ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ୧ନଂ ସ୍ଥାନ ହରାଇଲେ କୋହଲି

0

ଦୁବାଇ : ଲର୍ଡସ ଟେଷ୍ଟରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ତାଲିକାର ୧ନଂ ସ୍ଥାନ ହରାଇଛନ୍ତି। ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ପୁଣି ୧ନଂ ଟେଷ୍ଟ ବ୍ୟାଟ୍‍ସମ୍ୟାନ ସ୍ଥାନକୁ ଫେରିଛନ୍ତି। ଲର୍ଡସ ଟେଷ୍ଟରେ କୋହଲି ୨୩ ଓ ୧୭ ରନ୍‍ କରିଥିବା ବେଳେ ଭାରତ ୧୦୭ ଓ ୧୩୦ ରନ୍‍କରି ଇନିଂସ ଓ ୧୫୯ ରନ୍‍ରେ ପରାସ୍ତ ହୋଇଥିଲା। ଗତ ସପ୍ତାହରେ ସ୍ମିଥ୍‍ଙ୍କୁ ପଦଚ୍ୟୁତ କରି କୋହଲି ୧ନଂ ଟେଷ୍ଟ ବ୍ୟାଟ୍‍ସମ୍ୟାନ ହୋଇଥିଲେ। ସ୍ମିଥ୍‍ ୯୨୯ ପଏଣ୍ଟ ପାଇଥିବା ବେଳେ କୋହଲି ୯୧୯ ପଏଣ୍ଟରେ ଅଛନ୍ତି।
ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଜେମ୍‍ସ ଆଣ୍ଡରସନ୍‍ ୩୮ ବର୍ଷ ପରେ ପ୍ରଥମଥର ପାଇଁ ୯୦୦ ରାଙ୍କିଙ୍ଗ୍‍ ପଏଣ୍ଟ ଅତିକ୍ରମ କରିଛନ୍ତି। ଟେଷ୍ଟ ବୋଲର ମାନ୍ୟତାରେ ୧ନଂ ସ୍ଥାନ ବଜାୟ ରଖିଥିବା ଆଣ୍ଡରସନ୍‍ ଲର୍ଡସ ଟେଷ୍ଟରେ ମାତ୍ର ୪୩ ରନ୍‍ଦେଇ ୯ଟି ୱିକେଟ ନେଇଥିଲେ। ଇଂଲଣ୍ଡର ଟେଷ୍ଟ ଇତିହାସରେ ସର୍ବାଧିକ ୫୫୩ଟି ୱିକେଟ ନେଇଥିବା ଆଣ୍ଡରସନ୍‍ ବିଶ୍ୱର ଏକମାତ୍ର ବୋଲର ଭାବେ ଲର୍ଡସରେ ୧୦୦ ଟେଷ୍ଟ ୱିକେଟ ହାସଲ କରିଛନ୍ତି। ୨ୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ାଙ୍କଠାରୁ ଆଣ୍ଡରସନ୍‍ ୨୧ ପଏଣ୍ଟ ଆଗରେ ରହିଛନ୍ତି। ଲର୍ଡସ ଟେଷ୍ଟରେ ୨୯ ଓ ଅପରାଜିତ ୩୩ ରନ୍‍ କରିଥିବା ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତାରେ ୧୦ଟି ସ୍ଥାନର ଉନ୍ନତି ଘଟାଇ ୫୭ତମ ସ୍ଥାନରେ ପହଞ୍ଚିଛନ୍ତି। ପୁଣି ଟେଷ୍ଟ ଅଲ୍‍ରାଉଣ୍ଡର ମାନ୍ୟତାରେ ଦକ୍ଷିଣ ଆଫ୍ରିକାର ଭର୍ନନ ଫିଲାଣ୍ଡରଙ୍କୁ ପଛରେ ପକାଇ ଅଶ୍ୱିନ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ବୋଲରଙ୍କ ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟା ୭୪ତମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଅଲ୍‍ରାଉଣ୍ଡର କ୍ରିସ୍‍ ୱକ୍‍ସ ଲର୍ଡସ ଟେଷ୍ଟରେ ଅପରାଜିତ ଶତକ ହାସଲ କରିବା ଯୋଗୁଁ ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ତାଲିକାରେ ୩୪ଟି ସ୍ଥାନର ଉନ୍ନତି ଘଟାଇ ୫୦ତମ ସ୍ଥାନରେ ପହଞ୍ଚିଛନ୍ତି। ପୁଣି ବୋଲିଂ ମାନ୍ୟତାରେ ୱକ୍‍ସ ୩୨ତମ ସ୍ଥାନରେ ପହଞ୍ଚିଥିବା ବେଳେ ଅଲ୍‍ରାଉଣ୍ଡର ମାନ୍ୟତାରେ ୫ଟି ସ୍ଥାନର ଉନ୍ନତି ଘଟାଇ ୱକ୍‍ସ ୭ମ ସ୍ଥାନରେ ପହଞ୍ଚିଛନ୍ତି।

Leave A Reply