ବିନା ଢ଼ାଲରେ ଯୋଦ୍ଧା: ହାତରେ ନାହିଁ ଗ୍ଲୋଭ୍ସ, ମୁହଁରେ ରଙ୍ଗରଙ୍ଗିଆ ମାସ୍କ

ଭୁବନେଶ୍ବର: ପୁଲିସକୁ ରାଜ୍ୟ ସରକାର ଦେଇଛନ୍ତି କରୋନା ଯୋଦ୍ଧାର ମାନ୍ୟତା । କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।  ହେଲେ କରୋନା ଲଢ଼େଇର ଛାମୁଆଁ ଯୋଦ୍ଧା କୁହାଯାଉଥିବା ପୁଲିସ ହାତରେ ନା ଅଛି ଗ୍ଲୋଭ୍ସ, ନା ମୁହଁରେ ଅଛି ଉପଯୁକ୍ତ ସୁରକ୍ଷା ଦେଇ ପାରୁଥିବା ମାସ୍କ । ସବୁ ପୁଲିସ ତ ମାସ୍କ ପିନ୍ଧିଥିବା ଦେଖାଯାଉଛି, ହେଲେ କାହା ମୁହଁରେ କଳା ତ କାହା ମୁହଁରେ ନେଳିଆ । ସବୁ ସାଧାରଣ ମାସ୍କ। କରୋନା ସଂକ୍ରମଣରୁ ସୁରକ୍ଷା ଦେଇ ପାରୁଥିବା ଏନ୍-୯୫ ମାସ୍କ କେଉଁ ପୁଲିସ ପିନ୍ଧିଥିବା କେଉଁଠି ଦେଖାଯାଉ ନାହିଁ । ରାଜଧାନୀରେ ଯେତେବେଳେ ଏହି ଅବସ୍ଥା ସେତେବେଳେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଓ ଉପାନ୍ତରେ କରୋନା ମୁକାବିଲାରେ ଯୋଦ୍ଧାଙ୍କ ଅବସ୍ଥା କିପରି ହୋଇଥିବ ତାହା ସହଜେ ଅନୁମେୟ ।

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍, ମାସ୍କ, ଗ୍ଲୋଭ୍ସ ମହଜୁଦ ଥିବା କଥା କହିଛନ୍ତି । ଏପରିକି ସାମଗ୍ରୀ ରଖିବା ନିମନ୍ତେ ସ୍ଥାନାଭାବ ଯୋଗୁଁ ଓଡ଼ିଶାକୁ ଆସିଥିବା ଟ୍ରକ୍ ଟ୍ରକ୍ କୋବିଦ ସୁରକ୍ଷା ସାମଗ୍ରୀ ଫେରାଇ ଦିଆଯାଇଥିବା ମଧ୍ୟ ଗଣମାଧ୍ୟମରେ ଚର୍ଚିତ ହୋଇଛି । ଗତ ଏପ୍ରିଲ ୬ ତାରିଖରେ ରାଜ୍ୟ ସରକାର ୨୦ ଲକ୍ଷ ଏନ୍-୫ ମାସ୍କ ସହ ପିପିଇ କିଟ୍ ଓ ତ୍ରିସ୍ତରୀୟ ମାସ୍କ କିଣିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିରୁ କିଛି ସାମଗ୍ରୀ ଓଡ଼ିଶାରେ ପହଞ୍ଚିଥିଲା, କିଛି ସାମଗ୍ରୀ ଫେରାଇ ଦିଆଗଲା । ପରବର୍ତୀ ସମୟରେ ଗତ ୮ ତାରିଖରେ କୋବିଦ ସାମଗ୍ରୀ କିଣିବା ନେଇ କରାଯାଇଥିବା ବିଜ୍ଞପ୍ତିକୁ ବାତିଲ କରାଗଲା ଏସବୁ ପ୍ରସଙ୍ଗ ଭିନ୍ନ । ମାତ୍ର କରୋନା ଲଢ଼େଇରେ ଯୋଦ୍ଧାଙ୍କ ନିମନ୍ତେ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ପ୍ରଦାନ ହିଁ ସମୟ ଓ ସ୍ଥିତି ଅନୁସାରେ ସବୁଠାରୁ ବଡ଼ ପ୍ରାସଙ୍ଗିକତା । ଏତେ ସବୁ ସାମଗ୍ରୀ ରାଜ୍ୟ ସରକାର କିଣିଥିବା ସତ୍ତ୍ବେ ଯୋଦ୍ଧା କୁହାଯାଉଥିବା ପୁଲିସକୁ ସୁରକ୍ଷା ଉପକରଣ ଦିଆଯାଇଛି କି ନାହିଁ ତାହା ବଡ଼ ପ୍ରଶ୍ନ । ଏଇଥିପାଇଁ ଯେ କରୋନା ଯୋଦ୍ଧାଙ୍କ ପାଇଁ ଲୋକଙ୍କୁ ତାଳି ମାରିବାକୁ, ଘଣ୍ଟ ପିଟିବାକୁ, ସେମାନଙ୍କ ଲାଗି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆମେ ଯେତେବେଳେ ପ୍ରେରିତ ହୋଇଛୁ ସେତେବେଳେ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବା ସ୍ବାଭାବିକ ଭାବରେ ଜରୁରୀ ।

