ହାଜତରେ ମହିଳାଙ୍କୁ ପୁଲିସର ୫ ଦିନ ବଳାତ୍କାର

ଭୋପାଳ: ହତ୍ୟା ଅଭିଯୋଗରେ ଅଟକ ଥିବା ଜଣେ ମହିଳାଙ୍କୁ ହାଜତରେ ପୁଲିସ କର୍ମଚାରୀ ୫ ଦିନ ଧରି ବଳାତ୍କାର କରିଥିବା ଭଳି ଦୁର୍ଭାଗ୍ୟଜନକ ଘଟଣା ସମ୍ପର୍କିତ ଅଭିଯୋଗ ହୋଇଛି ମଧ୍ୟପ୍ରଦେଶର ରେୱା ଜିଲାରେ। ଜଣେ ୨୦ ବର୍ଷୀୟା ଏହି ଅଭିଯୋଗ ଆଣିଛନ୍ତି। ଏହି ଘଟଣା ମେ ୯ରୁ ମେ ୨୧ ମଧ୍ୟରେ ଘଟିଥିଲେ ମଧ୍ୟ ଚଳିତ ମାସ ୧୦ରେ ଅତିରିକ୍ତ ଜିଲା ଜଜ୍‌ଙ୍କ ଦ୍ବାରା ଜେଲ ଯାଞ୍ଚ ହେଉଥିବା ସମୟରେ ସାମ୍ନାକୁ ଆସିଛି। ସମ୍ପୃକ୍ତ ମହିଳା ଅତିରିକ୍ତ ଜିଲା ଜଜ୍‌ଙ୍କୁ ଭେଟି ଏହି ଅଭିଯୋଗ କରିବା ପରେ ଜଜ୍‌ ଏହାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ, ହତ୍ୟା ମାମଲାରେ ଅଭିଯୁକ୍ତ ମହିଳା ଜଣଙ୍କୁ ପୁଲିସ ପଚରାଉଚୁରା ଆଳରେ ୫ଦିନ କାଳ ଥାନା ହାଜତରେ ଅଟକ ରଖିବାବେଳେ ଏକାଧିକ କର୍ମଚାରୀ ବଳାତ୍କାର କରିଥିଲେ। ଜଣେ ମହିଳା କନଷ୍ଟେବଳ ବଳାତ୍କାରରେ ସାମିଲ ସହକର୍ମୀଙ୍କୁ ଏଥିରୁ ନିବୃତ୍ତ ରଖିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ବେଖାତିର କରିବା ସହ ତାଙ୍କୁ ଓଲଟା ତାଗିଦା କରିଥିଲେ। ଅପପରପକ୍ଷରେ ପୁଲିସ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ମହିଳାଙ୍କୁ ମେ ୨୧ରେ ଗିରଫ କରାଯାଇଥିଲା ବୋଲି କହିଛି।

Comments are closed.