ଟିଭି ଦେଖିଲାବେଳେ ଅଧିକ ଖାଇହୁଏ କାହିଁକି?

ସିନେମା ହଲ୍‌ରେ ହେଉ କିମ୍ବା ଘରେ ଲାଗିଥିବା ବଡ଼ ଏଲଇଡି ସ୍କ୍ରିନ୍‌ରେ ଯେତେବେଳେ ଚଳଚ୍ଚିତ୍ରଟିଏ ବସି ସାଙ୍ଗସାଥି କିମ୍ବା ପରିବାର ଲୋକଙ୍କ ସହ ଦେଖିଥାଉ, ପପ୍‌କର୍ଣ୍ଣ ଓ ମୃଦୁପାନୀୟ ସହ ଚିପ୍ସ ଇତ୍ୟାଦିର ଆବଶ୍ୟକତା ପଡ଼େ। କେତେକଙ୍କ ଘରେ ରାତ୍ରିଭୋଜନ ଟିଭି ସମ୍ମୁଖରେ ହିଁ କରାଯାଏ। ସେମାନଙ୍କ ମତରେ ମନୋରଞ୍ଜନ ଓ ପେଟଭର୍ତ୍ତି ଏକାସାଥିରେ ହେବାର ମଜା ଅଲଗା। ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ଅନୁଧ୍ୟାନ ଅନୁସାରେ, ଟିଭି ଦେଖି ଖାଇବା ସମୟରେ ଆମେ ଆବଶ୍ୟକତାଠାରୁ ଅଧିକ ଖାଉ; କାରଣ ଏଇ ସମୟରେ ଆମ ମସ୍ତିଷ୍କ ସ୍ବାଦ ଓ ପେଟ ଭର୍ତ୍ତିକୁ ଗୁରୁତ୍ବ ଦେବା ପରିବର୍ତ୍ତେ ଚଳଚ୍ଚିତ୍ରର କାହାଣୀରେ ନିଜକୁ ହଜାଇଦିଏ। କୌଣସି ଧାରାବାହିକ ଦେଖିବା ସମୟରେ ପ୍ରତ୍ୟେକ ଦୃଶ୍ୟରେ ଏଭଳି ମଜ୍ଜିଯାଉ ଯେ ୨-୩ ପଟ ରୁଟି ଓ ଅଧିକ ଭାତ ଖାଇବା ପରେ ମଧ୍ୟ ଭୋକ ଲାଗେ। ସେହିପରି ସିନେମା ହଲ୍‌ରେ ସାଙ୍ଗସାଥିଙ୍କ ସହ ସିନେମା ଦେଖିବା ସମୟରେ କଫି, ବିଭିନ୍ନ ପ୍ରକାର ପାନୀୟ, ଫାଷ୍ଟଫୁଡ୍‌ ଖାଇବାର ମଜା ଆମେ ନେଇଥାଉ। ନିକଟରେ ବ୍ରିଟେନ୍‌ରେ ୧୫୦ ଲୋକଙ୍କୁ ସାମିଲ କରାଯାଇ ଅନୁଧ୍ୟାନ କରାଯାଇଥିଲା। ୧୧୧ଜଣ ବ୍ୟକ୍ତି ଟିଭିରେ ସିନେମା ଦେଖିବା ସମୟରେ ଅଧିକ ପରିମାଣରେ ଖାଇଥିବାର ପ୍ରକାଶ। ଏଣୁ ବିଶେଷଜ୍ଞଙ୍କ ମତ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ସହ ଫିଟ୍ ରହିବାକୁ ଚାହଁୁଥିଲେ, ଟିଭି ଦେଖିବା ସମୟରେ ଖାଇବାର ଅଭ୍ୟାସକୁ ବନ୍ଦ କରିବା ଉଚିତ।

Comments are closed.