ଭିଟାମିନ୍‍ ସି’ କେତେ ଜରୁରୀ!

କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଭିଟାମିନ୍‍ ସି’ ସେବନକୁ ଗୁରୁତ୍ୱ ଦିଆଯାଉଛି। ତେବେ ଏହା କେତେ ପରିମାଣରେ ଏବଂ କେବେ ସେବନ କରିବା ଜରୁରୀ ସେ ସମ୍ପର୍କରେ ଅନେକେ ଡାକ୍ତରଙ୍କ ପରାମର୍ଶ ନେବାକୁ ଉଚିତ ମଣୁନାହାନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଏପରିକି ଭିଟାମିନ୍‍ ସପ୍ଲିମେଣ୍ଟ ନେବା ମଧ୍ୟ ଉଚିତ ନୁହେଁ। ଭିଟାମିନ୍‌ ସି’ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥିଲେ ମଧ୍ୟ ପ୍ରାକୃତିକ ଉତ୍ସରୁ ଭିଟାମିନ୍‍ ସି’ ଏବଂ ପୋଷକ ତତ୍ତ୍ୱ ଆହରଣ କରିବା ସର୍ବୋତ୍ତମ। ଯଦିଓ ଅସୁସ୍ଥତା କ୍ଷେତ୍ରରେ ଭିଟାମିନ୍‍ ସି’ ବଟିକା ସେବନ କରାଯାଇପାରେ, ତେବେ ଏହା ଡାକ୍ତରଙ୍କ ପରାମର୍ଶ କ୍ରମେ କରିବା ଜରୁରୀ। ଏବକାର କରୋନା ସଂକ୍ରମଣ ସ୍ଥିତିରେ ଶରୀରକୁ ସୁସ୍ଥ ରଖିବା ଲାଗି ଭିଟାମିନ୍‍ ସି’ ନିହାତି ଆବଶ୍ୟକ। ଶରୀର ଏହାର ଉତ୍ପାଦନ କରିପାରୁନଥିବାରୁ ଖାଦ୍ୟ ଏବଂ ସପ୍ଲିମେଣ୍ଟରୁ ଏହି ଭିଟାମିନ ଗ୍ରହଣ କରିବାକୁ ପଡେ। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଗୋଟିଏ କମଳା, ବ୍ରୋକୋଲି ଏବଂ ନାଲି ଲଙ୍କାରୁ ଦିନକର ପର୍ଯ୍ୟାପ୍ତ ଭିଟାମିନ୍‍ ସି’ ମିଳିପାରେ। ଏହା ଦୈନିକ ୬୫ରୁ ୯୦ ମିଲିଗ୍ରାମ ଆବଶ୍ୟକ ହେଉଥିବା ବେଳେ ୨୦୦୦ ମିଲିଗ୍ରାମ ପର୍ଯ୍ୟନ୍ତ ସେବନ କରାଯାଇପାରିବ। ଖାଦ୍ୟରୁ ମିଳୁଥିବା ଭିଟାମିନ୍‍ ସି’ କ୍ଷତିକାରକ ହୋଇନଥିଲେ ବି ସପ୍ଲିମେଣ୍ଟର ଅଧିକ ସେବନ ମୁଣ୍ଡବ୍ୟଥା, ବାନ୍ତି, ନିଦ୍ରାହୀନତା ଆଦି ସମସ୍ୟା ସୃଷ୍ଟି କରିପାରେ। ଏମିତିରେ ଭିଟାମିନ୍‍ ସି’ ଥିବା ଖାଦ୍ୟପଦାର୍ଥର ତାଲିକା ଖୁବ୍‍ ଦୀର୍ଘ। ତେବେ ସାଧାରଣତଃ କମଳା, ଲେମ୍ବୁ, ପିଜୁଳି, ଜୁଆଣି, କିୱି, ଲିଚୁ, ଅମୃତଭଣ୍ଡା, ଷ୍ଟ୍ରବେରୀ ଆଦିରୁ ଏହା ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ଚୋପା ସହ ଗୋଟିଏ ଲେମ୍ବୁରେ ପ୍ରାୟ ୮୩ ମିଲିଗ୍ରାମ ଭିଟାମିନ୍‍ ସି’ ରହିଛି। ପୂର୍ବରୁ ସ୍କର୍ଭି ରୋଗ ରୋକିବା ଲାଗି ନାବିକମାନଙ୍କୁ ଲେମ୍ବୁ ଦିଆଯାଉଥିଲା। ଏବେ ମଧ୍ୟ ଲେମ୍ବୁକୁ ଦୁଇଫାଳ କରି ଡାଲି, ତରକାରି, ଚୁଡା, ସୁପ୍‍, ସାଲାଡ ଆଦି ଯେଉଁ ଖାଦ୍ୟରେ ଏହା ଭଲ ଲାଗିବ, ସେଥିରେ ପକାଇ ଖାଇଲେ ସ୍ୱାଦ ସହ ଭିଟାମିନ୍‍ ସି’ ପାଇପାରିବେ।

Comments are closed.