ତାମିଲନାଡୁରେ ଜଳାଭାବର ପ୍ରତିବାଦ : ରାଜ୍ୟବ୍ୟାପୀ ଡିଏମକେର ବିକ୍ଷୋଭ ପ୍ରଦର୍ଶନ

ଚେନ୍ନଇ : ତାମିଲନାଡୁରେ ଉତ୍କଟ ଜଳାଭାବ ପ୍ରସଙ୍ଗକୁ ନେଇ ଡିଏମକେ ପକ୍ଷରୁ ଶନିବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ କର୍ମୀମାନେ ହାତରେ ଖାଲି ପ୍ଲାଷ୍ଟିକ ବୋତଲ ଧରି ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ଚେନ୍ନଇର ପୂର୍ବତନ ମେୟର ଏମ. ସୁବ୍ରମଣ୍ୟମଙ୍କ ନେତୃତ୍ବରେ ଡିଏମକେ କ୍ୟାଡରମାନେ ଜାଫରଖାନେଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିଲେ। ସୁବ୍ରମଣ୍ୟମ କହିଛନ୍ତି ସମଗ୍ର ରାଜ୍ୟ ଉତ୍କଟ ଜଳାଭାବରେ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି। ବାହାରୁ ସହରକୁ ଜଳ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଶୁକ୍ରବାର କହିଛନ୍ତି। ପୂର୍ବରୁ କାହିଁକି ଏହି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହା କେବଳ ରାଜ୍ୟ ସରକାରଙ୍କ ଅପ୍ରସ୍ତୁତିର ପରିଣତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଯୋଗ ଶିବିରର ଆୟୋଜନ କରାଉଛନ୍ତି। ଅନ୍ୟପଟେ ସ୍ଥାନୀୟ ଲୋକେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶୁକ୍ରବାର ଜଳାଭାବ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଇ. କେ. ପଲାନିସ୍ବାମୀ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏଥିରେ ସେ କହିଥିଲେ ଯେ ସହରର ଭୂତଳ ଜଳସ୍ତର ଅହେତୁକ ହ୍ରାସ ପାଇଛି। ସହର ପାଇଁ ଜଳର ମୁଖ୍ୟ ଉତ୍ସ ଥିବା ୪ଟି ଜଳ ଭଣ୍ଡାର ଶୁଷ୍କ ହୋଇପଡିଛି। ଏହାସତ୍ତ୍ବେ ଦୈନିକ ୫୨୫ ନିୟୁତ ଲିଟର ଜଳ ଚେନ୍ନଇ ମେଟ୍ରୋ ଯୋଗେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି। ଦୈନିକ ଅତିରିକ୍ତ ୨୦୦ ନିୟୁତ ଲିଟର ଜଳ ବିଶୋଧନ ଦ୍ବାରା ଯୋଗାଣ ହେଉଛି। ଏଥିସହ ରେଳ ଟ୍ୟାଙ୍କର ଦ୍ବାରା ଜୋଲାରପେଟ୍ଟାଇରୁ ଜଳ ଅଣାଯିବାର ବ୍ୟବସ୍ଥା କରାଯାଉଛି। କେରଳର ମୁଲାପେରିୟାର ଡ୍ୟାମରେ ଅଧିକ ଜଳ ସଂରକ୍ଷିତ ରଖିବାକୁ ତାମିଲନାଡୁ ସରକାର ଉଦ୍ୟମ କରୁଛନ୍ତି। କେରଳ ଏଥିନେଇ ଅନୁମତି ଦେଉ ନ ଥିବା ବେଳେ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ପିଲାନିସ୍ବାମୀ ଦର୍ଶାଇଛନ୍ତି। ଜଳାଭାବ କାରଣରୁ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ଥିବ​‌ା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ ଚେନ୍ନଇର ପୋରୁର ହ୍ରଦର ଜଳସ୍ତର ହ୍ରାସ ପାଇବା ପରେ ଦୀର୍ଘ ଦିନ ହେବ ତାମିଲନାଡୁ ଜଳାଭାବ ଦେଇ ଗତି କରୁଛି। ଅନ୍ୟପଟେ ମୌସୁମୀ ଆଗମନରେ ବିଳମ୍ବ ସ୍ଥିତିକୁ ଦୁର୍ବିସହ କରିଛି।

Comments are closed.