ଚଳିତ ସିଜିନ୍‌ରେ ବିଜୟ ହଜାରେ, ଦୁଲିପ, ଦେଓଧର ଟ୍ରଫି ବାତିଲ ହେଉ : ୱାସିମ ଜାଫର୍‌

ମୁମ୍ବଇ : ଚଳିତ ସିଜିନ୍‌ରେ ବିଜୟ ହଜାରେ, ଦୁଲିପ ଓ ଦେଓଧର ଟ୍ରଫି ଭଳି ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିବାକୁ ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର୍‌ ୱାସିମ୍‌ ଜାଫର୍‌।
ଏକ ଗଣମାଧ୍ୟମକୁ ସୂଚନା ଦେଇ ଜାଫର୍‌ କହିଥିଲେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନର କୌଣସି ଆବଶ୍ୟକତା ନାହିଁ। ଚଳିତ ସିଜିନ୍‌ରେ ବିଜୟ ହଜାରେ, ଦୁଲିପ ଓ ଦେଓଧର ଟ୍ରଫି ବାତିଲ କରି ରଣଜୀ ଓ ସୟଦ ମୁସ୍ତାକ୍‌ ଅଲ୍ଲି ଟ୍ବେଣ୍ଟି୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ୍‌ ଆୟୋଜନ ଉପରେ ବିିସିସିଆଇ ଗୁରୁତ୍ବ ଦେବା ଆବଶ୍ୟକ। ଆସନ୍ତା ଅଗଷ୍ଟରୁ ଘରୋଇ କ୍ରିକେଟ୍‌ ସିରିଜ୍‌ ଆୟୋଜିତ ହେବାର ଅଛି। ତେବେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ଘରୋଇ କ୍ରିକେଟ୍‌ ସିଜିନ୍ ଆରମ୍ଭ ହେବା ନେଇ କୌଣସି ନିଶ୍ଚିତତା ନାହିଁ। ବିସିସିଆଇ ପରିସ୍ଥିତି ଉପରେ ନଜର ରଖିଛି। ଯଦି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିିସିସିଆଇକୁ ଅନୁମତି ମିଳେ ତେବେ ଆଇପିଏଲ୍‌ ଆୟୋଜନକୁ ବିସିସିଆଇ ପ୍ରାଥମିକତା ଦେବା ନିଶ୍ଚିତ। ଆଇପିଏଲ୍‌ ଆୟୋଜନ ତାରିଖ ନିଶ୍ଚିତ ହେବା ପରେ ବିସିସିଆଇ ତରଫରୁ ଅନ୍ୟାନ୍ୟ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉପରେ ନିଷ୍ପତ୍ତି ନିଆଯିବ। ଚଳିତ ସିଜିନ୍‌ରେ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ କମ୍‌ ସମୟରେ ମିଳିବାକୁ ଥିବାରୁ କେତେକ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯିବାରେ କୌଣସି ଅସୁବିଧା ନାହିଁ। କ୍ରିକେଟର୍‌ମାନେ ଲକ୍‌ଡାଉନ୍‌ କାରଣରୁ ଦୀର୍ଘଦିନ ହେବ ପଡ଼ିଆରେ ଅଭ୍ୟାସ ନ କରି ଘରେ ରହିଥିବାରୁ ସେମାନଙ୍କୁ ହଠାତ ଅଧିକ ସଂଖ୍ୟକ ମ୍ୟାଚ୍‌ ଖେଳିବାକୁ କହିବା ଅନୁଚିତ୍‌ ବୋଲି ଜାଫର୍‌ କହିଛନ୍ତି।

Comments are closed.