ସୋଲେମାନିଙ୍କ ମୃତ୍ୟୁ ପରେ ଯୁଦ୍ଧ ପାଇଁ ଇରାନର ସଜବାଜ

ବାଗଦାଦ/ତେହରାନ୍‌: ଆମେରିକାର ବିମାନ ଆକ୍ରମଣରେ ଇରାନ୍‌ ସୈନ୍ୟବାହିନୀ କୁଦ୍ସ ଫୋର୍ସର ମୁଖ୍ୟ କମାଣ୍ଡର ଜେନେରାଲ କାସିମ ସୋଲେମାନିଙ୍କର ମୃତ୍ୟୁ ପରେ ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଭୋର୍‌ ସମୟରେ ଇରାକ ରାଜଧାନୀ ବାଗଦାଦସ୍ଥିତ ଆନ୍ତର୍ଜାତିକ ବିମାନବନ୍ଦର ଉପରେ ଆମେରିକା ବିମାନ ଆକ୍ରମଣ କରିଥିଲା। କମାଣ୍ଡର ସୋଲେମାନି ନିକଟସ୍ଥ ଏକ ମସ୍‌ଜିଦରେ ପ୍ରାର୍ଥନା କରୁଥିବା ସମୟରେ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏଥିରେ ଇରାକର ସିଟେ ଅର୍ଦ୍ଧସାମରିକବାହିନୀର ଉପ-ମୁଖ୍ୟ ଆବୁ ମହଦି ଅଲ-ମୁହାନଦିସ୍‌ ମଧ୍ୟ ପ୍ରାଣ ହରାଇଛନ୍ତି।

କିଛି ଦିନ ପୂର୍ବେ ବାଗଦାଦର ଆମେରିକୀୟ ରାଷ୍ଟ୍ରଦୂତଙ୍କ କାର୍ୟ୍ୟାଳୟରେ ଇରାନ ସମର୍ଥକଙ୍କ ବିକ୍ଷୋଭ ଓ ଭଙ୍ଗାରୁଜା ପରିପ୍ରେକ୍ଷୀରେ ଏହି ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପଙ୍କ ନିର୍ଦେଶ ଥିଲା ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସୋଲେମାନିଙ୍କ ମୃତ୍ୟୁ ଯଥେଷ୍ଟ ପୂର୍ବରୁ ହବାର ଥିଲା। ଇରାକବାସୀ ସୋଲେମାନିଙ୍କ ମୃତ୍ୟୁରେ ଖୁସି ମନାଉଥିବାର ଭିଡିଓ ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଛି। ଇରାକରେ ଥିବା ନିଜ ଦେଶର ନାଗରିକଙ୍କୁ ତୁରନ୍ତ ଇରାକ ଛାଡ଼ି ଫେରି ଆସିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଆମେରିକାର ଏହି ପଦକ୍ଷେପ ଇରାନ ସହିତ ବିବାଦକୁ ନୂଆ ଶିଖରକୁ ନେଇଯାଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖୋମିନି ତୁରନ୍ତ ସୋଲେମାନିଙ୍କ ସ୍ଥାନରେ ଇସ୍‌ମାଇଲ କ୍ବାନିଙ୍କୁ ନିଯୁକ୍ତି ଦେବା ସହ ପ୍ରତିଶୋଧ ନେବା ପାଇଁ ଘୋଷଣା କରିଛନ୍ତି। ଆମେରିକାର ତୀବ୍ର ବିରୋଧୀ ଭାବେ ସେ ଜଣାଶୁଣା ଥିଲେ। ତାଙ୍କୁ ହତ୍ୟା କରାଯିବା ଘଟଣାରେ ଇରାନ୍‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତ ବର୍ଗର ଜନତା ଶୋଭାଯାତ୍ରା ଆୟୋଜନ କରିବା ସହ ‘ଅପରାଧୀ ଆମେରିକା’ ବିରୋଧରେ ‌ସ୍ଲୋଗାନ ଦେଇଛନ୍ତି। ଦେଶର ମୁଖ୍ୟ ବିରୋଧୀ ଗୋଷ୍ଠୀ ‘ନ୍ୟାସନାଲ କାଉନସିଲ ଅଫ ରେଜିଷ୍ଟାନ୍ସ ଅଫ ଇରାନ’ ବା ଏନ୍‌ସିଆରଆଇ ମଧ୍ୟ ଏହି ଘଟଣାକୁ ଏକ ବଡ଼ ଧକ୍କା ଭାବେ ବର୍ଣ୍ଣନା କରିଛି। ସୋଲେମାନିଙ୍କ ନିଜ ସହର କେରମାନଠାରେ ହଜାରହଜାର ଜନତା ରୁଣ୍ଡ ହୋଇ ଆମେରିକା ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଆହ୍ବାନ ଦେଇଛନ୍ତି।

ଏହି ଘଟଣାକୁ ନେଇ ମଧ୍ୟପ୍ରାଚ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିକ୍ରିୟାରେ ଯୁଦ୍ଧ ଲାଗିବାର ଆଶଙ୍କା ପ୍ରକାଶ କରିଛି ଇରାକ। ସୋଲେମାନିଙ୍କୁ ହତ୍ୟାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏମିତିକି ଏହା ଅଲ୍‌-କାଏଦା ମୁଖ୍ୟ ଓସାମାବିନ୍‌ ଲାଡେନ୍‌ ଓ ଆଇଏସ୍‌ଆଇଏସ୍‌ ମୁଖ୍ୟ ଆବୁ ବାକର ଅଲ୍‌-ବାଗଦାଦିକୁ ହତ୍ୟାଠାରୁ ଅଧିକ ପ୍ରଭାବଶାଳୀ ହୋଇପାରେ ବୋଲି ମତପ୍ରକାଶ ପାଉଛି। ଏହା ତୃତୀୟ ବିଶ୍ବଯୁଦ୍ଧକୁ ଆମନ୍ତ୍ରଣ କରିବ ବୋଲି ଟ୍ବିଟରରେ ମତ ପ୍ରକାଶ ପାଇଛି। ଶୁକ୍ରବାରର ଉତ୍ତେଜନାମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ ତୈଳ ଦର ବୃଦ୍ଧିପାଇଛି। ଅପରପକ୍ଷରେ ‘ନାଟୋ’ ପକ୍ଷରୁ ଘଟଣା ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ଘଟଣା ସମ୍ପର୍କରେ ଆମେରିକୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା ଚାଲିଥିବା ଏହାର ମୁଖପାତ୍ର ଡିଲାନ୍‌ ହ୍ବାଇଟ୍‌ କହିଛନ୍ତି।

Comments are closed.