ଏହି ପ୍ରସଙ୍ଗ ଉଠିଛି ସେତିକି ବେଳେ ଯେତେବେଳେ ପୁଲିସ କର୍ମଚାରୀମାନେ ରାସ୍ତାରେ ପଡ଼ିଥିବା ସାଧାରଣ ଲୋକଟିକୁ ସହାୟତା ନିମନ୍ତେ ପଛଘୁଞ୍ଚା ଦେଇଛନ୍ତି କରୋନା ସଂକ୍ରମଣ ଭୟ ଯୋଗୁଁ । ସ୍ବାଭାବିକ ଭାବରେ ଏହି ଭୟ ରହିବା କଥା । ମାତ୍ର ରାସ୍ତାରେ ପଡ଼ିଥିବା ଗରିବ ଓ ଅସହାୟ ଲୋକଟିର ଭୂଲ କେଉଁଠି ?

ଘଟଣାଟି ଘଟିଛି ଦୁଇଦିନ ତଳେ ରାଜଧାନୀର ଛାତି ଉପରେ ।  ସିଆରପି ଛକରୁ ଏକାମ୍ରକାନନ ଆଡକୁ ଯାଇଥିବା ରାସ୍ତାର ସିଆରପିଏଫ୍‌ ଗେଟ ନଂ-୧ର ନିକଟରେ ଫୁଟପାଥ ଉପରେ ଜଣେ ରବିବାର ଜଣେ ଯୁବକ ଅସହାୟ ଅବସ୍ଥାରେ ପଡିଥିଲା। ଦେହରେ ମାତ୍ର ଦୁଇଖଣ୍ଡି ଗାମୁଛା। କରୋନା ଭୟରେ କେହି ତାଙ୍କଠାରେ ହାତ ଲଗାଇଲେ ନାହିଁ । ଜଣେ ସହୃଦୟ ବ୍ୟକ୍ତି ଏ ସମ୍ପର୍କରେ ପୁଲିସ କଂଟ୍ରୋଲ ରୁମକୁ ଖବର ଦେଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଲା, ମାତ୍ର ସେମାନେ ସମ୍ପୃକ୍ତ ଯୁବକଙ୍କୁ ଛୁଇଁବାକୁ ସାହସ କଲେ ନାହିଁ । ଏ ସମ୍ପର୍କରେ ସେମାନେ ଆମ୍ବୁଲାନ୍ସକୁ ଖବର ଦେବାକୁ ପରାମର୍ଶ ଦେଇ ଚାଲିଗଲେ । ଶେଷରେ ଆମ୍ବୁଲାନ୍ସକୁ ଖବର ଦିଆଗଲା, ଆମ୍ବୁଲାନ୍ସ ଆସିବା ପୂର୍ବରୁ ସମାଜ ରିଲିଫ୍ କମିଟିର ଦୁଇ ସଦସ୍ୟ ମଧୁ ସୂଦନ ଦାସ ଓ ଡ଼ାକ୍ତର ମମତା ପ୍ରଧାନ ସେଠାରେ ପହଞ୍ଚି ଯୁବକଙ୍କୁ ଡ଼ାକ୍ତରଖାନା ନେବାକୁ ବ୍ୟବସ୍ଥା କରିଥିଲେ । ପରେ ଆମ୍ବୁଲାନ୍ସରେ ତାଙ୍କୁ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା । ସମ୍ପୃକ୍ତ ଯୁବକଙ୍କ ଠିକଣା ଜଣା ପଡ଼ି ନ ଥିଲେ ହେଁ ତାଙ୍କ ନାମ ସ୍ମୃତିରଞ୍ଜନ ପଟ୍ଟନାୟକ ବୋଲି ସୂଚନା ମିଳିଛି ।

