ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଶୀଘ୍ର ଶେଷ କର – ହାଇକୋର୍ଟ

କଟକ: ପୌର ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶନାମା ପରେ ପୁଣି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ତ୍ବରିତ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏ ସମ୍ପର୍କିତ ଆଇନରେ ସରକାର ଚାହୁଁଥିବା ସଂଶୋଧନ ପ୍ରକ୍ରିୟା ମଧ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସବୁ ପ୍ରସଙ୍ଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟରେ ସ୍ପଷ୍ଟ କରାଯାଇଛି। ଖଣ୍ଡପୀଠ ହେମନ୍ତ ରଥଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ପୌର ପରିଷଦରେ ନିର୍ବାଚନ ବିଳମ୍ବ ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆବେଦନକାରୀ ୨୦୧୯, ଡିସେମ୍ବର ମାସରେ ତୁରନ୍ତ ପୌର ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୌର ପରିଷଦ ଗୁଡିକରେ ନିର୍ବାଚିତ ପ୍ରତିନିଧି ନ ଥିବାରୁ ସାଧାରଣ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ଅନୁପସ୍ଥିତିରେ ପୌର ପରିଷଦ ଚାଲିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ।

Comments are closed.