୋଟ କ୍ଷମତା ହେଉଛି ୩୧.୨୬ ଶହ କ୍ୟୁବିକ ମିଟର (ବିସିଏମ)। ସିଡବ୍ଲ୍ୟୁସି ଅନୁସାରେ ଏବେ ଏହି ଜଳାଶଳୟରେ ମୋଟ ୩.୫୩ ବିସିଏମ ଜଳ ରହିଛି। ଏହା ମୋଟ ଜଳ ସଂରକ୍ଷଣର କ୍ଷମତାର ମାତ୍ର ୧୧% ଅଟେ। ଗତ ବର୍ଷ ଏହି ସମୟରେ ୧୫% ଜଳ ଗଚ୍ଛିତ ଥିଲା। ଏହି ଅବଧି ମଧ୍ୟରେ ୧୦ ବର୍ଷ ହେବ ଗଚ୍ଛିତ ଜଳର ହାର ହେଉଛି ୧୯%। ଅର୍ଥାତ ଜଳଭଣ୍ଡାରରେ ଗଚ୍ଛିତ ଜଳ ୧୦ ବର୍ଷର ହାରଠାରୁ ବି ତଳକୁ ଖସି ଆସିଛି।

Comments are closed.