ଏହି ପ୍ରସଙ୍ଗର ଅବତାରଣାର ଉଦ୍ଦେଶ୍ୟ ହେଉଛି କରୋନା ଲଢ଼େଇର ଛାମୁଆ ଯୋଦ୍ଧା ପୁଲିସ ବି କରୋନାକୁ ନେଇ ଭୟଭୀତ । ଉପଯୁକ୍ତ ସୁରକ୍ଷା ସାମଗ୍ରୀ ଅଭାବ ଯୋଗୁଁ ସେମାନେ ରାସ୍ତାରେ ପଡ଼ିଥିବା ସାଧାରଣ ଲୋକକୁ ସହାୟତା କରିବାକୁ ଡ଼ରୁଛନ୍ତି । ପୂର୍ବରୁ ଦୁର୍ଘଟଣାରେ ଆହତ ଜଣେ ଡ଼୍ରାଇଭରକୁ ସହାୟତା କରିବାକୁ ଯାଇ କିଛି ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହେବାର ଉଦାହରଣ ଥିବାରୁ ଏପରି ଭୟ ଆସିବା ସ୍ବାଭାବିକ । ତେବେ ପୁଲିସ କରୋନା ସୁରକ୍ଷା ଉପକରଣ ପାଇବାକୁ ହକଦାର କି ନୁହେଁ ତାହା ଆଉ ଏକ ବିତର୍କ ସୃଷ୍ଟି କରିଛି । ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ କିଟ୍) ସରକାର ଦେଇଛନ୍ତି କି ନାହିଁ ତାହା ଆଉ ଏକ ପ୍ରଶ୍ନ ।

ଏ ସମ୍ପର୍କରେ ‘ସମାଜ ଲାଇଭ୍’ ପକ୍ଷରୁ ଦ୍ଵୈତ ନଗରୀ ପୁଲିସ କମିଶନରଙ୍କ ମତାମତ ନିଆଯିବାକୁ ଉଦ୍ୟମ କରାଯାଇଥିଲେ ହେଁ ତାହା ସଫଳ ହୋଇପାରି ନାହିଁ । ତେବେ କିଛି ତଳିଆ ପୁଲିସ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ କିଟ୍)  ଯୋଗାଇ ଦିଆଯାଇ ନ ଥିବା କହିଛନ୍ତି ।  ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଫୋନ୍ ଉଠାଇ ନ ଥିବାରୁ ଏ ସମ୍ପର୍କରେ ତାଙ୍କ ମତାମତ ନିଆଯିବା ମଧ୍ୟ ସମ୍ଭବ ହୋଇନାହିଁ।

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେବଳ ସ୍ବାସ୍ଥ୍ୟ କର୍ମୀଙ୍କ ଭିନ୍ନ ଅନ୍ୟ କୌଣସି କରୋନା ଯୋଦ୍ଧାଙ୍କ ନିମନ୍ତେ ପିପିଇ ଖରିଦ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସ୍ବାସ୍ଥ୍ୟ କର୍ମୀମାନେ ଯେହେତୁ ଡ଼ାକ୍ତରଖାନାରେ ରୋଗୀ ସେବାରେ ଲିପ୍ତ ଅଛନ୍ତି ସେମାନଙ୍କୁ ପିପିଇ କିଟ୍ ଦିଆଯିବା ବ୍ୟବସ୍ଥା ଅଛି, ମାତ୍ର ପୁଲିସ ଓ ଅନ୍ୟ କରୋନା ଯୋଦ୍ଧାମାନଙ୍କୁ ଗ୍ଲୋଭ୍ସ, ମାସ୍କ ଆଦି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ସୂଚନା ମିଳିଛି । ଅନୁରୂପ ଭାବରେ  କମିଶନରେଟ ପୁଲିସକୁ କିଛି ପରିମାଣରେ  ଗ୍ଲୋଭ୍ସ ମାସ୍କ ପ୍ରଦାନ କରାଯାଇଛି ଓ ଜରୁରୀ ଆବଶ୍ୟକତା ନିମନ୍ତେ ମାସ୍କ, ଗ୍ଲୋଭ୍ସ, ସାନିଟାଇଜର ଆଦି କିଣିବା ପାଇଁ ଅର୍ଥ ମଞ୍ଜୁର କରାଯାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।

ଏହି ପରିସ୍ଥିତିରେ କରୋନା ଯୋଦ୍ଧାର ମାନ୍ୟତା ପାଇଥିବା କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ କେବେ ସୁରକ୍ଷା ଉପକରଣ ମିଳିବ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇ ସୃଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ ଏହି ସାମଗ୍ରୀ ପୁଲିସକୁ ଦିଆଯାଇଛି କି ନାହିଁ? ଯଦି ଦିଆଯାଇଛି ତେବେ ପୁଲିସ କାହିଁକି   ସାଧାରଣ ଲୋକଙ୍କୁ ସହାୟତା ଦେବାକୁ କୁଣ୍ଠାବୋଧ କରୁଛି ? ଭୟ ନା ଦାୟିତ୍ବ ଏଡ଼ାଇବାର ମାନସିକତା ?? ଆଉ ଯଦି ସରକାର ଏହି ସାମଗ୍ରୀ ଯୋଗାଇ ଦେଇ ନାହାନ୍ତି ତେବେ ପରିସ୍ଥିତି ଆଉ କେତେ ଗମ୍ଭୀର ହେଲେ କରୋନା ଯୋଦ୍ଧାଙ୍କୁ ମିଳିବ ସୁରକ୍ଷା ସାମଗ୍ରୀ ???

 

Comments are closed.