ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ, ସଞ୍ଚାର ଜରିଆରେ କରିହେବ ଆବେଦନ

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ। ଏହାପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏଥିପାଇଁ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇପାରିବେ। ୨୦୨୨ ଜାନୁଆରୀ ୫ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ ସୂଚନା ଦେଇ କହିଛନ୍ତି ଯେ ନଭେମ୍ବର ୧ ତାରିଖରେ ରାଜ୍ୟର ସମସ୍ତ ୩୭, ୬୦୬ଟି ଭୋଟଗଣତି କେନ୍ଦ୍ର ସହ ୫୮ଟି ଉପ ଜିଲାପାଳ ତଥା ଭୋଟ ପଞ୍ଜୀକରଣ ଅଧିକାରୀ ଓ ୩୦ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଫଟ୍ ଭୋଟର ତାଲିକା ପ୍ରକାଶ ପାଇବ। ଏହି ପ୍ରକ୍ରିୟାରେ ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ସାମିଲ ହୋଇ ପାରିବେ। ଏହାଛଡା େଯଉଁମାନେ ଯୋଗ୍ୟ ଭୋଟର ହୋଇଥିବେ ତାଙ୍କର ଭୋଟର ତାଲିକାରେ ନାଁ ନଥିବ କିମ୍ବା ଯେଉଁ ମାନେ ଭୋଟର ତାଲିକାରୁ ନାଁ କାଟିବାକୁ ଚାହୁଁ ଥିବେ କିମ୍ୱା ତ୍ରୁଟି ସଂଶୋଧନ କରି ପାରିବେ। ପୂର୍ବରୁ ଏହି ବ୍ୟବସ୍ଥା ଅଫଲାଇନରେ କରାଯାଉଥିଲା ବେଳେ ଚଳିତ ଥର ସଞ୍ଚାର (ଅନଲାଇନ) ମାଧ୍ୟମରେ କରାଯିବ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଭୋଟର ହେଲ୍ପ ଲାଇନ ନାମରେ ସ୍ବତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି।

ଆପ୍ ଡାଉନ୍‌ଲୋଡ୍ କରିସାରିବା ପରେ ଫର୍ମ ପୂରଣ କରିବାକୁ ହେବ ଓ ସଠିକ ବାସସ୍ଥାନ ଠିକଣା ନିମନ୍ତେ ବିଦ୍ୟୁତ ବିଲ, ଟେଲିଫୋନ୍ ବିଲ କିମ୍ବା ଜମିଜମା ଦସ୍ତାବିଜକୁ ସ୍କାନ କରି ଅପ୍‌ଲୋଡ୍ କରିବାକୁ ହେବ। ସେହିପରି ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ପ୍ୟାନ୍‌କାର୍ଡ, ମାଟ୍ରିକ ପ୍ରମାଣପତ୍ର, ଡ୍ରାଇଭିଂ ପ୍ରମାଣପତ୍ର ସ୍କାନ୍ କପି ସହ ପାସ୍‌ପୋର୍ଟ ସାଇଜ ଫଟୋ ଅପ୍‌ଲୋଡ୍ କରିବାକୁ ହେବ। ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଈ ଦେବେ କିମ୍ୱା ସ୍ପୀଡ଼ ପୋଷ୍ଟ ମଧାମରେ ଘରକୁ ପଠାଯିବ। ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ପ୍ରଥମ ଓ ତୃତୀୟ ରବିବାର ସରକାରୀ ଅଧିକାରୀମାନେ ବୁଥରେ ରହିବେ। ଲୋକମାନେ ସେଠାକୁ ଯାଇ ମଧ୍ୟ ଭୋଟର ତାଲିକା ସଂଶୋଧନ କରିପାରିବେ। ଉପାନ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନଭେମ୍ବର ୧ ରୁ ଆରମ୍ଭ ହେଉଥିବା ପ୍ରକ୍ରିୟା ଏକ ମାସ ଧରି ଚାଲିବ। ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ। ଦୁଇଟି ଭୋଟର ପରିଚୟପତ୍ର ଥିବା ଏକ ଲକ୍ଷ ଲୋକଙ୍କୁ ଆମେ ସ୍ବୟଂକ୍ରିୟ ବ୍ୟବସ୍ଥା ଦ୍ୱାରା ବାଦ ଦିଆଯାଇଥିଲା ବେଳେ ଆହୁରି ୪ ଲକ୍ଷ ଆବେଦନ ପଡିରହିଛି।

ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ରାଜ୍ୟ ୯ ଜଣ ବରିଷ୍ଠ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ପର୍ଯ୍ୟବେକ୍ଷକମାନେ ଜିଲା ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରିବା ପରେ ଜିଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବେ। ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଫଇସଲା କରାଯାଇ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Comments are closed.