ଭୋଡାଫୋନ ଓ ଆଇଡିଆ ମିଶ୍ରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

0

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଟେଲିକମ କମ୍ପାନୀ ଭୋଡାଫୋନ ଏବଂ ଆଇଡିଆର ମିଶ୍ରଣ ରାଜିନାମକୁ ଗୁରୁବାର କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ରିଲାଏନ୍ସ ଜିଓ ଭାରତ ଟେଲିକମ ବଜାରରେ ବିପ୍ଳବ ଆଣିବା ପରେ ଅନେକ ଟେଲିକମ୍‍ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତାରେ ପଛରେ ପଡିଯାଇଥିଲେ। ଇତି ମଧ୍ୟରେ କେତେକ କମ୍ପାନୀ ଦେବାଳିଆ ହୋଇ ବୁଡ଼ିଯାଇଛନ୍ତି। ବାକି କିଛି ରିଲାଏନ୍ସ ଜିଓକୁ ଟକ୍କର ଦେଇ ପ୍ରତିଦ୍ୱନ୍ଦ୍ୱିତାରେ ତିଷ୍ଟି ରହିଛନ୍ତି। ସେଥିମଧ୍ୟରେ ଭୋଡ଼ାଫୋନ୍‍ ଦ୍ୱିତୀୟ ଓ ଆଇଡ଼ିଆ ତୃତୀୟ ନମ୍ବରରେ ରହିଛନ୍ତି। ସେପଟେ ଭାରତୀୟ ଏୟାରଟେଲ ଲାଭରେ ଥିଲେ ବି ଲାଭ ହାର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏପରି ସ୍ଥିତିରେ ଟେଲିକମ୍‍ ଦୁନିଆରେ ରିଲାଏନ୍ସ ଜିଓ ଆରମ୍ଭ କରିଥିବା ପ୍ରାଇସ ୱାର (ମୂଲ୍ୟ ଯୁଦ୍ଧ)ରୁ ଉପଭୋକ୍ତା ଲାଭରେ ରହିଛନ୍ତି। ବହୁ କମ ମୂଲ୍ୟରେ ଉପଭୋକ୍ତା ବହୁ ଡାଟା, ଅସୀମିତ କଲ ଓ ଅନ୍ୟାନ୍ୟ ସୁବିଧା ଲାଭ କରୁଛନ୍ତି। ଏହି ସମୟରେ ରିଲାଏନ୍ସ ଜିଓର ମୁକାବିଲା ପାଇଁ ଭୋଡ଼ାଫୋନ୍‍ ଓ ଆଇଡ଼ିଆ ଏକାଠି ହୋଇଛନ୍ତି। ଏହାସହ ଭାରତ ଟେଲିକମ ବଜାର ୩୫% ଅର୍ଥାତ (୪୩) କୋଟି ଉପଭୋକ୍ତା ଭୋଡ଼ାଫୋନ୍‍-ଏୟାରଟେଲ ସହ ସିଧାସଳଖ ଯୋଡ଼ି ହୋଇଛନ୍ତି। ସରକାରଙ୍କ ମଞ୍ଜୁରୀ ମିଳିବାପରେ କମ୍ପାନୀର ନାମ ଭୋଡାଫୋନ-ଆଇଡିଆ ଲିମିଟେଡ ରହିବ। ଏହାଦ୍ୱାରା ଭାରତୀ ଏୟାରଟେଲକୁ ପଛରେ ପକାଇ ଭୋଡାଫୋନ-ଆଇଡିଆ ଲିମିଟେଡ କମ୍ପାନୀ ଏକ ନମ୍ବର ସ୍ଥାନ ଅକ୍ତିଆର କରିବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଏୟାରଟେଲର ୩୪.୪ କୋଟି ଉପଭୋକ୍ତା ରହିଛନ୍ତି। ମଞ୍ଜୁରୀ ପ୍ରଦାନ ପରେ ଟେଲିକମ ଟ୍ରିବ୍ୟୁନାଲର ସମସ୍ତ ନିୟମକୁ ମାନି କମ୍ପାନୀ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସରକାର କହିଛନ୍ତି।
ଭୋଡାଫୋନ ଆଇଡିଆ ଲିମିଟେଡ କମ୍ପାନୀର କୁମାର ମଙ୍ଗଲମ ବିର୍ଲା ଅଧ୍ୟକ୍ଷ ରହିଥିବାବେଳେ ବଲେଶ ଶର୍ମା ସିଇଓ ରହିଛନ୍ତି।

Leave A Reply