ୱାର୍ଣ୍ଣରଙ୍କ ଆହ୍ବାନ ପାଇଁ ବିରାଟ ପ୍ରସ୍ତୁତ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ତୃତୀୟ ଲିଗ୍‌ ମ୍ୟାଚରେ ସୋମବାର ପୂର୍ବ ଚମ୍ପିଆନ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭେଟାଭେଟି ହେବେ। ଦୁବାଇରେ ଉକ୍ତ ମ୍ୟାଚ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରାରମ୍ଭରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଥିବାବେଳେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟ ଭଲ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ୨୦୧୬ରେ ଆଇପିଏଲର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ସନରାଇଜର୍ସ ହାଇଦ୍ରାବାଦ୍‌ ଦଳରେ କେନ୍‌ ୱିଲିୟମସନ, ଡେଭିଡ୍‌ ୱାର୍ଣ୍ଣର,ମନୀଷ ପାଣ୍ଡେ, ଶ୍ରୀବତ୍ସ ଗୋସ୍ବାମୀ, ରିଦ୍ଧିମାନ ସାହାଙ୍କ ଭଳି ଷ୍ଟାର ବ୍ୟାଟ୍ସମ୍ୟାନ ରହିଛନ୍ତି। ବିଜୟ ଶଙ୍କର ଓ ମିଚେଲ ମାର୍ଶଙ୍କ ଭଳି ଅଲ୍‌ରାଉଣ୍ଡର ମଧ୍ୟ ଦଳରେ ରହିଛନ୍ତି। ବୋଲିଂରେ ଭୁବନେଶ୍ବର କୁମାର, ଖଲିଲ୍‌ ଅହମ୍ମଦ, ସନ୍ଦୀପ ଶର୍ମା, ରସିଦ୍ ଖାନ, ସାହାବାଜ୍‌ ନଦିମ ପ୍ରମୁଖ ରହିଛନ୍ତି। ବିରାଟ କୋହଲି, ଆରୋନ ଫିଞ୍ଚ, ଏ.ବି ଡିଭିଲିୟର୍ସଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ନେଇ ଦଳ ଗଠିତ ଆର୍‌ସିବିରେ ଶିଭମ ଦୁବେ, କ୍ରିସ୍‌ ମୋରିସ୍, ୱାଶିଂଟନ ସୁନ୍ଦର, ଜୋସ୍‌ ଫିଲିପ୍ସ, ମୋଇନ୍ ଅଲ୍ଳୀ, ଦେବଦତ୍ତ ପାଡ଼ିକଲ, ଗୁରୁକିରତ୍ ସିଂହଙ୍କ ଭଳି ଯୁବ ଖେଳାଳି ରହିଛନ୍ତି । ଫାଷ୍ଟ ବୋଲିଂ ବିଭାଗରେ ଉମେଶ ଯାଦବ, ନବଦୀପ୍ ସଇନି, ଇସ୍ରୁ ଉଦାନା, ମହମ୍ମଦ ସିରାଜ୍‌ ପ୍ରମୁଖ ରହିଛନ୍ତି। ସ୍ପିନ ବିଭାଗରେ ଯୁଜୁବେନ୍ଦ୍ର ଚହଲ ପ୍ରମୁଖ ଦାୟିତ୍ବ ତୁଲାଇବେ। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ କେହି କାହାରିଠାରୁ କମ୍‌ ନୁହଁନ୍ତି। ଆଇପିଏଲର ଅନ୍ୟତମ ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ମଧ୍ୟରେ ଏକ ରୋଚକ ଲଢେଇ ହେବା ନେଇ ଦର୍ଶକ ଆଶା ରଖିଛନ୍ତି।

Comments are closed.