ସମ୍ବଲପୁରରୁ ଫୁଟବଲ ଛାତ୍ରାବାସର ସ୍ଥାନାନ୍ତରକୁ ନେଇ ବିଭିନ୍ନ ସଙ୍ଗଠନର ତୀବ୍ର ବିରୋଧ

ସମ୍ବଲପୁର : ସମ୍ବଲପୁରର ଫୁଟବଲ କ୍ଷେତ୍ରରେ ବହୁ ସୁନାମ ରହିଛି। ତେବେ ଓଡିଶା ସରକାରଙ୍କ କ୍ରୀଡା ବିଭାଗ ଦ୍ୱାରା ସମ୍ବଲପୁର ଠାରେ ରହିଥିବା ବହୁ ପୁରୁଣା ଫୁଟବଲ ଛାତ୍ରାବାସକୁ ସମ୍ବଲପୁରରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିଷ୍ପତ୍ତ ନିଆଯାଇଥିବାର ସୂଚନା ମିଳିବା ପରେ ସବୁ ମହଲରୁ ତୀବ୍ର ବିରୋଧ ଆରମ୍ଭ ହୋଇଯାଇଛି।

ଜିଲା କ୍ରିଡା ସଂଘ, ସମ୍ବଲପୁର
ସମ୍ବଲପୁର ଜିଲା କ୍ରିଡା ସଂଘର ଏକ ଜରୁରୀକାଳୀନ ଟେଲି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଦସ୍ୟମାନେ ରାଜ୍ୟ ସରକାରଙ୍କର ଫୁଟବଲ ସ୍ଥାନାନ୍ତର ନିଷ୍ପତ୍ତିକୁ ଏକ ସ୍ୱରରେ ତୀବ୍ର ବିରୋଧ କରିଛନ୍ତି। ସମ୍ବଲପୁର ଜିଲାରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ସ୍ଥିତ ରାଜ୍ୟ କ୍ରୀଡା ଛାତ୍ରାବାସରେ ଫୁଟବଲ ଓ ସନ୍ତରଣ ଦୁଇଟି ବିଭାଗ ରହିଛି। ଉଭୟ ବିଭାଗରେ ସମ୍ବଲପୁର ଜିଲା ଛାତ୍ରାବାସର ରାଜ୍ୟ ତଥା ଜାତୀୟ ସ୍ତରରେ ବହୁ ସୁନାମ ରହିଛି। ଏହା ସହିତ ଏହି କ୍ରୀଡାଛାତ୍ରାବାସର ଅନ୍ତେବାସୀ ମାନରେ ଜାତୀୟ ଓ ଆର୍ନ୍ତଜାତୀୟସ୍ତର ପ୍ରତିଯୋଗିତା ଗୁଡିକୁ ଉତ୍ତିର୍ଣ୍ଣ ହୋଇ ସୁନାମ ରାଜ୍ୟକୁ ଆଣି ଦେଇଛନ୍ତି। ତେବେ ସରକାର ପୃଷ୍ଟଭୂମିର ଅଭାବ ଦର୍ଶାଇ ସମ୍ବଲପୁର କ୍ରୀଡା ଛାତ୍ରାବାସରୁ ଫୁଟବଲ ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଚକ୍ରାନ୍ତ ଆରମ୍ଭ କରିଛନ୍ତି। ଯାହାକୁ ଅତ୍ୟନ୍ତ ନିନ୍ଦନୀୟ ଓ ପରିତାପର ବିଷୟ ଅଟେ। ଏହା ପଶ୍ଚିମ ଓଡିଶା ପ୍ରତି ସରକାରଙ୍କର ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି। ପଶ୍ଚିମ ଓଡିଶାର କ୍ରୀଡା ପ୍ରାଣକେନ୍ଦ୍ର ଭାବରେ ସୁପରିଚିତ ସମ୍ବଲପୁରରୁ ସନ୍ତରଣ ଛାତ୍ରାବାସକୁ ସ୍ଥାନାନ୍ତରିତ କରିବା ନିମନ୍ତେ ହୀନ ଚକ୍ରାନ୍ତ କରାଯାଇଥିବା ବେଳେ କ୍ରୀଡାପ୍ରେମୀ ଓ ଜନତା ଏହାର ଦୃଢ଼ ବିରୋଧ କରିବା ଯୋଗୁଁ ତାହା ସମ୍ଭବ ହୋଇ ନ ଥିଲା। ପୁନଃଶ୍ଚ ଫୁଟବଲ କ୍ରୀଡା ଛାତ୍ରାବାସକୁ ସ୍ଥାନାନ୍ତର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସମ୍ବଲପୁରରେ କ୍ରୀଡାର ଭିତ୍ତିଭୂମକୁ ବିକାଶ ନ କରି ସରକାର ନିଜର ଅପରାଗତାକୁ ଲୁଚାଇବାର ଚେଷ୍ଟା କରୁଛନ୍ତି। ବୁର୍ଲା ଠାରେ ସମ୍ବଲପୁର ସ୍ପୋର୍ଟସ କମ୍ପେ୍ଲକ୍ସ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ଜିଲା ପ୍ରଶାସନ ଓ କ୍ରୀଡା ସଂଘ ଷ୍ଟାଡିୟମ ସ୍ଥିତ କ୍ରୀଡା ଛାତ୍ରାବାସର ମରାମତି ଓ ଉନ୍ନତି ନିମନ୍ତେ ସରକାରଙ୍କ ଦ୍ୱାରାସ୍ଥ ହୋଇ ନୟାନ୍ତ ହୋଇ ସାରିଛନ୍ତି। ତେବେ ସରକାର ଲାଗି ରହିଥିବା ସମସ୍ୟାକୁ ଧ୍ୟାନ ନ ଦେଇ କ୍ରୀଡା ଛାତ୍ରାବାସକୁ ଉଚ୍ଛେଦ କରିବା କେତେଦୂର ସମାଚିନ ତାହା ଜନତା ବିଚାର କରିବେ। ବୈଠକରେ ଉପ ସଭାପତି ଦିଲୀପ କୁମାର ବିଶି, ରାଜୀବ ବିଶ୍ୱାସ, ସାଧାରଣ ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ, ଫୁଟବଲ ସଚିବ ଅବଦୁଲ ଗଫାର, ଦୌଡକୁଦ ସଚିବ ସୁନ୍ଦରମଣି ବାରିକ, କାଉନସିଲ ସଦସ୍ୟ ସୁନୀଲ ସାହୁ, ବିକାଶ ମିଶ୍ର, ସୁବୋଧ ସାହୁ, ସୟଦ ଜିନ୍ଦା, ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି। ଆବଶ୍ୟକସ୍ଥଳରେ କ୍ରୀଡା ସଂଘ କର୍ମକର୍ତ୍ତା ଜିଲା ଜନତାଙ୍କ ସହିତ ଏହି ନିଷ୍ପତ୍ତିର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ ବୋଲି ସଂଘର ସାଧାରଣ ସମ୍ପାଦକ ଦୁଲାଲ ପ୍ରଧାନ ଦୃଢ଼ତାର ସହିତ କହିଛନ୍ତି।

ଓଡିଶା ସାଂସ୍କୃତିକ ସମାଜ
ସମ୍ବଲପୁରର କ୍ରୀଡା ଛାତ୍ରାବାସରୁ ଫୁଟବଲ ବିଭାଗକୁ ସ୍ଥାନାନ୍ତର କରାଯାଉଥିବାର ସୂଚନା ପରେ ଏହା ଅତ୍ୟନ୍ତ ଦୁୁର୍ଭାଗ୍ୟଜନକ ଅଟେ ବୋଲି ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ କୁହଯାଇଛି। ସାଂସ୍କୁତିକ ସମାଜର ସମ୍ପାଦକ ସରୋଜ ଦାଶଙ୍କ ଦ୍ୱାରା ଜାରି ଏକ ପ୍ରେସ ବିବୃତି ଅନୁଯାୟୀ ଅତୀତରେ ସମ୍ବଲପୁରରୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଉଭୟ ପୁରୁଷ ଓ ମହିଳା ଫୁଟବଲ ଖେଳାଳୀ ସୃଷ୍ଟି ହୋଇ ସୁନାମ ଆଣି ଦେଇଥିବାବେଳେ ଏଭଳି ନିଷ୍ପତ୍ତି କ୍ରିଡାପ୍ରେମୀମାନଙ୍କୁ ମର୍ମାହତ କରିଛି। ଜାତୀୟସ୍ତରରେ କ୍ରୀଡାର ପ୍ରସାର ପାଇଁ ବିଭିନ୍ନ ଆକର୍ଷଣୀୟ ଯୋଜନା ମାନ କରାଯାଉଥିବାବେଳେ ଓଡିଶା ସରକାର ଭିତ୍ତିଭୂମିର ଅଭାବ ଦ୍ୱାହି ଦେଇ ଫୁଟବଲ ଛାତ୍ରାବାସକୁ ସ୍ଥାନାନ୍ତର ନ କରି ବରଂ ସମ୍ବଲପୁରରେ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ଅତୀତରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରଚେଷ୍ଟାରେ ଏକ ଜାତୀୟସ୍ତରର ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଇଥିବାବେଳେ ସରକାରୀ ପ୍ରୋତ୍ସାହନର ଅଭାବରୁ ତାହା ଏବେ ଶୁପ୍ତ ପ୍ରାୟ। ଏହାର ବିକାଶ ସରକାର ନ କରି ସମ୍ବଲପୁରରେ ଥିବା ପୁରୁଣା ଫୁଟବଲ ଛାତ୍ରାବାସକୁ ଉଠାଇ ନେବାର ଜଘନ୍ୟ ଚକ୍ରାନ୍ତ, ଅଞ୍ଚଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ସ୍ପଷ୍ଟ ସୂଚନା ପ୍ରଦାନ କରୁଛି। ଏଣୁ ଏହି ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ସରକାର ଯଦି ବେଳହୁଁ ଏହି ନିଷ୍ପତ୍ତିକୁ ବାତିଲ କରନ୍ତୁ। ଏହା ସହିତ ଫୁଟବଲର ଭିତ୍ତିଭୂମିର ବିକାଶ ପାଇଁ ଏକ ଦୀର୍ଘସୂତ୍ରୀ ଯୋଜନା ଶିଘ୍ର କରିବା ପାଇଁ ଓଡିଶା ସାଂସ୍କୃତିକ ସମାଜ ଦାବି କରୁଛି ବୋଲି ସମ୍ପାଦକ ସରୋଜ ଦାଶ ଦାବି କରିଛନ୍ତି।

ମେହେର ଏସୋସିଏସନ, କ୍ରୀଡା ସଙ୍ଗଠନ
କ୍ରୀଡା କ୍ଷେତ୍ରର ସ୍ୱନାମଧନ୍ୟ କ୍ରିଡା ସଙ୍ଗଠନ ମେହେର ଆସୋସିଏସନ୍ ତରଫରୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ସମ୍ବଲପୁରର ଫୁଟବଲ କ୍ଷେତ୍ରରେ ବହୁ ସୁନାମ ରହିଛି। ସରକାର ଗୋଟିଏ ଜିଲାରେ ଦୁଇଟି କ୍ରୀଡାର ଛାତ୍ରାବାସ ରହିବ ନାହିଁ ବୋଲି ଯୁକ୍ତି ବାଢ଼ିବା ଅସଙ୍ଗତ ଅଟେ। ରାଜ୍ୟରେ ବହୁ ଜିଲାରେ ଏଭଳି ଅନେକ କ୍ରୀଡା କ୍ଷେତ୍ରର ଛାତ୍ରାବାସ ରହିଥିବାବେଳେ ସମ୍ବଲପୁରରୁ ଫୁଟବଲ ଛାତ୍ରବାସକୁ ସ୍ଥାନାନ୍ତରିତ କରିବା ଦୁର୍ଭାଗ୍ୟଜନକ ଅଟେ। ଏଣୁ ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତିକୁ ପୁର୍ନବିଚାର କରି ସମ୍ବଲପୁରରେ ଫୁଟବଲର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମେହେର ଆସୋସିଏସନ ଦାବି କରୁଛି ବୋଲି ସାଧାରଣ ସମ୍ପାଦକ ବିରଜା ଶଙ୍କର ହୋତା ଦାବି କରିଛନ୍ତି।

ସମ୍ବଲପୁର ଜିଲା ମାର୍ଷ୍ଟସ ଆଥେଲେଟିକ୍ସ ଏସୋସିଏସନ୍
ସମ୍ବଲପୁର ଛାତ୍ରାବାସରୁ ଫୁଟବଲ ବିଭାଗକୁ ସ୍ଥାନାନ୍ତରଣ ପାଇଁ ସରକାରଙ୍କ ଯୋଜନାକୁ ସମ୍ବଲପୁର ଜିଲା ମାର୍ଷ୍ଟସ ଆଥେଲେଟିକ୍ସ ଆସୋସିଏସନ୍ ତ୍ରୀବ୍ର ବିରୋଧ କରିଛି। ଆସୋସିଏସନ ତରଫରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ପଶ୍ଚିମ ଓଡିଶାର କ୍ରିଡା ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବରେ ପରିଚିତ ସମ୍ବଲପୁର କ୍ରୀଡା ଛାତ୍ରାବାସରୁ ଏ ପର୍ଯ୍ୟନ୍ତ ବହୁ ଫୁଟବଲ ଖେଳାଳୀ ରାଜ୍ୟ, ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ନିଜର କ୍ରିଡା ନୈପ୍ୟୁଣତା ପ୍ରଦର୍ଶନ କରି ଓଡିଶା ମାଟିକୁ ସୁନାମ ଆଣିଛନ୍ତି। ଅତୀତରେ ସନ୍ତରଣାଗାରକୁ ସମ୍ବଲପୁରରୁ ସ୍ଥାନାନ୍ତରଣ ପାଇଁ ଯୋଜନା କରାଯାଉଥିବା ବେଳେ ଅଞ୍ଚଳର କ୍ରୀଡାବିତ, କ୍ରୀଡାପ୍ରେମୀ ଓ ଜନତା ବିପୁଳ ବିରୋଧ କରିବାରୁ ତାହା ବନ୍ଦ ହୋଇଯାଇଥିଲା। ସମ୍ବଲପୁର ଠାରେ ଫୁଟବଲ ପାଇଁ ଭିତ୍ତିଭୂମି ଓ ଉଦୟୀମାନ ଫୁଟବଲ ଖେଳାଳୀ ମାନଙ୍କର ଅଭାବ ନାହିଁ। ତଥାପି ରାଜ୍ୟ ସରକାରଙ୍କ ଏ ପ୍ରକାରର ପଦକ୍ଷେପକୁ ଏସୋସିଏନ ତୀବ୍ର ବିରୋଧ କରୁଛି। ଏଣୁ ସରକାର ଏଭଳି ପଦକ୍ଷେପ ନେବାରୁ କ୍ଷାନ୍ତ ରୁହନ୍ତୁ ବୋଲି ଗୋକୁଳ ଦର୍ଜୀ, ସଦାଶିବ ପୁରୋହିତ, ବିଶ୍ୱମ୍ବର ବହିଦାର, ଇଦ୍ରିଶ ମଲ୍ଲିକ, ସୁରେନ୍ଦ୍ର ମୋହନ ପୁରୋହିତ, ରାଜୀବ ବିଶ୍ୱାସ, ଅମୂଲ୍ୟ ମିଶ୍ର, ପ୍ରେମ ରଞ୍ଜନ ପ୍ରଧାନ, ସୁକାନ୍ତ ବୋଷ, ବିଦ୍ୟାଧର ପ୍ରଧାନ, ମନୋରଞ୍ଜନ ପାଢ଼ୀ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।

ପଶ୍ଚିମାଞ୍ଚଳ ଏକତା ମଞ୍ଚ
