ସଚିବଙ୍କ ଜିଲା ଗସ୍ତ ରିପୋର୍ଟ : ସନ୍ତୋଷଜନକ ନୁହେଁ ଶିକ୍ଷା ଓ ସ୍ବାସ୍ଥ୍ୟସେବା

-ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେ‌େ‌ଷଜ୍ଞଙ୍କ ଅଭାବ ରହିଛି,      -ବିଦ୍ୟାଳୟରେ ଟିଜିଟି ପଦ ଖାଲି
-ଇଣ୍ଟରନେଟ ନଥିବାରୁ ସେବା ବାଧାପ୍ରାପ୍ତ,           -ଅଙ୍ଗନବାଡ଼ି କେନ୍ଦ୍ରରେ ଉପସ୍ଥାନ କମୁଛି

ଭୁବନେଶ୍ବର : ଖୋର୍ଦ୍ଧା ଜିଲାରେ ଅଧିକାଂଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞଙ୍କ ଅଭାବ ରହିଛି। ଅନୁସୂଚି ଜନଜାତି ଓ ଅନୁସୂଚିତ ଜାତି ବିଦ୍ୟାଳୟରେ ୫୦ଭାଗ ଟିଜିିଟି ପଦ ଖାଲିପଡ଼ିଛି। ଗଜପତି ଜିଲାରେ ଥିବା ଆଦର୍ଶ ବିଦ୍ୟାଳୟରୁ ଅଧିକାଂଶ ସ୍ଥାନରେ ଅଧ୍ୟକ୍ଷ ଓ ପିଜିଟି ନାହାନ୍ତି। ଇଣ୍ଟରନେଟ ଅଭାବରୁ ବ୍ୟାଙ୍କ ​ସେବା ବାଧାପ୍ରାପ୍ତ ହେଉଛି । ସୁନ୍ଦରଗଡ଼ରେ ଭିନ୍ନକ୍ଷମଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ସଚିବଙ୍କ ‌ଜିଲା ଗସ୍ତ ରିପୋର୍ଟରୁ ଏସବୁ ତଥ୍ୟ ମିଳିଛି। ଏସବୁର ତୁରନ୍ତ ସମାଧାନ ନିମନ୍ତେ ସେମାନେ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଅନୁଧ୍ୟାନ ପାଇଁ ବିଭିନ୍ନ ବିଭାଗର ଶାସନ ସଚିବଙ୍କୁ ଦାୟିତ୍ବ ଦିଆଯାଇଛି। ତଦନୁସାରେ ସଚିବମାନେ ବିଭିନ୍ନ ଜିଲା ଗସ୍ତରେ ଯାଉଛନ୍ତି। ଇତିମଧ୍ୟରେ କେତେକ ବିଭାଗର ସଚିବ ସେମାନଙ୍କ ଗସ୍ତ କାଳର ଅନୁଧ୍ୟାନ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି। ନିକଟରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ସଚିବଙ୍କ ଜିଲା ଗସ୍ତ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା।
ଖୋର୍ଦ୍ଧା ଜିଲା ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି ଯେ ଏଠାରେ ଅଧିକାଂଶ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ସଂଖ୍ୟା ବଢ଼ିଥିଲେ‌ ହେଁ ସେଠାରେ ସେକ୍ସନ କରାଯାଇ ନାହିଁ। ଜଣେ ଲେଖାଏଁ ଶିକ୍ଷକ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତେଣୁ ଏସବୁ ବିଦ୍ୟାଳୟରେ ଶ୍ରେଣୀ ପିଛା ଅଧିକ ସେକ୍ସନ ଓ ଶିକ୍ଷକ ନିଯୁକ୍ତି କରାଯିବା ଆବଶ୍ୟକ ବୋଲି ସଚିବ ପ୍ରସ୍ତାବ ରଖିଛନ୍ତି। ଏହି ଜିଲାର ଅଧିକାଂଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି)ରେ କୌଣସି ବିଶେଷଜ୍ଞ ନାହାନ୍ତି। ଏହାଛଡ଼ା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ପ୍ରାୟ ୫୦ପ୍ରତିଶତ ଟିଜିିଟି ପଦ ଖାଲିପଡ଼ିଛି।
