ନୂଆ ନିୟମ: ପାନୀୟ ଜଳ ନଷ୍ଟ କଲେ ୧ ଲକ୍ଷ ଟଙ୍କା ଜୋରିମାନା; ୫ ବର୍ଷ ପର୍ଯ୍ୟନ୍ତ ଜେଲ

ନୂଆଦିଲ୍ଲୀ: ପେୟ ଯୋଗ୍ୟ ଜଳ (ପାନୀୟ ଜଳ) ନଷ୍ଟ କରୁଛନ୍ତି କି ? ଆପଣଙ୍କ ପାଣି ଟାଙ୍କିରୁ ଅନବରତ ପାଣି ଝରୁଛି କି? ଷ୍ଟାଣ୍ଡ ପୋଷ୍ଟରୁ ଜଳଧାରା ବନ୍ଦ କରୁନାହାନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ । ସରକାରୀ ସଂସ୍ଥାରୁ ଯୋଗାଯାଉଥିବା ଜଳ, ଭୂତଳ ଜଳ ବା ପାନୀୟ ଜଳର ଅପଚୟକୁ ଏଣିକି ଅପରାଧ ଭାବରେ ବିବେଚନା କରାଯିବ । ପୂର୍ବରୁ ଭାରତ​‌ରେ ଜଳ ଅପଚୟ ପାଇଁ କୌଣସି ଦଣ୍ଡର ବ୍ୟବସ୍ଥା ନ ଥିଲା । ଘର ଟାଙ୍କିରୁ ପାଣି ବୋହିବାକୁ କେହି ଗୁରୁତ୍ଵ ଦେଉ ନ ଥିଲେ । ଟ୍ୟାଙ୍କରରେ ପାଣି ଯୋଗାଣ ବେଳେ ବହୁ ପାନୀୟ ଜଳ ନଷ୍ଟ ହେଉଥିଲା । ମାତ୍ର ଏବେ ଏପରି ଅପଚୟ କଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଯିବାକୁ ପଡ଼ିପାରେ । ଏ ନେଇ ସିଜିଡ଼ବ୍ଲ୍ୟୁଏ (କେନ୍ଦ୍ରୀୟ ଭୂତଳ ଜଳ ପ୍ରାଧିକରଣ)    ନିର୍ଦେଶନାମା ଜାରି କରିଛନ୍ତି ।

କେନ୍ଦ୍ରୀୟ ଭୂତଳ ଜଳ ପ୍ରାଧିକରଣ ଏ ସମ୍ପର୍କରେ ଦେଶର ବିଭିନ୍ନ ରାଜ୍ୟକୁ ମଧ୍ୟ ନିର୍ଦେଶନାମା ପଠାଇଛି । ପରିବେଶ ସୁରକ୍ଷା ଅଧିନିୟମ ୧୯୮୬ ଆଧାରରେ ଜଳର ଅନାବଶ୍ୟକ ବ୍ୟବହାର ଓ ଅପଚୟକୁ ରୋକିବା ପାଇଁ ନୂତନ ନିୟମ ପ୍ରଣୟନ କରିଛନ୍ତି । ଜଳ ବୋର୍ଡ଼, ଜଳ ନିଗମ, ଜନସ୍ବାସ୍ଥ୍ୟ ବିଭାଗ, ବିଭିନ୍ନ ପୌର କର୍ତ୍ତୃପକ୍ଷ, ବିଭିନ୍ନ ରାଜ୍ୟର ବିକାଶ ପ୍ରାଧିକରଣକୁ ମଧ୍ୟ ଏଥିନିମନ୍ତେ ନିର୍ଦେଶ ଦିଆଯାଇଛି । ସେହିପରି ପୌର କର୍ତ୍ତୃପକ୍ଷ ତାଙ୍କ ଅଞ୍ଚଳ​‌​‌ରେ ପାନୀୟ ଜଳର ଅପଚୟ ହେଉ ନ ଥିବା ଓ ଅନାବଶ୍ୟକ ବ୍ୟବହାର ହେଉ ନ ଥିବା ନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ । ଏହାବ୍ୟତୀତ ଯେଉଁମାନେ ପାନୀୟ ଜଳ ବ୍ୟବହାର କରୁଛନ୍ତି ସେମାନେ ତାହାର ଅପଚୟ କରୁ ନ ଥିବା ନେଇ ମଧ୍ୟ ସତ୍ୟପାଠ ଯୋଗେ ଅବଗତ କରିବେ ।

ସୂଚନାଯୋଗ୍ୟ ଯେ ଗତ ୨୦୧୯ ଜୁଲାଇ ୨୪ରେ ରାଜେନ୍ଦ୍ର ତ୍ୟାଗୀ ଓ କିଛି ସ୍ଵେଚ୍ଛାସେବୀ ସଙ୍ଗଠନ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିକଟରେ ଜଳ ଅପଚୟ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ଏନଜିଟି ନିର୍ଦେଶରେ କେନ୍ଦ୍ରୀୟ ଭୂତଳ ଜଳ ପ୍ରାଧିକରଣ ଏଥିନେଇ ପଦକ୍ଷେପ ଗ୍ରହଣ କରିଛି ।

Comments are closed.