ଭୋଟର ତାଲିକା ସେଂଶୋଧନ ଓ ଆଧାର ସଂଯୋଗୀକରଣ ପାଇଁ ତାଲିମ

ଆଠଗଡ :  ଆଠଗଡ ବ୍ଲକ ପ୍ରେକ୍ଷାଗୃହରେ ୮୯-ଆଠଗଡ ଓ ୮୭-ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଓ ବୁଥ ସୁପରଭାଇଜର ମାନଙ୍କୁ ସଂକ୍ଷିପ୍ତ ଭୋଟର ତାଲିକା ସେଂଶୋଧନ ଓ ଆଧାର ସଂଯୋଗୀକରଣ ନିମନ୍ତେ ତାଲିମ ପ୍ରଦାନ କରାଯାଇଛି । ସୋମବାର ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀ ଦ୍ୱୟର ମତଦାନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା କରି ଏହି ଭୋଟର ତାଲିକା ସଂଶୋଧର ଓ ଆଧାର ସଂଯୋଗୀକରଣ କାର୍ଯ୍ୟକୁ କିପରି ସଠିକ୍‍ ଓ ନିର୍ଭୁଲ ଭାବେ କରାଯିବ ସେଥିଲାଗି ଗୁରୁତ୍ୱାରୋପ କରିଥିଲେ । ପୂର୍ବରୁ ତାଲିମ ଗ୍ରହଣ କରିଥିବା ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପରମିତା ପୃଷ୍ଟି ଓ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ଫର୍ମ ନଂ-୬, ୭, ୮ ଓ ଆଧାର ସଂଯୋଗୀକରଣ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ବୁଥସ୍ତରୀୟ ଅଧିକାରୀମାନେ ଭୋଟରଙ୍କ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରି ଗୁରଜ ଆପ୍‍ ଭୋଟର ହେଲ୍ପଲାଇନ ଓ ନେସନାଲ ଭୋଟର ସର୍ଭିସ ପୋର୍ଟାଲ ମାଧ୍ୟମରେ ସଂଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୨୦ତାରିଖ ସୁଦ୍ଧା ଶେଷ କରିବାକୁ ଆଲୋଚନା ମାଧ୍ୟମରେ ବଡମ୍ବା ତହସିଲଦାର ତପନ କୁମାର ପରିଡା କହିଥିଲେ। ଏହି ତାଲିମ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟାଳୟ ସହାୟକ ସୂର୍ଯ୍ୟମଣି ସାହୁ, ସତ୍ୟରଞ୍ଜନ ସେଣ ଓ ବରିଷ୍ଠ ଶିକ୍ଷକ ନୀଳମଣି ନାୟକ ପରିଚାଳନା କରିଥିଲେ।

Comments are closed.