ବାବର ଖାଲ୍‍ସା ପ୍ରତି ସତର୍କତା ଜାରି କଲା ଆମେରିକା

0

ୱାଶିଂଟନ୍‍ : ବିଚ୍ଛିନ୍ନତାବାଦୀ କାର୍ଯ୍ୟକ୍ରମ ଚଳାଇଥିବା ଶିଖ ଉଗ୍ରବାଦୀ ଅନୁଷ୍ଠାନ ବାବର ଖାଲ୍‍ସା ପଟୁ ବିପଦ ଆଶଙ୍କା ପୂର୍ବକ ଏଥିପ୍ରତି ସତର୍କତା ଜାରି କରିଛି ଆମେରିକା ପ୍ରଶାସନ। ବୋମାମାଡ଼ ଓ ହତ୍ୟା ଭଳି କାଣ୍ଡ ଘଟାଉଥିବା ଏହି ସଂଗଠନ ଦେଶବିଦେଶରେ ଆମେରିକାର ରାଜନୈତିକ, ଆର୍ଥିକ ଓ ସାମାଜିକ ସ୍ୱାର୍ଥ ପ୍ରତି ବିପଦ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ପ୍ରକାଶିତ ନୂଆ ‘ଆତଙ୍କବାଦ ନିରୋଧୀ ଜାତୀୟ ଯୋଜନା’ ଶୀର୍ଷକ ରିପୋର୍ଟରେ ଏହା ଦର୍ଶାଯାଇଛି। କିଛି କାଳ ଧରି ଏହି ସଂଗଠନ ଆମେରିକା ମାଟିକୁ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପର ପ୍ରୋତ୍ସାହନ ପାଇଁ ବ୍ୟବହାର କରୁଥିବା ନେଇ ଭାରତ ସରକାର ଆମେରିକାର ଦୃଷ୍ଟି ଆକର୍ଷଣ କରିଥିଲେ।
ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ ପ୍ରକାଶିତ ଉପରୋକ୍ତ ରିପୋର୍ଟରେ କେତେକ ମୁସଲମାନ ଓ ବାମପନ୍ଥୀ ଉଗ୍ରବାଦୀ ସଂଗଠନ ପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରାଯିବାକୁ କୁହାଯାଇଛି। ଏହି ସଂଗଠନଗୁଡ଼ିକ ଆମେରିକା ମାଟିରେ ଶୋଭାଯାତ୍ରା, ସଭାସମିତି ଭଳି କାର୍ଯ୍ୟକ୍ରମ ଚଳାଇଛନ୍ତି। ଆମେରିକା ସରକାରଙ୍କ ଆତଙ୍କବାଦ ଦମନ କାର୍ଯ୍ୟକ୍ରମକୁ ମଧ୍ୟ ଏହି ସଂଗଠନଗୁଡ଼ିକ ବିରୋଧ କରୁଛନ୍ତି। ବାବର ଖାଲ୍‍ସା ଇଣ୍ଟରନ୍ୟାସନାଲ ହିଂସାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ଭାରତକୁ ବିଭାଜିତ କରି ସ୍ୱତନ୍ତ୍ର ଶିଖ ରାଷ୍ଟ୍ର ଗଠନ ଉଦ୍ୟମ ଚଳାଇଛି। ପୂର୍ବରୁ ଭାରତ ମାଟିରେ ପ୍ରବଳ ରକ୍ତପାତ ଘଟାଇଥିବା ଏହି ସଂଗଠନ ଏବେ ବିଦେଶରେ; ବିଶେଷକରି ଆମେରିକା, ଇଂଲଣ୍ଡ ଓ କାନାଡ଼ାରେ ନିଜର ଅଭିଯାନ ଜାରି ରଖିଛି। ଉତ୍ତର ଆମେରିକାରେ ସାମାନ୍ୟ ସମର୍ଥନ ପାଉଥିବା ଏହି ସଂଗଠନକୁ ଭାରତ ସମେତ ଉପରୋକ୍ତ ରାଷ୍ଟ୍ରରେ ନିଷିଦ୍ଧ ଘୋଷଣା କରାଯାଇଛି।

Leave A Reply