ଗୁଗଲ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ; ଉପରାଷ୍ଟ୍ରପତି

0

ଭୁବନେଶ୍ୱର:  ମା’ ମାଟି ଓ ମାତୃଭାଷାକୁ ଅବହେଳା କରାଯାଇ ନପାରେ। କାରଣ ପ୍ରକୃତ ଭାରତର ରୂପରେଖ ଗ୍ରାମାଞ୍ଚଳରେ ରହିଛି। ତେଣୁ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା ଓ ସ୍ବଚ୍ଛତା ଦେଶର ବିକାଶର ବାସ୍ତବତା। ତେଣୁ ଡାକ୍ତରମାନେ ସେମାନଙ୍କ ବୃତ୍ତିଗତ ଜୀବନର ପ୍ରଥମ ତିନି ବର୍ଷ ଗ୍ରାମାଞ୍ଚଳରୁ ଆରମ୍ଭ କରିବା ଉଚିତ। ଡାକ୍ତରୀକୁ ଏକ ବୃତ୍ତି ନୁହେଁ ବରଂ ପ୍ରବୃତ୍ତି ଭାବେ ଗ୍ରହଣ କରିବାକୁ ଏମସରେ ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି।

ଉତ୍ସବରେ ଯୋଗ ଦେଇ ‘ଶୁଭ ସକଳ, ଓଡିଶା ମତେ ବହୁତ ଭଲ ଲାଗେ’ କହି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓଡିଆରେ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ପରେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛତାର ପାଠ ପଢାଇଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଶରୀର, ମନ ଓ ଧନରେ ସ୍ବଚ୍ଛତାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ କହିଲେ ଯେ ଭାରତ ବିନା ଇଣ୍ଡିଆ ଅସମ୍ପର୍ଣ୍ଣ । ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି । ଡାକ୍ତରଙ୍କ ଦ୍ବିତୀୟ ଭଗବାନ, ଡାକ୍ତରୀ ପେଶା ମହାନ ପେଶା । ଡାକ୍ତରୀ ପେଶା ମିଶନ ହେଉ, କମିଶନ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅଭିଭାଷଣ କହିଛନ୍ତି । ଜୀବନରେ ଗୁରୁଙ୍କ ସ୍ଥାନ ଅତୁଳନୀୟ, ଗୁଗଲ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ ବୋଲି ଉପରାଷ୍ଟ୍ରପତି ଅଭିଭାଷଣରେ କହିଥିଲେ ।

ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥା ବା ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ସ୍ୱତନ୍ତ୍ର ବିମାନ ରାଜହଂସରେ ଉପରାଷ୍ଟ୍ରପତି  ନିର୍ଦ୍ଧାରିତ ସମୟର ୧୦ ମିନିଟ୍ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ଯାଇଥିଲେ । ସେଠାର ତାଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିଥିଲେ । ପରେ ଉପରାଷ୍ଟ୍ରପତି ବିମାନବନ୍ଦରରୁ ସିଧାସଳଖ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ୯ଟା ୧୦ରେ ସମାବର୍ତ୍ତନ ଉତ୍ସବରେ ଯୋଗ ଏମ୍ସ ବାହାରିଥିଲେ । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏମ୍ସରେ ଡିଗ୍ରୀ ହାସଲ କରିଥିବା ୨୦୧୩-୧୮ ବ୍ୟାଚ୍‌ ୫୦ ଜଣ ଏମ୍‌ବିବିଏସ୍‌ ଓ ୫୬ ଜଣ ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ୨୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ଏହା ସହ ଉପରାଷ୍ଟ୍ରପତି ଏମ୍ସ ପରିସରରେ ନାଲକୋ ନିର୍ମାଣ କରିବାକୁ ଥିବା ଧର୍ମାଶାଳାର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ଶେଷ ପରେ ଶନିବାର ମଧ୍ୟାହ୍ନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦିଲ୍ଲୀ ଫେରି ଯାଇଛନ୍ତି।

Leave A Reply