‘ଟାଇମ୍‌ ସେନ୍‌ସିଟିଭ୍‌ ଟାର୍ଗେଟିଂ’ରେ ସୋଲେମାନିଙ୍କୁ ହତ୍ୟା

ଦମ୍‌ ଦେଖାଇଲା ‘ରିପର୍‌’ ବିମାନ ଓ ‘ହେଲଫାୟାର୍‌’ କ୍ଷେପଣାସ୍ତ୍ର

ୱାଶିଂଟନ୍‌ : ଇରାନ ଜେନେରାଲ କାସିମ୍‌ ସୋଲେମାନିଙ୍କୁ ହତ୍ୟା ପାଇଁ ଆମେରିକା ଏକ ସ୍ବତନ୍ତ୍ର ବିମାନ ବ୍ୟବହାର କରିଥିଲା। ‘ଦି ରିପର’ ନାମକ ଏହି ୬୪ନିୟୁତ ଡଲାର ମୂଲ୍ୟର ଯୁଦ୍ଧବିମାନର ଡେଣାର ଲମ୍ବ ୨୦ମିଟର ଲେଖାଏଁ ଥିଲା। ଏହି ବିମାନ ସୋଲେମାନିଙ୍କୁ ଠାବ କରିବାର ମାତ୍ର ୧୦ମିନିଟ ମଧ୍ୟରେ ହତ୍ୟା କରିଥିଲା। ସୋଲେମାନିଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆମେରିକା ତଥ୍ୟ ହାସଲ କରିଥିଲା। ସେହି ଅନୁସାରେ ଉକ୍ତ ବିମାନକୁ ନିୟୋଜିତ କରିଥିଲା; ଯାହା ସୋଲେମାନି ବାଗଦାଦ ବିମାନବନ୍ଦରରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ଉପରେ ଟିକିନିଖି ନଜର ରଖିଥିଲା। ସୋଲେମାନି ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ତାଙ୍କ ଆୟୁଷ ଧାର୍ଯ୍ୟ ହୋଇସାରିଥିଲା।

ସୋଲେମାନି ଲେବାନନ୍‌ ରାଜଧାନୀ ବିରୁଟ୍‌ରୁ ବିମାନଯୋଗେ ବାଗଦାଦ ଆସିଥିଲେ। ବିରୁଟ୍‌ରୁ ହିଁ ଆମେରିକା ତାଙ୍କ ଉପରେ ନଜର ରଖିଥିଲା। ତାଙ୍କ ଗତିପଥ ଉପରେ ଡ୍ରୋନ୍‌ ମାଧ୍ୟମରେ ଅତି ସନ୍ତର୍ପଣରେ ଜଗି ରହିଥିଲା ଆମେରିକା। ଜେନେରାଲ ଅଟୋମିକ୍ସ ଦ୍ବାରା ନିର୍ମିତ ଉକ୍ତ ଡ୍ରୋନ୍‌ ଆତଙ୍କବାଦୀଙ୍କୁ ନିପାତ କରିବାରେ ଅନେକ ସମୟରେ ବ୍ୟବହୃତ ହୋଇଥାଏ। ଏହି ଡ୍ରୋନ୍‌ର ସନ୍ଦେଶ ଅନୁସାରେ ‘ରିପର’ ସୋଲେମାନିଙ୍କ କାର୍‌କୁ ନିଶାଣ କରିଥିଲା। ଲେଜର୍‌ ପରିଚାଳିତ ଆକାଶମାର୍ଗରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ ହେଉଥିବା ‘ହେଲ୍‌ଫାୟାର’ କ୍ଷେପଣାସ୍ତ୍ର ଏହି ବିମାନ (ଡ୍ରୋନ୍‌)ରେ ଖଞ୍ଜା ଯାଇଥିଲା। ରିପର୍‌ରେ ଖଞ୍ଜାଯାଇଥିବା କ୍ୟାମେରା ଏତେ ଶକ୍ତିଶାଳୀ ଥିଲା ଯେ ଏହା ସୋଲେମାନିଙ୍କୁ କାର୍‌ ଭିତରେ ତାଙ୍କ ପୋଷାକରୁ ଚିହ୍ନଟ କରିଥିଲା ଓ ସେହି ଅନୁସାରେ ଆକ୍ରମଣ କରିଥିଲା। ବିମାନବନ୍ଦରରୁ ବାହାରି ଦୁଇଟି କାର୍‌ରେ ସୋଲେମାନି ଓ ଅନ୍ୟ ଅଧିକାରୀମାନେ ଯାଉଥିବାବେଳେ ସୋଲେମାନିଙ୍କ କାର୍‌ ଆଗରେ ଥିଲା। କିଛି ମୁହୂର୍ତ୍ତରେ ଏହା ପଛକୁ ଆସିଯାଇଥିଲା। ଏହି ସମୟରେ ସେଠାରେ କୌଣସି ସର୍ବସାଧାରଣ ନ ଥିବା ଏବଂ ଅନ୍ୟ କାହାରି ଗାଡ଼ି ନ ଥିବା ଦେଖି ପ୍ରଥମ କାର୍‌କୁ ଲକ୍ଷ୍ୟକରି ଦୁଇଟି ‘​‌େ​‌ହଲ୍‌ଫାୟାର’ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ନିଶାଣ, ସମୟ ଓ ପ୍ରତିଫଳ ମଧ୍ୟରେ ଅପୂର୍ବ ସମନ୍ବୟ ରଖାଯାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି; ମରୁ ଅଞ୍ଚଳରେ ଏହି ଡ୍ରୋନ୍‌କୁ କେହି ସହଜରେ ଲକ୍ଷ୍ୟ କରିପାରି ନ ଥିଲେ। ଆମେରିକୀୟ ଗୁଇନ୍ଦାଙ୍କର ଏ କ୍ଷେତ୍ରରେ ସର୍ବାଧିକ ଅବଦାନ ରହିଥିଲା।

