ଅଭ୍ୟାସ ସମୟରେ କୋହଲି ଆହତ

ସାଉଥହାମ୍ପଟନ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ଭାଗ ନେଇଥିବା ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ଆସନ୍ତା ୫ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ତେବେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅଭ୍ୟାସ ସମୟରେ ଆଘାତପ୍ରାପ୍ତ ହୋଇଥିବା ଜଣାପଡ଼ିଛି। କୋହଲିଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଛି।
ମିଳିଥିବା ସୂଚନାନୁଯାୟୀ କୋହଲି ଭାରତୀୟ ଦଳ ସହ ସାଉଥହାମ୍ପଟନ୍‌ରେ ଶନିବାର ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ଆଘାତପ୍ରାପ୍ତ ହୋଇଥିଲେ। ତେବେ ବ୍ୟାଟିଂ କରୁଥିବା ବେଳେ କିମ୍ବା ଫିଲଡିଂ କରୁଥିବା ବେଳେ କୋହଲି ଆଘାତପ୍ରାପ୍ତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏ ସଂପର୍କରେ ବିସିସିଆଇ ତରଫରୁ ମଧ୍ୟ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଆଙ୍ଗୁଳିରେ ଆଘାତପ୍ରାପ୍ତ ପରେ କୋହଲିଙ୍କୁ ଭାରତୀୟ ଦଳର ଫିଜିଓ ପାଟ୍ରିକ୍ ଫରହାତ୍ ଚିକିତ୍ସା କରିଥିଲେ। ତାଙ୍କ ଆଙ୍ଗୁଳିରେ ଫିଜିଓ ଔଷଧ ଲଗାଇବା ସହ ବେଶ୍‌ କିଛିସମୟ ଥଣ୍ଡା ପାଣିରେ ଆଙ୍ଗୁଳି ବୁଡାଇ ରଖିଥିଲେ। ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ କୋହଲି ଆଘାତପ୍ରାପ୍ତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳାଯିବାକୁ ହାତରେ କିଛିଦିନ ଥିବାରୁ କୋହଲି ସେତେବେଳ ସୁଦ୍ଧା ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି।
ସୂଚନାଥାଉକି କୋହଲି ଅଭ୍ୟାସ ସମୟରେ ଆଘାତପ୍ରାପ୍ତ ହୋଇଥିବା ବେଳେ ମଧ୍ୟଭାଗ ବ୍ୟାଟସମ୍ୟାନ୍ କେଦାର ଯାଦବ କାନ୍ଧରେ ଆଘାତଜନିତ ସମସ୍ୟାରୁ ସଂପୂର୍ଣ୍ଣ ଭାବେ ମୁକୁଳି ପାରିନାହାନ୍ତି। ସେହିପରି ଅଲରାଉଣ୍ଡର ବିଜୟ ଶଙ୍କର କହୁଣୀରେ ଆଘାତଜନିତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଖେଳି ପାରିନଥିଲେ।

Comments are closed.