ଇତିହାସ ରଚିଲା ‘ୱାର୍‍’ : ୫୩ କୋଟିର ଓପନିଂ ସହ ଭାଙ୍ଗିଲା ଅନେକ ରେକର୍ଡ଼

ମୁମ୍ବଇ : ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତିଲାଭ କରିଥିବା ହ୍ରିତିକ୍‍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ପ୍ରଥମ ଦିନରେ ୫୩.୩୫ କୋଟି ଟଙ୍କା ଆୟ କରି ଏହି ଚଳଚ୍ଚିତ୍ର ଇତିହାସ ରଚିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି।

ତରଣଙ୍କ କହିବାନୁସାରେ, ପ୍ରଥମ ଦିନରେ ‘ୱାର୍‍’ର ହିନ୍ଦୀ ଭର୍ସନ ୫୧.୬୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଏହାର ତାମିଲ ଓ ତେଲୁଗୁ ଭର୍ସନ ୧.୭୫ କୋଟି ଟଙ୍କା ଆୟ କରିଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ପ୍ରଥମ ଦିନରେ ମୋଟ୍‍ ୫୩.୩୫ କୋଟି ଟଙ୍କାର ବ୍ୟବସାୟ କରି ଅନେକ ରେକର୍ଡ଼ କରିଛି। ‘ୱାର୍‍’ ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ପାଲଟିଛି। ଅନ୍ୟପକ୍ଷରେ ପ୍ରଥମ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ଛୁଟି ଦିବସରେ ସର୍ବାଧିକ ଆୟ କରିବାର ରେକର୍ଡ଼ ହାସଲ କରିଛି। ଏହାବ୍ୟତୀତ ହ୍ରିତିକ୍‍, ଟାଇଗର୍‍ ଓ ୟଶରାଜ ଫିଲ୍ମସ୍‍ର ସମ୍ପୂର୍ଣ୍ଣ କ୍ୟାରିୟରରେ ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି।

୪ ହଜାରଟି ପରଦାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୧୫୦ରୁ ୨୦୦ କୋଟି ବୋଲି ଜଣାପଡ଼ିଛି। ବକ୍ସ ଅଫିସରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ସାୟରା ନରସିହ୍ମା ରେଡ୍ଡୀ’ ଓ ହଲିଉଡ଼ ଚଳଚ୍ଚିତ୍ର ‘ଜୋକର’ ସହ କଡ଼ା ଟକ୍କର ସତ୍ତ୍ବେ ‘ୱାର୍‍’ର ଏପରି ବ୍ୟବସାୟ ସମସ୍ତଙ୍କୁ ଚକିତ କରିଦେଇଛି। ଚଳଚ୍ଚିତ୍ରରେ ବାଣୀ କପୁରଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଛି। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଇଛନ୍ତି।

Comments are closed.