ଗଜପତି ଜିଲାରେ ଥିବା ଆଦର୍ଶ ବିଦ୍ୟାଳୟରେ ବହୁ ସଂଖ୍ୟକ ଅଧ୍ୟକ୍ଷ, ପିଜିଟି ପଦ ଖାଲିପଡ଼ିଛି। ଅଗ୍ନିଶମ ବିଭାଗ ନିରାପତ୍ତା ସର୍ତ୍ତାବଳି ଅନୁସାରେ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ମାନବ ସମ୍ବଳ ନାହାନ୍ତି। ଇଣ୍ଟରନେଟ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଜିଲାର ଅଧିକାଂଶ ଅଞ୍ଚଳରେ ବ୍ୟାଙ୍କିଂ ସେବା ବାଧାପ୍ରାପ୍ତ ହେଉଛି। ଏହି ଜିଲାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ବିକାଶ ଓ କାର୍ଯ୍ୟକାରିତା ତୃତୀୟ ପକ୍ଷ ଦ୍ବାରା ତଦାରଖର ଆବଶ୍ୟକତା ରହିଛି। ପାରଳାଖେମୁଣ୍ଡିଠାରେ ନବନିର୍ମିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ସ୍ଥାନ ଥିବାରୁ ଜିଲା କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ କୋଠା ନିର୍ମାଣ ପରିବର୍ତ୍ତେ ସେଠାରେ ଅଫିସ କାର୍ଯ୍ୟ କରାଯିବାକୁ ପ୍ରସ୍ତାବ ଦିଆଯାଇଛି।
କୋରାପୁଟ ଜିଲାରେ ଅଧିକାଂଶ ଆଦର୍ଶ ବିଦ୍ୟାଳୟରେ ଖେଳପଡ଼ିଆ ଏବଂ ପାଚେରି ନାହିଁ। ଏହି ଜିଲାରେ ଶୀତଳ ଭଣ୍ଡାର ସୁବିଧା ମଧ୍ୟ ନାହିଁ। ଜିଲାରେ କୋଠାବାଡ଼ି ନିର୍ମାଣ ନିମନ୍ତେ ମୋରମ ଆଦି ନିର୍ମାଣ ସାମଗ୍ରୀ ଉପଲବ୍ଧ ହେଉ ନଥିବାରୁ ଏଠାରେ ନିର୍ମାଣ କାର୍ଯ୍ୟ ପାଇଁ ପୃଥକ ଦର ଧାର୍ଯ୍ୟ କରାଯିବା ଆବଶ୍ୟକ।
ବରଗଡ଼ ଜିଲା ଗସ୍ତ କରିଥିବା ସଚିବ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଘରୋଇ ବସ ଷ୍ଟାଣ୍ଡ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ସମସ୍ୟା ରହିଛି। ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟର ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟର ପ୍ରଶାସନିକ ଅନୁମୋଦନ ବିଷୟ ବିଚାରକୁ ନେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଗଞ୍ଜାମ ଜିଲା ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଜିଲାରେ ଅଧିକାଂଶ ଅଙ୍ଗନବାଡ଼ି ବିଦ୍ୟାଳୟ କୋଠା ନିକଟରେ କିମ୍ବା ବିଦ୍ୟାଳୟ କୋଠା ପରିସରରେ ଚାଲିଛି। ଏଠାରେ ଉପସ୍ଥାନ ହାର ମଧ୍ୟ ନଗଣ୍ୟ। ଜିଲାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବା ଦିଗରେ ପଦ​‌େ​‌କ୍ଷପ ନିଆଯିବା ପାଇଁ ପ୍ରସ୍ତାବ ଆସିଛି।
ସୁନ୍ଦରଗଡ଼ ଜିଲାରେ ବିଭିନ୍ନ ସରକାରୀ ଯୋଜନାରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଥିବାରୁ ଏହାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ସଚିବ ପ୍ରସ୍ତାବ ଦେଇଛନ୍ତି। କଟକ ଜିଲାରେ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବି​‌େ​‌ଶଷ କରି ବଡ଼ମ୍ବା ଓ ନରସିଂହପୁରରେ ଲାବୋରେଟୋରୀ ଟେକ୍ନିସିଆନ ନାହାନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ପେନସନ ଠିକଣା ସମୟରେ ଉପଯୁକ୍ତ ଭାବେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି ବୋଲି ସଚିବ ତାଙ୍କ ‌ରିପୋର୍ଟରେ କହିଛନ୍ତି। ସଚିବ ସ୍ତରୀୟ ବୈଠକରେ ଏସବୁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ବ ଦିଆଯାଇଛି।

Comments are closed.