ଆପତ୍ତିଜନକ ମିମ ସେୟାର କରି ଫସିଲେ ବିବେକ ଓବରୟ, ମହିଳା ଆୟୋଗ ପଠାଇଲା ନୋଟିସ୍‍

ମୁମ୍ବଇ : ସାମାଜିକ ଗଣମାଧ୍ୟମରେ ଏକ ମିମ ସେୟାର କରି ଅଭିନେତା ବିବେକ ଓବରୟ ଫସିଯାଇଛନ୍ତି। ଲୋକସଭା ନିର୍ବାଚନ ଏକ୍‍ଜିଟ୍‍ ପୋଲକୁ ଦେଖି ସୋମବାର ବିବେକ ଟ୍ୱିଟ୍‍ରରେ ଏହି ମିମ ସେୟାର କରିଥିଲେ।
ଏହି ମିମରେ ସଲମାନ ଖାନ, ବିବେକ ଓବରୟ ଏବଂ ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କୁ ମିଶାଇ ଏକ ଫଟୋ ରହିଛି। ମିମରେ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ଫଟୋରେ ଓପିନିୟନ ପୋଲ, ଐଶ୍ୱର୍ଯ୍ୟା, ବିବେକଙ୍କ ଫଟୋରେ ଏକ୍‍ଜିଟ୍‍ ପୋଲ, ଅଭିଷେକ-ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଥିବା ଫଟୋରେ ରିଜଲ୍ଟ ଲେଖାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି। ଅନେକ ଲୋକ ଏହାକୁ ଆପତ୍ତିଜନକ ଟ୍ୱିଟ୍‍ ବୋଲି କହିଛନ୍ତି।
ମଙ୍ଗଳବାର ଜାତୀୟ ମହିଳା ଆୟୋଗ ଅଭିନେତା ବିବେକ ଓବରୟଙ୍କୁ ନୋଟିସ୍‍ ଜାରି କରି ବିବାଦୀୟ ଟ୍ୱିଟ୍‍ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି। ସେହିପରି ମହାରାଷ୍ଟ୍ର ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରହାଟକର ଆପତ୍ତିଜନକ ଟ୍ୱିଟ୍‍କୁ ନେଇ ବିବେକ ଓବରୟଙ୍କୁ ନୋଟିସ୍‍ ପଠାଇଛନ୍ତି। ନୋଟିସ୍‍ରେ ଉଲ୍ଲେଖ ରହିଛି ଯେ ଆପଣ ଟ୍ୱିଟ୍‍ରରେ ଏକ ମିମ ସେୟାର କରି ଜଣେ ମହିଳା ଓ ନାବାଳିକାଙ୍କୁ ଅପମାନ କରିଛନ୍ତି। ଏକ୍‍ଜିଟ୍‍ ପୋଲ ଓ ଜଣେ ମହିଳାଙ୍କ ଜୀବନକୁ ନେଇ ଅପମାନଜନକ ତୁଳନା କରାଯାଇଛି। ଏହି ପୋଷ୍ଟ ମହିଳାଙ୍କ ପ୍ରତି ଅସମ୍ମାନକୁ ଦର୍ଶାଉଛି। ଏଥିପାଇଁ ଆପଣଙ୍କୁ ସନ୍ତୋଷଜନକ ସ୍ପଷ୍ଟୀକରଣ ମଗାଯାଉଛି। ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ଏଥିପାଇଁ ବିବେକ ଓବରୟଙ୍କୁ କ୍ଷମା ମାଗିବାକୁ କହିଛନ୍ତି।

Comments are closed.