କରୋନା କାଳରେ ଛାତ୍ରଛାତ୍ରୀଙ୍କୁ ନେଇ ସତର୍କତା

ମହାମାରୀକୁ ଭୟ କରି କେତେଦିନ ଅବା ଘରେ ରହିହେବ? ଜନସାଧାରଣ ଏବେ ଏଇ ମତାମତ ଦେଇ କ୍ରମଶଃ ଦୈନନ୍ଦିନ ଜୀବନଶୈଳୀକୁ ସ୍ବାଭାବିକ କରିବାକୁ ଚେଷ୍ଟାରତ। ଯେଉଁ କେତେ ପ୍ରାନ୍ତରେ କଟକଣା କୋହଳ ହୋଇଛି, ସେଠାରେ ବିଦ୍ୟାଳୟ ମଧ୍ୟ ଖୋଲାଗଲାଣି। ୟୁନେସ୍କୋର ସର୍ବେକ୍ଷଣ ଅନୁସାରେ, ଲକ୍-ଡାଉନ୍ କୋହଳ ପରେ ବିଶ୍ବସ୍ତରରେ ଏବେ ୪୦% ବିଦ୍ୟାଳୟ ଖୋଲାଯାଇଛି, କିନ୍ତୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଅପେକ୍ଷାକୃତ କମ୍। ଅଧିକାଂଶ ପ୍ରାନ୍ତରେ ଏବେ ମଧ୍ୟ କର୍ତ୍ତୃପକ୍ଷ ଅନ୍-ଲାଇନ୍ ପାଠପଢ଼ାକୁ ଗୁରୁତ୍ବ ଦେଉଛନ୍ତି। ଚୀନ୍‌, ଯେଉଁଠାରେ କରୋନା ଭାଇରସ୍‌ର ଉତ୍ପତ୍ତି ହୋଇଥିଲା, ବର୍ତ୍ତମାନ ସେଠାରେ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ନିୟମ ପ୍ରଣୟନ କରାଯାଇଛି।

ବିଦ୍ୟାଳୟ ପରିବହନ ବ୍ୟବସ୍ଥାକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି। ଅନ୍ୟପାଖେ ଶ୍ରେଣୀଗୃହରେ ପରସ୍ପରଠାରୁ ୬ ଫୁଟ୍ ଦୂରତାରେ ହିଁ ସେମାନେ ବସିବାର ନିୟମ ରହିଛି।

ଡେନମାର୍କ, ନରୱେ ଆଦି ରାଷ୍ଟ୍ରରେ ବିଦ୍ୟାଳୟମାନ ଖୋଲାଯାଇଥିବାବେଳେ ସାନିଟାଇଜର୍ ଓ ମାସ୍କ ଛାତ୍ରଛାତ୍ରୀ ସାଥିରେ ଆଣିବା ବାଧ୍ୟତାମୂଳକ କରାଯାଇଥିବାର ପ୍ରକାଶ।

ଚୀନ୍‌ର ଉହାନ୍‌‌ କରୋନାର ଉତ୍ପତ୍ତି ସ୍ଥଳ, ଏଠାରେ ଥିବା ହାନ୍‌‌ୟାଙ୍ଗ ନମ୍ବର ୱାନ୍ ବିଦ୍ୟାଳୟ ମୋଟ୍ ୨ହଜାର ଛାତ୍ରଛାତ୍ରୀଙ୍କୁ ଅଗଷ୍ଟରୁ ସ୍ବାଗତ ଜଣାଇଛି। ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ୟାନ୍ ହେନ୍ କହିଛନ୍ତି, ସମସ୍ତ ପ୍ରକାର ସଚେତନତାମୂଳକ ପଦକ୍ଷେପ ନିଆଯିବା ପରେ ବିଦ୍ୟାଳୟ ଖୋଲାଯାଇଛି। ଏଣୁ ସେମାନେ ଆଉ ଭୟଭୀତ ନୁହନ୍ତି।

Comments are closed.