ସମ୍ବଲପୁର ଫୁଟବଲ ଛାତ୍ରାବାସର ଖେଳାଳିମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜିଲାସ୍ତରରୁ ଆରମ୍ଭ କରି ଆର୍ନ୍ତଜାତୀୟ ସ୍ତର ପର୍ଯ୍ୟନ୍ତ ଅନେକ ସଫଳତା ଅର୍ଜନ ରାଜ୍ୟକୁ ସୁନାମ ଆଣି ଦେଇଛନ୍ତି। ସମ୍ବଲପୁରରେ ଫୁଟବଲର ଇତିହାସକୁ ନଜରରେ ରଖି ଭିତ୍ତିଭୂମିର ବିକାଶ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। କିନ୍ତୁ ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ବଦଳରେ ସମ୍ବଲପୁରରୁ ଫୁଟବଲକୁ ମୁଳପୋଛ କରିବା ପାଇଁ କରାଯାଉଥିବା ଷଡଯନ୍ତ୍ର ନିନ୍ଦନୀୟ ଅଟେ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ କହିଛି। ଜିଲାର ଗ୍ରାମଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଅନେକ ଉଦୟୀମାନ ଖେଳାଳି ରହିଥିବା ବେଳେ ଜାତୀୟ ଓ ଆର୍ନ୍ତଜାତୀୟ ଫୁଟବଲ ଖେଳାଳି ବାହାରି ଖେଳି ସାରିଛନ୍ତି। ତେବେ ଭିତ୍ତିଭୂମି ଓ ସୁଯୋଗର ଅଭାବ ଯୋଗୁଁ ବହୁ ପ୍ରତିଭାବାନ ଖେଳାଳି ମାନେ ସମ୍ମୁଖକୁ ଆସି ପାରୁ ନାହାନ୍ତି। ଏଣୁ ସମ୍ବଲପୁରର ଫୁଟବଲ ଛାତ୍ରାବାସ ସ୍ଥାନାନ୍ତରିତ ହେଲେ ଗ୍ରାମାଞ୍ଚଳର ପ୍ରତିଭାବାନ ଫୁଟବଲ ଖେଳାଳି ମାନେ ସୁଯୋଗ ପାଇ ପାରିବେ ନାହିଁ। ସମ୍ବଲପୁରରେ ନିର୍ମାଣାଧିନ ସ୍ପୋର୍ଟସ କମ୍ପେ୍ଲକ୍ସକୁ ଶିଘ୍ର ସମ୍ପୁର୍ଣ୍ଣ କରି ଫୁଟବଲ ପ୍ରତିଭା ମାନଙ୍କର ବିକାଶ ପାଇଁ ଅଧିକ ସୁଯୋଗ ସରକାର ସୃଷ୍ଟି କରନ୍ତୁ। ଏହା ସହିତ ଡା. ଝସକେତନ ସାହୁ ସନ୍ତରଣାଗାରର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେଇ ଏହାକୁ ଆର୍ନ୍ତଜାତୀୟ ସ୍ତରର ସନ୍ତରଣାଗାରରେ ପରିଣତ କରି ଆର୍ନ୍ତଜାତୀୟ ଓ ଜାତୀୟ ସ୍ତରର ପ୍ରତିଯୋଗିତା ମାନ ଆୟୋଜନ କରନ୍ତୁ। ଏଣୁ ସରକାର ସମ୍ବଲପୁରରେ କ୍ରିଡାର ଭିତ୍ତିଭୂମି ବିକାଶ ଦିଗରେ ଧ୍ୟାନ ଦେଇ ଫୁଟବଲ ଛାତ୍ରାବାସର ସ୍ଥାନାନ୍ତରଣରୁ କ୍ଷାନ୍ତ ରୁହନ୍ତୁ ବୋଲି ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ ଦାବି କରିଛନ୍ତି।

Comments are closed.