ସବୁ ରବିବାରରେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟକୁ ଅପ୍ରେଲ ୨୬ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।
ଭର୍ଚୁଆଲ୍‌ ମୋଡ୍‌ରେ ଜନଜାତି ସଂଗ୍ରହାଳୟକୁ ଜନସାଧାରଣ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @scstrti, @stscdev ଖୋଲି ପ୍ରତ୍ୟେକ ରବିବାର ବୁଲି ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

ଦେଶର ଶ୍ରେଷ୍ଠ ବିବେଚିତ ଏହି ଜନଜାତି ସଂଗ୍ରହାଳୟ ‘ମାନବ ସଂଗ୍ରହାଳୟ’ ଭାବେ ପରିଚିତ। ଏଠାରେ ୬୨ଟି ଜନଜାତି ଓ ୧୩ଟି ଆଦିମ ଜନଜାତିଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ପାଞ୍ଚଗୋଟି ଗ୍ୟାଲେରୀ ସହ ପିଭିଟିଜି ଗ୍ୟାଲେରୀ ରହିଛି। ଆଉ ମଧ୍ୟ ଜନଜାତି ପୂଜାପୀଠ, ଜନଜାତି ବାସଗୃହ, କାରୁକୃତି ଓ ବ୍ୟବହୃତ ବସ୍ତୁର ସମାହାର ସହ ଅଡିଟୋରିୟମ୍‌ ଆଦି ରହିଛି। ଭର୍ଚୁଆଲ୍‌ ମୋଡ୍‌ରେ ଆରମ୍ଭ ହୋଇଥିବା ୬ ମିନିଟ୍‌ର ବୃତ୍ତଚିତ୍ରରେ ଦର୍ଶକମାନେ ଜନଜାତି ସଂଗ୍ରହାଳୟ ସଂପର୍କରେ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି।

Comments are closed.