ଆମ ପ୍ରଦର୍ଶନ ପେସାଦାର ଥିଲା : କୋହଲି

ଲଣ୍ଡନ୍ : ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍ ମ୍ୟାଚ୍‌ରେ ଭାରତ ୩୬ ରନ୍‌ ବ୍ୟବଧାନରେ ଅ‌େ‌ଷ୍ଟ୍ରଲିଆକୁ ପରାସ୍ତ କରିବା ପରେ ଅଧିନାୟକ ବିରାଟ କୋହଲି ଦଳର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଛନ୍ତି। ମ୍ୟାଚ୍ ପରେ କୋହଲି କହିଥିଲେ, ଆମ ଦଳର ପ୍ରଦର୍ଶନ ସମ୍ପୂର୍ଣ୍ଣ ପେସାଦାର ଥିଲା; ଯାହା ଅଧିନାୟକ ଭାବେ ମୋତେ ବହୁତ ସନ୍ତୋଷ ଦେଇଛି। ଘରୋଇମାଟିରେ ଅଷ୍ଟ୍ରେଲିଆଠାରୁ ଦିନିକିଆ ସିରିଜ୍ ହାରିବା ପରେ ଏହି ବିଜୟ ଆମକୁ ଆହୁରି ଆନନ୍ଦ ଦେଇଛି। ଆମକୁ ପରାକାଷ୍ଠା ଦେଖାଇବାର ଥିଲା। ଆମର ଓପ୍‌ନିଂ ଯୋଡ଼ି ଚମତ୍କାର ବ୍ୟାଟିଂ କରିଥିଲେ। ପରେ ହାର୍ଦିକ, ମୁଁ ଓ ଏମ୍‌ଏସ୍‌ (ଧୋନି) ଭଲ ବ୍ୟାଟିଂ କରୁଥିଲୁ। ଏହା ସତ ଯେ ଏହି ପିଚ୍ ବ୍ୟାଟିଂ ଉପଯୋଗୀ ଥିଲା। ତେବେ ଆମେ ପେସାଦାରଙ୍କ ପରି ବ୍ୟାଟିଂ କରିଥିଲୁ। ମୁଁ ଗୋଟିଏ ପଟ ଜଗିଥିଲି ଏବଂ ଅନ୍ୟପଟୁ ହାର୍ଦିକ ଆକ୍ରମଣ କରିଥିଲେ। ୩୫୦ ରନ୍‌ କରିବା ପରେ ତୁମେ କିଛି ବି ହାଲୁକା ଭା​‌େ​‌ବ କିଛି ନେଇପାରିବ ନାହିଁ। ପାଗ ମେଘୁଆ ହେଲେ, ସାମିଙ୍କୁ ଖେଳିବାର ସୁଯୋଗ ମିଳିବ। ଭୁବନେଶ୍ବର ଉଭୟ ନୂଆ ଓ ପୁରୁଣା ବଲ୍‌ରେ ଚମତ୍କାର ବୋଲିଂ କରିଥିଲେ। ଆମ ଦଳର ସମସ୍ତ ଖେଳାଳି ବେଶ୍ ଅଭିଜ୍ଞ। ତେଣୁ ସେମାନଙ୍କୁ କିଛି କହିବା ଆବଶ୍ୟକ ନାହିଁ।
ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିବା ଶିଖର ଧାୱନ କହିଛନ୍ତି, ଫଳାଫଳ ନେଇ ଆମେ ବହୁତ ଖୁସି। ଏହା ଦଳଗତ ବିଜୟ। ଆମେ ଚମତ୍କାର ଫିଲ୍‌ଡିଂ କରିଥିଲୁ ଏବଂ ପେସ୍ ଓ ସ୍ପିନ୍ ବୋଲିଂ ବିଭାଗରେ ଆମେ ଶକ୍ତିଶାଳୀ ଅଛୁ। ଆମେ ସମସ୍ତ ବିଭାଗରେ ସଫଳ ହୋଇଛୁ। ଭାରତରୁ ଆସଥିବା ବହୁତ ପ୍ରଶଂସକ ଆମକୁ ସମର୍ଥନ କରିଥିଲେ; ସେମାନଙ୍କୁ ଧନ୍ୟବାଦ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ କହିଥିଲେ, ଭାରତ ଶେଷ ୧୦ ଓଭରରୁ ୧୨୦ ରନ୍‌ ନେବା ଆମକୁ ବେଶ୍ ବାଧିଥିଲା। ଏହି ପିଚ୍‌ରୁ ନୂଆବଲ୍‌ରେ ସଫଳତା ମିଳିନଥିଲା। ଡେଭିଡ୍ ୱାର୍ଣ୍ଣରଙ୍କୁ ସେମାନେ ଭଲ ବୋଲିଂ କରିଥିଲେ; ଫଳରେ ରନ୍ ସଂଗ୍ରହ କରିବା ଲାଗି ୱାର୍ଣ୍ଣର କିଛି ସମୟ ନେଇଥିଲେ।

Comments are closed.