ଭିସୁଟ୍ ଅଧ୍ୟାପିକାଙ୍କୁ କରୋନା: ୧୪ ଦିନିଆ ସଙ୍ଗରୋଧରେ ଗଲେ ୩୮ ଶିକ୍ଷକ ଓ କର୍ମଚାରୀ

୩ ତାରିଖ ପର୍ଯ୍ୟନ୍ତ ଭିସୁଟ୍ ବନ୍ଦ, ୭୫ ଜଣଙ୍କ ସ୍ବାବ ସଂଗ୍ରହ

ବୁର୍ଲା: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ଅଧ୍ୟାପିକାଙ୍କ ସ୍ବାମୀଙ୍କ ମୃତ୍ୟୁ ଓ ତାଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ୭୫ ଜଣଙ୍କ ସ୍ବାବ ଓ ରକ୍ତନମୁନା ସଂଗ୍ରହ କରାଯାଇଛି।  ବିଶ୍ବବିଦ୍ୟାଳୟକୁ ୩ ତାରିଖ ପର୍ଯ୍ୟନ୍ତ ’ନୋ ଏଣ୍ଟ୍ରି ଜୋନ୍’ କରାଯାଇଛି। ସିଭିଲ ଇଞ୍ଜିନିୟରିଂ ବିଭାଗର ଶିକ୍ଷକ ଓ କର୍ମଚାରୀମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।
ଗତ ୨୯ ତାରିଖ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ସିଭିଲ ଇଞ୍ଜିନିୟରିଂ ବିଭାଗର ଜଣେ ଅଧ୍ୟାପିକାଙ୍କ ୫୭ ବର୍ଷ ବୟସ୍କ ସ୍ୱାମୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଭୋର ସାଢ଼େ ୪ଟା ସମୟରେ ଅନୁଗୋଳ କୋଭିଡ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନୁଗୋଳ ନାଲକୋର ଡିଜିଏମ ଥିବା ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଭିସୁଟ ଅଧ୍ୟାପିକା (୫୨) ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି କରୋନା ହଟସ୍ପଟ ଗଞ୍ଜାମ ଜିଲାରୁ ନିଜ ମାଁଙ୍କ ଶ୍ରାଦ୍ଧ ପରେ ନାଲକୋ ଏବଂ ପରେ ପରେ ଭିସୁଟ କଲୋନୀସ୍ଥିତ ତାଙ୍କ ପତ୍ନୀଙ୍କ ସରକାରୀ କ୍ବାଟରକୁ ଆସିଥିଲେ। ଏହି ଦମ୍ପତିଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତାଲିକା ଲମ୍ବିବାରେ ଲାଗିଛି। ଡାକ୍ତରୀ ଦଳ, ଭିସୁଟ କର୍ତ୍ତୃପକ୍ଷ ତଥା ପୁଲିସ ପକ୍ଷରୁ ପ୍ରାରମ୍ଭିକ ଭାବରେ ୭୫ ଜଣଙ୍କୁ ଚିହ୍ନଟ କରାଯାଇ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବୁଧବାର ସେମାନଙ୍କ ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇଛି। ଅଧ୍ୟାପିକା ଏବଂ ତାଙ୍କ ସ୍ୱାମୀଙ୍କ ପାଇଁ ବ୍ୟବହୃତ ଘରୋଇ ଅଟୋଚାଳକର କୌଣସି ଖୋଜଖବର ମିଳୁନାହିଁ। ଅଟୋ ଚାଳକ ଏବେ କରୋନା ସୁପର ସ୍ପ୍ରେଡର ହେବା ସାଧାରଣରେ ଆଶଙ୍କା କରାଯାଉଛି। ତେବେ, ବୁଧବାର ଭିସୁଟ ପରିସରକୁ ସାନିଟାଇଜ କରାଯାଇଥିବା ମହାନଗର ନିଗମ ଶାଖାର ସାନିଟାରୀ ଅଧିକାରୀ ରଞ୍ଜିତ ପରିଡ଼ା ସୂଚନା ଦେଇଛନ୍ତି।
ଭିସୁଟ୍‌ର ୨୮ ଜଣ ଅଧ୍ୟାପକ ଏବଂ ୧୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଆକାଉଣ୍ଟ ସେକ୍ସନ କର୍ମଚାରୀ, ଅଧ୍ୟାପିକାଙ୍କ ଘରେ କାମ କରୁଥିବା ରୋଷେୟା, ଚାକରାଣୀଙ୍କୁ ମିଶାଇ ପ୍ରାୟ ୭୫ ଜଣଙ୍କୁ ଭିସୁଟର ପୁଲହ ଛାତ୍ରାବାସ କୋଭିଡ କେୟାର ସେଣ୍ଟରରେ ରଖାଯାଇଛି। ଆକାଉଣ୍ଟ ସେକ୍ସନ ବ୍ୟତୀତ ଅଧ୍ୟାପିକା ଜଣକ ବୁର୍ଲା ଏସବିଆଇ ଶାଖାକୁ ମଧ୍ୟ ଯାଇଥିଲେ। ଏନେଇ ୩ ଜଣ ଏସବିଆଇ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇଛି। ମାତ୍ର ଏସବିଆଇ ବନ୍ଦ କରିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ବ୍ୟାଙ୍କ ଶାଖାକୁ ଅଧ୍ୟାପିକାଙ୍କ ସ୍ୱାମୀ ମଧ୍ୟ ଯାଇଥିଲେ। ଶାଖା କର୍ମଚାରୀଙ୍କ ସହ ଶହ ଶହ ସାଧାରଣ ଲୋକ ମଧ୍ୟ ସଂକ୍ରମିତ ହେବା ଆଶଙ୍କା ରହିଛି।

ସେହିପରି ଅଧ୍ୟାପିକାଙ୍କ ଘରେ କାମ କରୁଥିବା ମହିଳା ବୁର୍ଲା ପାଣି ଟାଙ୍କି ପଡ଼ାର ହୋଇଥିବାବେଳେ ସେ ଅନ୍ୟ ମାନଙ୍କ ଘରେ ମଧ୍ୟ କାମ କରେ। ବାହାରେ ମିଶାମିଶି କରିଥିବା ଜଣାପଡ଼ିଛି। ଅଧ୍ୟାପିକାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ଭିମସାର ମେଡିକାଲକୁ ନେଇ ଆସିଥିବା ଅଟୋଚାଳକ ସମ୍ବଲପୁର ଅଭିମୁଖେ ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ନେଇ ଯାଇଥିଲା। ଗତ ୨୯, ୩୦ ଓ ୧ ତାରିଖ ଉକ୍ତ ଅଟୋଚାଳକ କେତେ ଯାତ୍ରୀଙ୍କୁ କେଉଁ ସ୍ଥାନରୁ କେଉଁ ସ୍ଥାନରେ ଛାଡ଼ିଛି ତାର ଆକଳନ କରିବା ମଧ୍ୟ କଷ୍ଟକର। ଭିସୁଟର ଏହି କରୋନା ସଂକ୍ରମଣ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି।

Comments are closed.