ସମର୍ଥନ କଲେ ଉପରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ମହିଳା ସ୍ଥାନ ସଂରକ୍ଷଣ ବିଧେୟକକୁ ପୂର୍ବରୁ ସମର୍ଥନ କରୁଥିଲି, ଏବେ ମଧ୍ୟ କରୁଛି ଏବଂ ଭବିଷ୍ୟତରେ ମଧ୍ୟ ସମର୍ଥନ ଜାରି ରଖିବି ବୋଲି ଗୁରୁବାର ସନ୍ଧ୍ୟାରେ ବିଜେଡି ସାଂସଦଙ୍କ ଆଲୋଚନା ବେଳେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଜଣାଇଛନ୍ତି। ଏପରିକି ମହିଳା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟ ଖୋଲାଖୋଲି ପ୍ରକାଶ କରିବାରେ କୌଣସି ଅସୁବିଧା ନାହିଁ ବୋଲି ବିଜେଡି ସାଂସଦଙ୍କୁ ଉପରାଷ୍ଟ୍ରପତି କହିଥିଲେ। ବିଜେଡି ସଂସଦୀୟ ଦଳ ତରଫରୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ମହିଳା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ସ୍ତରରେ ସହମତି ନିମନ୍ତେ ତାଙ୍କ ସହଯୋଗ ଓ ସମର୍ଥନ ଲୋଡ଼ାଯାଇଥିଲା। ବିଜେଡି ପକ୍ଷରୁ ଦର୍ଶାଯାଇଥିଲା ଯେ ଏବେ ସମୟ ଆସିଛି ମହିଳାଙ୍କ ପାଇଁ ସଂସଦୀୟ ବ୍ୟବସ୍ଥାରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ। ତେବେ ନବୀନ ବାବୁଙ୍କ ଉଦ୍ୟମ ପ୍ରଶଂସନୀୟ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ବେଶ୍‌ ସହାୟକ ହୋଇ ପାରିବ ବୋଲି ବିଜେଡି ସାଂସଦମଣ୍ଡଳୀକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କହିଛନ୍ତି ବୋଲି ସାକ୍ଷାତ ପରେ ଗଣମାଧ୍ୟମକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଥିଲେ।
ବିଜେଡି ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସାଂସଦ ସର୍ବଶ୍ରୀ ରବିନ୍ଦ୍ର ଜେନା, ପ୍ରତାପ ଦେବ, ବଳଭଦ୍ର ମାଝୀ, ସିଦ୍ଧାନ୍ତ ମହାପାତ୍ର, ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭର୍ତ୍ତୃହରି ମହତାବ, ତଥାଗତ ଶତପଥି, ଅନୁଭବ ମହାନ୍ତି, ଅର୍ଜୁନଚରଣ ସେଠୀ, କଳିକେଶ ସିଂହଦେଓ ଏବଂ ମହିଳା ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ସରସ୍ୱତୀ ହେମ୍ରମ୍ବ, ରୀତା ତରାଇ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ସ୍ଥାନୀୟ ମୌଲାନା ଆଜାଦ୍‌ ରୋଡ୍‌ସ୍ଥିତ ତାଙ୍କ ସରାକାରୀ ବାସଭବନରେ ଭେଟିଥିଲେ।

Leave A Reply