କୋହଲି ଏକା ଲଢ଼ିଲେ; ଭାରତ ୨୨୩ରେ ଅଲ୍‌ଆଉଟ

କେପ୍‌ ଟାଉନ୍‌: ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମଥର ପାଇଁ ଟେଷ୍ଟ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ୍‌ ଦଳ ମଙ୍ଗଳବାରରୁ ନ୍ୟୁଲାଣ୍ଡ୍‌ସ ଷ୍ଟାଡିୟମ୍‌ରେ ୩ୟ ଟେଷ୍ଟମ୍ୟାଚ୍‌ରେ ତା’ର ଅଭିଯାନ ଆରମ୍ଭ କରିଛି। ପ୍ରଥମଦିନରେ ଏକାଦଶକୁ ଫେରିଥିବା ଅଧିନାୟକ ବିରାଟ କୋହଲି ଏକା ଲଢ଼ିଥିଲେ ଏବଂ ଚେତେଶ୍ବର ପୂଜାରା ଏକ ଉପଯୋଗୀ ଇନିଂସ ଖେଳିଥିଲେ। ପୁଣିଥରେ କାଗିସୋ ରବାଡା ଓ ମାର୍କୋ ୟାନ୍‌ସେନ୍‌ଙ୍କ ବୋଲିଂ ସମ୍ମୁଖରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ବିଫଳ ହୋଇଛନ୍ତି। କିଛି ଭାରତୀୟ ବ୍ୟାଟ୍‌ସମ୍ୟାନ ଭଲ ବଲ୍‌ରେ ଆଉଟ ହୋଇଥିବା ବେଳେ ଆଉ କିଛି ଖରାପ ସଟ୍‌ ଖେଳି ୱିକେଟ୍‌ ଫିଙ୍ଗିଛନ୍ତି। ଫଳରେ ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ୍‌କରି ଅଲ୍‌ଆଉଟ ହୋଇଯାଇଛି। ଏବେ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିବାର ଦାୟିତ୍ବ ଦଳର ବୋଲରମାନଙ୍କର।
ଶୃଙ୍ଖଳା ୧-୧ ସ୍ଥିତିରେ ଥିବା ବେଳେ ନିର୍ଣ୍ଣାୟକ ୩ୟ ଟେଷ୍ଟ ଜିତିବାକୁ ଉଭୟ ଦଳଙ୍କ ମଧ୍ୟ କଡ଼ା ମୁକାବିଲା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ; ଭାରତୀୟ ଇନିଂସରେ ୧୦ ଜଣଯାକ ବ୍ୟାଟ୍‌ସମ୍ୟାନ୍‌ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ସେଥିରୁ ୱିକେଟ ରକ୍ଷକ କାଏଲ୍‌ ଭେରେନେ ୫ଟି କ୍ୟାଚ୍‌ ନେଇଥିଲେ। ପ୍ରଥମଦିନ ୧୧ଟି ୱିକେଟ ପଡ଼ିଛି। ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭକରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୧ ୱିକେଟ ହରାଇ ୧୭ ରନ୍‌ କରିପାରିଛି। ଅଧିନାୟକ ଡିନ୍ ଏଲ୍‌ଗାର ୩ ରନ୍‌କରି ଯଶପ୍ରୀତ୍‌ ବୁମ୍‌ରାଙ୍କ ଶିକାର ହୋଇଛନ୍ତି। ଐଡେନ୍ ମାର୍କରାମ୍ ୮ ଓ ନାଇଟ୍‌ ୱାଚ୍‌ମ୍ୟାନ୍‌ କେଶବ ମହାରାଜ ୬ ରନ୍‌କରି ଅପରାଜିତ ରହିଛନ୍ତି। ୯ ୱିକେଟ ବାକିଥାଇ ଦକ୍ଷିଣ ଆଫ୍ରିକା ଏବେ ୨୦୬ ରନ୍‌ ପଛରେ ରହିଛି।
ମେଘଭରା ଆକାଶ ସତ୍ତ୍ବେ ଭାରତ ଟସ୍ ଜିତି ବ୍ୟାଟିଂ କରିବାର ସାହସିକ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିବାର ପ୍ରୟାସ କରିଥିଲେ ଭାରତୀୟ ଓପ୍‌ନର। ଦୁହେଁ ୩୧ ରନ୍‌ ଯୋଡ଼ିବା ପରେ ଲାଗଲାଗ ୨ ଓଭର୍‌ରେ ଆଉଟ ହୋଇଥିଲେ। କେ.ଏଲ୍‌. ରାହୁଲ ୧୨ ରନ୍‌କରି ଆଉଟ ହୋଇଥିବା ବେଳେ ବେପରୁଆ ସଟ୍‌ ଖେଳି ମୟଙ୍କ ଅଗ୍ରୱାଲ ୩ଟି ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ୨ୟ ୱିକେଟ ଭାଗିଦାରୀ ଭାରତୀୟ ଦଳ ପାଇଁ ବେଶ୍‌ ଫଳପ୍ରସୂ ହୋଇଥିଲା। ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। କୋହଲି ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ପୂଜାରା ଦୁର୍ବଳ ବଲ୍‌କୁ ପ୍ରହାର କରିଥ​‌ିଲେ। ଫଳରେ ୩ୟ ୱିକେଟ ପାଇଁ ଭାରତ ୬୨ ରନ୍‌ ଯୋଡ଼ିଥିଲା। ପୂଜାରା ୭୭ ବଲ୍‌ରୁ ୭ଟି ଚୌକା ସହ ୪୩ ରନ୍‌କରି ଆଉଟ ହୋଇଥିଲେ। ଖରାପ ଫର୍ମ ଯୋଗୁଁ ଚାପରେ ଥିବା ଅଭିଜ୍ଞ ଅଜିଙ୍କ୍ୟ ରାହାଣେ ମାତ୍ର ୯ ରନ୍‌ କରି ବିଦାୟ ନେଇଥିଲେ। ୪ର୍ଥ ୱିକେଟ ପାଇଁ କୋହଲି ଓ ଋଷଭ ପନ୍ତ୍ ଲଢ଼ୁଆ ବ୍ୟାଟିଂକରି ୫୧ ରନ୍‌ ଯୋଡ଼ିଥିଲେ। ୪ଟି ଚୌକା ସହ ୨୭ ରନ୍‌କରି ପନ୍ତ୍ ବିଦାୟ ନେଇଥିଲେ। ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ୫୬ ରନ୍‌ରେ ଭାରତର ଶେଷ ୬ଟି ୱିକେଟ ପଡ଼ିଥିଲା। ରବିଚନ୍ଦ୍ରନ ଅଶ୍ବିନ ୨ ଓ ସାର୍ଦୁଳ ଠାକୁର ୧୨ ରନ୍‌ କରିଥିଲେ। ୯ମ ବ୍ୟାଟ୍‌ସମ୍ୟାନ୍ ଭାବେ ଆଉଟ ହୋଇଥିବା କୋହଲି ୨୦୧ ବଲ୍‌ ଖେଳି ଗୋଟିଏ ଛକା ଓ ୧୨ଟି ଚୌକା ସହ ୭୯ ରନ୍‌ କରିଥିଲେ। କାଗିସୋ ରାବାଡା ୪ଟି ଏବଂ ମାର୍କୋ ୟାନ୍‌ସେନ୍ ୩ଟି ୱିକେଟ ପାଇଥିଲେ।

Comments are closed.