ଭୁଲରେ ବିଜେପିକୁ ଭୋଟ ଦେବାରୁ ନିଜ ଆଙ୍ଗୁଠି କାଟିଦେଲେ ବିଏସପି ସମର୍ଥକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜଣେ ଭୋଟର ଭୁଲରେ ବିଜେପିକୁ ଭୋଟ ଦେବା ପରେ ନିଜର ଆଙ୍ଗୁଠିକୁ କାଟି ଦେଇଛନ୍ତି। ବୁଲନ୍ଦସହରରେ ଗତ ଗୁରୁବାର ଏଭଳି ଘଟଣା ଘଟିଛି। ଯୁବକ ଜଣକ ହେଲେ ବିଏସପି  ସମର୍ଥକ। ତାଙ୍କ ନାମ ପୱନ କୁମାର(୨୫) ଏବଂ ଘର ଶିକରପୁରର ଅବଦୁଲ୍ଲାପୁର ହୁଲାସନ ଗ୍ରାମରେ।

ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୱନ ନିଜ ଅଞ୍ଚଳର ବୁଥ୍‌କୁ ଭୋଟ ଦେବାକୁ ଯାଇଥିଲେ। ସେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଆରଏଲଡି ମେଣ୍ଟରେ ବିଏସପିରୁ ପ୍ରାର୍ଥୀ ହୋଇଥିବା ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ। ତେଣୁ ଇଭିଏମରେ ବିଏସପି ଚିହ୍ନରେ ବଟନ ଚିପିବା ବଦଳରେ ସେ ବିଜେପି ବଟନକୁ ଚିପି ଦେଇଥିଲେ। ଫଳରେ ତାଙ୍କ ଭୋଟଟି ଭୁଲବଶତଃ ବିଜେପି ଏମପି ତଥା ପ୍ରାର୍ଥୀ ଭୋଲା ସିଂହଙ୍କ ଖାତାକୁ ଚାଲିଯାଇଥିଲା। ଭୁଲରେ ସେ ଏଭଳି କରିଥିବାରୁ ଦୁଃଖପ୍ରକାଶ କରିଥିଲେ। ଏହି ଭୁଲ ପାଇଁ ନିଜକୁ ଦଣ୍ଡ ଦେବା ଲାଗି​‌ ସେ ଇଭିଏମରେ ବଟନ ଚିପିଥିବା ଆଙ୍ଗୁଠିକୁ କାଟି ଦେଇଥିଲେ। ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ଦୁଃଖ ପ୍ରକାଶ କରିଥିଲେ।

Comments are closed.