ପୂର୍ବରୁ ଆମେରିକା ପ୍ରଥମଥର ପାଇଁ ସମାନ ଧରଣର ‘ଟାଇମ୍‌ ସେନ୍‌ସିଟିଭ୍‌ ଟାର୍ଗେଟିଂ’ କୌଶଳ ପ୍ରୟୋଗ କରିଥିଲା ୧୯୪୩ ଏପ୍ରିଲ ୧୮ରେ। ଆମେରିକା ବାୟୁସେନାର ୪ ପି-୩୮ ଇଣ୍ଟରସେପ୍ଟର ବିମାନ ଜାପାନର ଆଡମିରାଲ ଇସୋରୋକୁ ୟାମାମୋଟୁଙ୍କୁ ନେଇ ଯାଉଥିବା ବିମାନକୁ ପର୍ଲ ହାର୍ବର ଅଞ୍ଚଳରେ ମାରି ଖସାଇ ଦେଇଥିଲା। ଏହି ଆକ୍ରମଣ ପାଇଁ ଆମେରିକୀୟ ବିମାନ ୪୩୫ ମାଇଲ ଉଡ଼ାଣ ଭରିଥିଲା। ‘ପର୍ଲ ହାର୍ବର ଆକ୍ରମଣ’ ନାମରେ ଏହି ଅଭିଯାନ ପ୍ରସିଦ୍ଧ। ୨୦୧୫ ନଭେମ୍ବରରେ କୁଖ୍ୟାତ ଆଇଏସ୍‌ ଆତଙ୍କବାଦୀ ଜିହାଦି ଜନ୍‌ଙ୍କୁ ହତ୍ୟା କରିବା ପାଇଁ ଆମେରିକା ରିପର ବିମାନରେ ହେଲଫାୟାର କ୍ଷେପଣାସ୍ତ୍ରର ସଫଳ ଉପଯୋଗ କରିଥିଲା। ସିରିଆର ରାକାଠାରେ ଏକ କାର୍‌ରେ ଯାଉଥିବାବେଳେ ଜିହାଦି ଜନ୍‌ ଏହି କ୍ଷେପଣାସ୍ତ୍ର ମାଡ଼ରେ ନିହତ ହୋଇଥିଲା।

Comments are closed.