କୋହଲି ଦେଶର ସବୁଠାରୁ ଦାମୀ ପ୍ରସିଦ୍ଧ ବ୍ୟକ୍ତି

ନୂଆଦିଲ୍ଲୀ : ତାଙ୍କର ବ୍ୟାଟିଂ ଦକ୍ଷତା ଏବଂ ନେତୃତ୍ବ ଯୋଗୁଁ ଦିନକୁ ଦିନ ବିରାଟ କୋହଲିଙ୍କ ଖ୍ୟାତି ବଢ଼ିବାରେ ଲାଗିଛି। ଭାରତୀୟ କ୍ରିକେଟ ପାଇଁ ଅଧିନାୟକ କୋହଲିଙ୍କ ଅବଦାନ ବେଶ୍ ମୂଲ୍ୟବାନ। ତେଣୁ ପଡ଼ିଆ ବାହାରେ କୋହଲିଙ୍କ ବ୍ରାଣ୍ଡ୍‌ମୂଲ୍ୟ ଦିନକୁ ଦିନ ବଢ଼ିଚାଲିବା ନେଇ କେହି ବିସ୍ମିତ ହେବା ଅନୁଚିତ। କ୍ରମାଗତ ୩ ବର୍ଷ ଲାଗି କୋହଲି ଭାରତର ସବୁଠାରୁ ସେଲିବ୍ରିଟି (ପ୍ରସିଦ୍ଧ ବ୍ୟକ୍ତିତ୍ବ) ହୋଇ ପାରିଛନ୍ତି। ନାମୀ ସଂସ୍ଥା ଡଫ୍ ଏଣ୍ଡ ଫେଲ୍‌ପସ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ୨୦୧୮ ତୁଳନାରେ ୨୦୧୯ରେ କୋହଲିଙ୍କ ବ୍ରାଣ୍ଡମୂଲ୍ୟରେ ୩୯ ପ୍ରତିଶତ ବୃଦ୍ଧିଘଟିଛି। ଫଳରେ ବିରାଟ କୋହଲି ଭାରତର ସବୁଠାରୁ ମୂଲ୍ୟବାନ ଓ ଶକ୍ତିଶାଳୀ ବ୍ରାଣ୍ଡ୍ ଭାବେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଏହି ଧାରାରେ ବଲିଉଡ୍‌ର ତାରକା ଅକ୍ଷୟ କୁମାର, ରଣବୀର ସିଂହ, ଦୀପିକା ପାଦ୍ୟୁକୋନ୍ ଓ ଶାହାରୁଖ ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି। କେବଳ ଏତିକି ନୁହେଁ; ବ୍ରାଣ୍ଡ୍‌ମୂଲ୍ୟରେ କେହି କୋହଲିଙ୍କ ଆଖପାଖରେ ମଧ୍ୟ ନାହାନ୍ତି।

୨୦୧୯ ବର୍ଷ ବିରାଟ କୋହଲିଙ୍କର ସବୁଠାରୁ ସଫଳ ବର୍ଷ ଥିଲା। ୩ଟିଯାକ ଫର୍ମାଟକୁ ମିଶାଇ କୋହଲି ଏହି ବର୍ଷ ୨୪୫୫ ଆନ୍ତର୍ଜାତିକ ରନ୍ ସ୍କୋର୍ କରିଛନ୍ତି। ଫଳରେ କ୍ରମାଗତ ୪ର୍ଥ ବର୍ଷ କୋହଲି ସର୍ବାଧିକ ଆନ୍ତର୍ଜାତିକ ସ୍କୋରର୍ ହୋଇ ପାରିଛନ୍ତି। ୨୦୧୯ରେ କୋହଲି ୭ଟି ଶତକ ହାସଲ କରିଛନ୍ତି ଏବଂ ଜୀବନର ସର୍ବାଧିକ ସ୍କୋର୍ ଅପରାଜିତ ୨୫୪ ରନ୍ କରିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ୨୦୧୯ ବିଶ୍ବକପ୍‌ର ସେମିଫାଇନାଲ ଖେଳିଥିଲା। ଉକ୍ତ ସର୍ଭେ ଅନୁସାରେ ଡଫ୍ ଏଣ୍ଡ ଫେଲ୍‌ପସ ଘୋଷଣା କରିଛି ଯେ ୨୦୧୯ରେ କୋହଲି ୨୩୭.୫ ନିୟୁତ ଡଲାର (୧୬୯୧ କୋଟି ଟଙ୍କା) ବିଜ୍ଞାପନରୁ ଆୟ କରିଛନ୍ତି। ୨ୟ ସ୍ଥାନରେ ଥିବା ବଲିଉଡ୍‌ ତାରକା ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍‌ମୂଲ୍ୟ ହେଉଛି ୧୦୪.୫ ନିୟୁତ ଡଲାର (୭୪୪ କୋଟି ଟଙ୍କା)। ବଲିଉଡ୍‌ ଦମ୍ପତ୍ତି ଦୀପିକା ପାଦ୍ୟୁକୋନ୍ ଓ ରଣବୀର ସିଂହ ୯୩.୫ ନିୟୁତ ଡଲାର (୬୬୫ କୋଟି ଟଙ୍କା ସହ ଯୁଗ୍ମ ୩ୟ ସ୍ଥାନରେ ଅଛନ୍ତି। ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍ ଖାଁ ୬୬.୧ ନିୟୁତ ଡଲାର (୪୭୦ କୋଟି ଟଙ୍କା) ସହ ୫ମ ସ୍ଥାନରେ ରହିଛନ୍ତି। ଅନ୍ୟ କ୍ରିକେଟରଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ୪୧.୨ ନିୟୁତ ଡଲାର (୨୮୨ କୋଟି ଟଙ୍କା) ସହ ୯ମ ସ୍ଥାନରେ, ସଚିନ ତେନ୍ଦୁଲକର ୨୫.୧ ନିୟୁତ ଡଲାର (୧୭୯ କୋଟି ଟଙ୍କା) ସହ ୧୫ଶ ଏବଂ ରୋହିତ ଶର୍ମା ୨୩ ନିୟୁତ ଡଲାର (୧୬୪ କୋଟି ଟଙ୍କା) ସହ ୨୦ଶ ସ୍ଥାନରେ ରହିଛନ୍ତି।

Comments are closed.