ଜନଜାତି ସଂଗ୍ରହାଳୟରେ ଭର୍ଚୁଆଲ ପରିଦର୍ଶନ ବ୍ୟବସ୍ଥା

- ୧୪ ସପ୍ତାହ ବ୍ୟାପୀ ଚାଲିବ - ପ୍ରଦର୍ଶିତ ହେବ ଜନଜାତି ଜୀବନଶୈଳୀ ବୃତ୍ତିଚିତ୍ର

ଭୁବନେଶ୍ୱର: ଏଣିକି ଦର୍ଶକ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଘରେ ବସି ପରିଦର୍ଶନ କରିପାରିବେ। ଏନେଇ ଭର୍ଚୁଆଲ ପରିଦର୍ଶନ ବ୍ୟବସ୍ଥା କରାଯାଇଛି। ସିଆର୍‌ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ଏହି ସଂଗ୍ରହାଳୟ ଦର୍ଶକଙ୍କ ନିମନ୍ତେ କରୋନା ପରିପ୍ରେକ୍ଷୀରେ ବନ୍ଦ ରହିଛି। ତେବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୫-ଟି ପଦକ୍ଷେପ ସ୍ବରୂପ ଦର୍ଶକଙ୍କ ନିମନ୍ତେ ଆଦିବାସୀ କଳାବସ୍ତୁ, ହାବିଟାଟ ଓ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ପରିଦର୍ଶନ ବ୍ୟବସ୍ଥା କରାଯାଇଛି। ଏଥିରେ ରାଜ୍ୟର ୬୨ଟି ଜନଜାତି ସମ୍ପ୍ରଦାୟର ଜୀବନଶୈଳୀ ଓ ସଂସ୍କୃତିର ପ୍ରଦର୍ଶନ କରାଯାଉଛି।

ଭର୍ଚୁଆଲ ଭାବେ ମ୍ୟୁଜିୟମ ପରିଦର୍ଶନ କରିବାକୁ ଆଗ୍ରହୀ ବ୍ୟକ୍ତିବିଶେଷ ଫେସ୍‌ବୁକ୍‌ ଓ ଟ୍ବିଟରରେ ଏସ୍‌ସିଏସ୍‌ଟିଆର୍‌ଟିଆଇ @scstrti ଓ ଏସ୍‌ଟିଆଣ୍ଡଏସ୍‌ସି ଡେଭଲପମେଣ୍ଟ ଡିପାର୍ଟମେଣ୍ଟ, ମାଇନରିଟିସ୍‌ ଆଣ୍ଡ ବ୍ୟାକ୍‌ୱାର୍ଡ କ୍ଲାସ୍‌ ୱେଲଫେୟାର ଡିପାର୍ଟମେଣ୍ଟ ଓଡ଼ିଶା @ stscdev ପେଜ୍‌ ଖୋଲି ଦେଖିପାରିବେ। ପ୍ରତ୍ୟେକ ସପ୍ତାହରେ ଦର୍ଶକ ଭିନ୍ନ ଭିନ୍ନ ଗ୍ୟାଲେରୀ ଓ ଜନଜାତି ବାସଗୃହ ପରିଦର୍ଶନ କରିପାରିବେ। ଏହି ଭର୍ଚୁଆଲ ଟୁର୍‌ ଅଗଷ୍ଟ ୨ରୁ ଆରମ୍ଭ ହୋଇଛି। ଏହା ୧୪ ସପ୍ତାହ ବ୍ୟାପୀ ଚାଲିବ। ଦର୍ଶକମାନେ ପ୍ରତ୍ୟେକ ସପ୍ତାହରେ ଜନଜାତିଙ୍କ ଜୀବନଶୈଳୀର ବିଭିନ୍ନ ଦିଗ ଉପରେ ବୃତ୍ତଚିତ୍ର ଦେଖିପାରିବେ। ଗତ ୨ତାରିଖରେ ଦର୍ଶକ ରାଜ୍ୟ ଆଦିବାସୀ ସଂଗ୍ରହାଳୟର ମୁଖ୍ୟ ଗ୍ୟାଲେରୀ, ୯ ତାରିଖରେ ପ୍ରାଚୀନ ଜନଜାତି ଗୋଷ୍ଠୀର ଗ୍ୟାଲେରୀକୁ ଭର୍ଚୁଆଲ ଟୁର୍‌ କରିଥିଲେ। ଅଗଷ୍ଟ ୧୬ରେ ସଂଗ୍ରହାଳୟରେ ଥିବା ଜୁଆଙ୍ଗ, ସାନ୍ତାଳ, ଗୋଣ୍ଡ ଓ ଲାଞ୍ଜିଆ ସଉରା ଘରକୁ ଭର୍ଚୁଆଲ ଟୁର୍‌ କରିପାରିବେ। ଏହା ଦ୍ବାରା ଘରେ ବସି ସଂଗ୍ରହାଳୟ ବୁଲି ହେବ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।
ଲିଙ୍କ: https://my.matterport.com/show/?m=rPyJFNyYHy4

Comments are closed.