ସପ୍ତାହରେ ୫ ଦିନ ଖୋଲିବ ଭିସୁଟ, ଅଫିସ ଆସିବେ ଅଧା କର୍ମଚାରୀ

ବୁର୍ଲା: କରୋନା ସଂକ୍ରମଣ ଯୋଗୁଁ ପର୍ଯ୍ୟାୟ କ୍ରମେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ଏହାକୁ ନେଇ ମଙ୍ଗଳବାର ଭିସୁଟ କୂଳସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯିବା ସହିତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସମସ୍ତ ଡିନ୍‍, ବିଭାଗୀୟ ମୂଖ୍ୟ ସେମାନଙ୍କର ୫୦ ପ୍ରତିଶତ କର୍ମଚାରୀଙ୍କ ରୋଷ୍ଟର ତାଲିକା ୫ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ଏଷ୍ଟାବ୍ଲିଷ୍ଟମେଣ୍ଟ ସେକ୍ସନରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ କୋଭିଡ କଟକଣାକୁ ଆଖିଆଗରେ ରଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସପ୍ତାହରେ ୫ ଦିନ ଆର୍ଥାତ ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୯ ଟାରୁ ସଂନ୍ଧ୍ୟା ୫ଟା ଯାଏଁ ବିଶ୍ୱବିଦ୍ୟାଳୟ ଖୋଲିବ। ଏହା ମଧ୍ୟରେ ଦିନ ୧୨ଟା ୩୦ ମିନିଟରୁ ୨ଟା୩୦ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ମଧ୍ୟକାଳିନ ଛୁଟି ମଧ୍ୟ ମିଳିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ ହୋଇଛି। ତେବେ ରୋଷ୍ଟର ଡ୍ୟୁଟି ଥାଉ ବା ନ ଥାଉ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସେମାନଙ୍କ ମୋବାଇଲ ଫୋନ ଅନ ରଖିବେ ଏବଂ ମୂଖ୍ୟାଳୟ ଛାଡି ଅନ୍ୟତ୍ର ନ ଯିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

Comments are closed.