ଦିଲ୍ଲୀରେ ଭୋଟିଂ ବେଳେ ହନୁମାନଙ୍କୁ ନେଇ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ବନ୍ଦ ହୋଇନାହିଁ। ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ‘ହନୁମାନ ଚାଲିଶା’କୁ ନେଇ ରାଜନୀତି ସରଗରମ ହୋଇଛି। ଶନିବାର ବିଜେପିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ମତଦାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେଜରିୱାଲ ଯେଉଁ ହାତରେ ଜୋତା ବାହାର କଲେ ହାତ ନଧୋଇ ସେହି ହାତରେ ଭଗବାନ ହନୁମାନଙ୍କ ପାଇଁ ମାଳା ନେଇ ଗଲେ। ପୂଜା କରିବାକୁ ଯାଇଥିଲେ ନା ଭଗବାନଙ୍କୁ ଅଶୁଦ୍ଧ କରିବାକୁ ଯାଇଥିଲେ। ନକଲି ଭକ୍ତ ଆସିଲେ ଏପରି ହୁଏ ବୋଲି ମନୋଜ କହିଛନ୍ତି।

ଆପ୍ ସାଂସଦ ସଞ୍ଜୟ ସିଂହ ମନୋଜ ତିୱାରୀଙ୍କ କଥାର ପ୍ରତିକ୍ରିୟା ଦେଇ ଟୁଇଟ୍ କରିଛନ୍ତି ଯେ, ବିଜେପି ଅରବିନ୍ଦ କେଜରିୱାଲଙ୍କୁ ଅଛୁଆଁ ବୋଲି ମାନୁଛନ୍ତି। ଅରବିନ୍ଦ କେଜରିୱାଲ ହନୁମାନଙ୍କ ପୂଜା କରିବା ଦ୍ବାରା ଭଗବାନ ଅଶୁଦ୍ଧ ହୋଇଗଲେ, ଧୋଇବାକୁ ପଡିଲା। କେଜରିୱାଲଙ୍କ ପ୍ରତି ବିଜେପିର ଏତେ ଘୃଣା କାହିଁକି?

ମୁଖ୍ୟମନ୍ତ୍ରୀ କେଜରିୱାଲ ଟୁଇଟ ପୋଷ୍ଟ କରି କହିଛନ୍ତି, ମୁଁ ଏକ ଟିଭି ଚ୍ୟାନେଲରେ ହନୁମାନ ଚାଳିଶା ପଢିବା ପରଠାରୁ ବିଜେପିର ମୁଣ୍ଡ ଖରାପ ହୋଇଯାଇଛି। ମୁଁ ହନୁମାନ ମନ୍ଦିର ଯିବା ପର ଠାରୁ ମନ୍ଦିର ଅଶୁଦ୍ଧ ହୋଇଗଲା ବୋଲି ବିଜେପି କହୁଛି। ଏହା କିପରି ରାଜନୀତି?

Comments are closed.