ସୁନ୍ଦରଙ୍କୁ କରୋନା; ଦିନିକିଆ ଶୃଙ୍ଖଳା ଖେଳି ନ ପାରନ୍ତି

ଚେନ୍ନଇ: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଥିବା ବେଳେ ୨୨ ବର୍ଷ ବୟସ୍କ ସୁନ୍ଦର କରୋନା ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ସୁନ୍ଦର ବେଙ୍ଗାଲୁରୁରେ ସଂଗରୋଧରେ ରହିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ସୁନ୍ଦରଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟିହୋଇଛି। ଗତ କିଛିଦିନ ହେଲା ଭାରତୀୟ ଟେଷ୍ଟ ଦଳରେ ନଥିବା ଏବଂ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା କ୍ରିକେଟର ମୁମ୍ବଇରେ ଅଭ୍ୟାସ କରୁଛନ୍ତି। ସେମାନେ ୨/୩ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ଅଛି। ତେବେ ଏତେ କମ୍‌ ସମୟରେ ସୁନ୍ଦର ସୁସ୍ଥହୋଇ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଯିବାର ସମ୍ଭାବନା ବହୁତ କମ୍‌। ମୁମ୍ବଇରୁ ଏକ ସ୍ବତନ୍ତ୍ର ବିମାନରେ ଦିନିକିଆ ଦଳର ଖେଳାଳି ଦକ୍ଷିଣ ଅାଫ୍ରିକା ଯିବାର କାର୍ଯ୍ୟକ୍ରମ ରହିଛି। ହେଲେ ସୁନ୍ଦର ସେମାନଙ୍କ ସହ ଯିବାର ସମ୍ଭାବନା ମଧ୍ୟ କମ୍। ଯଦି ସମୟରେ ସୁନ୍ଦର ସୁସ୍ଥ ହୋଇଯାଆନ୍ତି; ତେବେ ତାଙ୍କୁ ଏକୁଟିଆ ଦକ୍ଷିଣ ଆଫ୍ରିକା ଯିବାକୁ ପଡ଼ିପାରେ। ହେଲେ ଏହାର ସମ୍ଭାବନା ମଧ୍ୟ କମ୍ ଲାଗୁଛି। ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ସୁନ୍ଦର ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ହେଲେ ଗତ ବିଜୟ ହଜାରେ ଟ୍ରଫିରେ ତାମିଲନାଡ଼ୁ ପାଇଁ ସୁନ୍ଦର ଭଲ ପ୍ରଦର୍ଶନ କରିଥିଲେ। ତାମିଲନାଡ଼ୁ ଫାଇନାଲ ଖେଳିଥିଲା। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ମ୍ୟାଚ୍‌ଗୁଡ଼ିକ ୧୯, ୨୧ ଓ ୨୩ରେ ଖେଳିବ।

Comments are closed.